ଆଧାର ଦାବି କରୁଥିବା କମ୍ପାନି ଦେବେ ୧କୋଟିର ଜରିମାନା, କର୍ମଚାରୀ ଯିବେ ଜେଲ୍‌

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟ ଆଧାରକୁ ଏକମାତ୍ର ପରିଚୟ ପ୍ରମାଣ ଓ ଠିକଣା ପ୍ରମାଣ ଭାବେ ଗ୍ରହଣ କରି ନଥିବାରୁ ସବୁ କ୍ଷେତ୍ରରେ ଆଧାରର ବ୍ୟବହାର ବାଧ୍ୟତାମୂଳକ ନୁହେଁ। ମାତ୍ର କେତେକ ଟେଲିକମ୍‌ କମ୍ପାନି ଓ ବ୍ୟାଙ୍କ ଗ୍ରାହକମାନଙ୍କୁ ଏବେ ମଧ୍ୟ ଆଧାର ବାଧ୍ୟତାମୂଳକ ବୋଲି କହୁଥିବା ଅଭିଯୋଗ ହେଉଛି। ଏପରି ଟେଲିକମ୍‌ କମ୍ପାନି ଓ ବ୍ୟାଙ୍କଙ୍କୁ ଦଣ୍ଡିତ କରିବା ଲାଗି ନୂଆ ଆଇନ ଆଣିଛନ୍ତି କେନ୍ଦ୍ର ସରକାର।

ଯେଉଁ ଟେଲିକମ୍‌ କମ୍ପାନି ଗ୍ରାହକଙ୍କୁ ମୋବାଇଲ ସଂଯୋଗ ଦେବା ଲାଗି ଆଧାର ମାଗିବେ କିମ୍ବା ଯେଉଁ ବ୍ୟାଙ୍କ କେଓ୍ଵାଇସି ନାମରେ ଗ୍ରାହକଙ୍କଠାରୁ ଆଧାର ମାଗିବେ ସେମାନେ ୧କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବା ସହ ୩ରୁ ୧୦ବର୍ଷ ପର୍ଯ୍ୟନ୍ତ ଜେଲ୍‌ଦଣ୍ଡ ଭୋଗି ପାରନ୍ତି।

ସୋମବାର କେନ୍ଦ୍ର କ୍ୟାବିନେଟ୍‌ରେ ଏଭଳି ଏକ ପ୍ରସ୍ତାବ ଆସିଛି। ପ୍ରସ୍ତାବ ଅନୁସାରେ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ଯାଇ ପରିଚୟ ଓ ବାସସ୍ଥାନ ପ୍ରମାଣ ଲାଗି ଆଧାର ମାଗୁଥିବା ସଂସ୍ଥାଙ୍କୁ ଦଣ୍ଡିତ କରାଯିବ। ଏଥିଲାଗି ଉଭୟ ଅର୍ଥ ଦଣ୍ଡ ଓ ଜେଲ୍‌ଦଣ୍ଡ ଭୋଗିବେ ଉଲଂଘନକାରୀ ସଂସ୍ଥା।

ସରକାରୀ ସୂତ୍ରରୁ ପ୍ରକାଶ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଇଣ୍ଡିଆନ୍‌ ଟେଲିଗ୍ରାଫ୍‌ ଆକ୍ଟ ଏବଂ ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡରିଂ ଆକ୍ଟରେ ପରିବର୍ତ୍ତନ ଅଣାଯାଇଛି। ସଂଶୋଧିତ ଆଇନ ଅନୁସାରେ କେବଳ ଜନମଙ୍ଗଳ କାର୍ଯ୍ୟକ୍ରମ କ୍ଷେତ୍ରରେ ଆଧାର ବାଧ୍ୟତାମୂଳକ, ଯେଉଁଠାରୁ ହିତାଧିକାରୀ ସରକାରୀ ଅର୍ଥ ଗ୍ରହଣ କରୁଛନ୍ତି।

ସମ୍ବନ୍ଧିତ ଖବର