କ୍ୟାରି ବ୍ୟାଗ୍‌ ପାଇଁ ଗ୍ରାହକଙ୍କୁ ୩ ଟଙ୍କା ମାଗିବାରୁ ‘ବାଟା’କୁ ୯ ହଜାର ଟଙ୍କା ଜରିମାନା

ଚଣ୍ଡିଗଡ଼: ଜଣେ ଗ୍ରାହକଙ୍କ ସେବାରେ ତ୍ରୁଟି କରିଥିବାରୁ ‘ବାଟା ଇଣ୍ଡିଆ ଲିମିଟେଡ୍‌’କୁ ୯୦୦୦ ଟଙ୍କା ଦେବାକୁ କୁହାଯାଇଛି। ସମ୍ପୃକ୍ତ ଗ୍ରାହକଙ୍କୁ ‘ବାଟା’ ଗୋଟାଏ କାଗଜ କ୍ୟାରି ବ୍ୟାଗ୍‌ ବାବଦରେ ୩ ଟଙ୍କା ମାଗିଥିଲା। ଗ୍ରାହକଜଣକ କରିଥିବା ଅଭିଯୋଗର ଶୁଣାଣି କରି ଚଣ୍ଡିଗଡ଼ର ଏକ ଖାଉଟି ଅଦାଲତ ‘ବାଟା’କୁ ଏଥିପାଇଁ ଭତ୍ସନା କରିଛନ୍ତି।

ଗ୍ରାହକ ଚଣ୍ଡିଗଡ଼ବାସୀ ଦିନେଶ ପ୍ରସାଦ ରାତୁରି ଅଭିଯୋଗ କରିଥିଲେ ଖାଉଟି ଅଦାଲତରେ ଅଭିଯୋଗ କରିଥିଲେ ଯେ ସେକ୍ଟର୍‌ ୨୨ଡିରେ ଅବସ୍ଥିତ ଏକ ‘ବାଟା’ ଷ୍ଟୋର୍‌ରୁ ସେ ଫେବ୍ରୁଆରି ୫ ତାରିଖରେ ହଳେ ଜୋତା ଖରିଦ କରିଥିଲେ। କାଗଜ କ୍ୟାରି ବ୍ୟାଗ୍‌ ସମେତ ଏଥିପାଇଁ ଷ୍ଟୋର୍‌ ୪୦୨/- ବିଲ୍‌ କରିଥିଲା। ରାତୁରି ଖାଉଟି ଅଦାଲତକୁ କହିଥିଲେ କି ବ୍ୟାଗ୍‌ ବାବଦରେ ୩ ଟଙ୍କା ନେଇ ସେଥିରେ ‘ବାଟା’ର ବ୍ରାଣ୍ଡ୍‌ ଛାପିବା ଅନ୍ୟାୟ।

ତିନି ଟଙ୍କା ଫେରି ପାଇବା ଏବଂ ସେବା ତ୍ରୁଟି ବାବଦରେ କ୍ଷତିପୂରଣ ପାଇଁ ଦିନେଶ ଅଭିଯୋଗ କରିଥିଲେ। ସେମାନଙ୍କର ଉତ୍ପାଦ କିଣୁଥିବା ଗ୍ରାହକମାନଙ୍କୁ ମାଗଣାରେ ବ୍ୟାଗ୍‌ ଯୋଗାଇ ଦେବା ଷ୍ଟୋର୍‌ର କର୍ତ୍ତବ୍ୟ ହୋଇଥିବାରୁ ତାହା ନ କରି ଏ ବାବଦରେ ଗ୍ରାହକଙ୍କ ଠାରୁ ଅର୍ଥ ଦାବି କରିବା ସେବାରେ ତ୍ରୁଟି ବୋଲି ଅଦାଲତ ଦର୍ଶାଇଥିଲେ।

ଗ୍ରାହକମାନଙ୍କୁ ମାଗଣାରେ କାଗଜ ବ୍ୟାଗ୍‌ ଯୋଗାଇ ଦେବାକୁ ଖାଉଟି ଅଦାଲତ ‘ବାଟା’କୁ ନିର୍ଦେଶ ଦେଇଛନ୍ତି। ଅଦାଲତ କହିଥିଲେ କି, ଯଦି ବାସ୍ତବରେ କମ୍ପାନିମାନେ ପରିବେଶ ପ୍ରତି ଏଡ଼େ ଚିନ୍ତିତ ତେବେ ସେମାନେ ଗ୍ରାହକମାନଙ୍କୁ ପରିବେଶ ଅନୁକୂଳ ବ୍ୟାଗ୍‌ ଯୋଗାଇ ଦେବା ଉଚିତ।
ଅଦାଲତ ତାଙ୍କ ନିଷ୍ପତ୍ତିରେ ଶୁଣାଇ ‘ବାଟା’କୁ ନିର୍ଦେଶ ଦେଲେ ବ୍ୟାଗ୍‌ ବାବଦରେ ନେଇଥିବା ୩ ଟଙ୍କା ଫେରସ୍ତ କରିବ ଏବଂ ଅଦାଲତ ଖର୍ଚ୍ଚ ବାବଦରେ ୧୦୦୦ ଟଙ୍କା ଦେବ।

ଏହାଛଡ଼ା ସେବାରେ ତ୍ରୁଟି କରି ଗ୍ରାହକଙ୍କୁ ମାନସିକ ଯନ୍ତ୍ରଣା ଦେଇଥିବାରୁ ୩୦୦୦ ଟଙ୍କା କ୍ଷତିପୂରଣ ଦେବା ଏବଂ ‘ଷ୍ଟେଟ୍‌ କଞ୍ଜ୍ୟୁମର୍‌ ଡିସ୍‌ପ୍ୟୁଟ୍‌ ରିଡ୍ରେସାଲ୍‌ କମିସନ୍‌’ଙ୍କ ଆକାଉଣ୍ଟ୍‌ରେ ୫୦୦୦ ଟଙ୍କା ଜମା କରିବାକୁ ଅଦାଲତ ‘ବାଟା’କୁ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର