ହିଂସାକାଣ୍ଡ ଓ ବୁଥ୍‌ ଦଖଲ ମଧ୍ୟରେ ଆଗେଇ ଚାଲିଛି ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ

କୋଲକାତା: ଗୋଟିଏ ସପ୍ତାହର ଅନିଶ୍ଚିତତା ପରେ ସୋମବାର ସକାଳ ୭ଟାରୁ ଆରମ୍ଭ ହୋଇଛି ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ। ରାଜ୍ୟର ଅନେକ ସ୍ଥାନରେ ହିଂସାକାଣ୍ଡ ଓ ବୁଥ୍‌ ଦଖଲ ମଧ୍ୟରେ ଭୋଟ୍‌ ଗ୍ରହଣ ଚାଲିଥିବା ଖବର ମିଳିଛି।

ସକାଳ ପ୍ରାୟ ୬ଟା ବେଳୁ ଲୋକେ ଲମ୍ବା ଧାଡ଼ି ବାନ୍ଧି ଭୋଟ୍‌ ଗ୍ରହଣ କେନ୍ଦ୍ର ସାମ୍ନାରେ ଠିଆ ହୋଇଥିବା ଦେଖାଯାଇଥିଲା। ବାଲଟ୍‌ ପେପର୍‌ ଜରିଆରେ ଭୋଟ ନିଆ ଯାଉଛି।

ଶାନ୍ତିପୂର୍ଣ୍ଣ ଭାବେ ଭୋଟ୍‌ ଦାନ ପାଇଁ ବେଙ୍ଗଲ୍‌ ପୁଲିସ୍‌, ସିଭିକ୍‌ ଭଲ୍ୟୁଣ୍ଟର୍ସ ଏବଂ ସିକ୍କିମ୍‌, ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନା ପୁଲିସ ସମେତ ପ୍ରାୟ ୧, ୫୪, ୫୦୦ ପୁଲିସବାଲା ମୁତୟନ କରାଯାଇଛନ୍ତି। ଝାଡ଼ଖଣ୍ଡ ପଟ ରାଜ୍ୟ ସୀମାକୁ ପୁଲିସ ସିଲ୍‌ କରି ଦେଇଛି।

କେତେକ ଅଞ୍ଚଳରେ ହିଂସାକାଣ୍ଡ ଘଟିଥିବାର ସୂଚନା ମଧ୍ୟ ଆସିଛି। ୨୪ ପ୍ରଗଣା ଜିଲ୍ଲା ଅନ୍ତର୍ଗତ ବାଗଡ଼ାରେ ବାଲଟ୍‌ ପେପର୍‌ରେ ମୋହର ମାରୁଥିବା ୯ ଜଣ ବଦମାସଙ୍କୁ ଗ୍ରାମବାସୀ ଧରି ମାଡ଼ ଦେଇଛନ୍ତି। ପରେ ପୁଲିସ ସେମାନଙ୍କୁ ଧରି ଡାକ୍ତରଖାନାକୁ ପଠାଇଛି। ସେମାନେ କୁଆଡ଼େ ଦେଶୀବୋମା ଫିଙ୍ଗିଥିଲେ ବୋଲି ଗ୍ରାମବାସୀଏ ଅଭିଯୋଗ କରିଛନ୍ତି।

ଅନ୍ୟ ଏକ ରିପୋର୍ଟ ଅନୁସାରେ ସେଠାରେ ତୃଣମୂଳ କଂଗ୍ରେସର କର୍ମୀ ଅରିଫ୍‌ ଗାଜିଙ୍କୁ ଗୁଳି କରି ହତ୍ୟା କରାଯାଇଛି।
ସମଗ୍ର ପଶ୍ଚିମବଙ୍ଗରେ ପ୍ରାୟ ୩୮, ୫୨୯ଟି ଆସନ ପାଇଁ ଭୋଟ୍‌ ଗ୍ରହଣ ଚାଲିଛି। ହିଂସାକାଣ୍ଡ ଦକ୍ଷିଣ ବଙ୍ଗରେ ଘଟୁଥିବା ବେଳେ ଉତ୍ତର ବଙ୍ଗ ଆପାତତଃ ଶାନ୍ତିପୂର୍ଣ୍ଣ ରହିଛି।

ସମ୍ବନ୍ଧିତ ଖବର