ରାଉରକେଲା: ଆନ୍ତଃରାଜ୍ୟ ଠକ ଚେତନ ଶର୍ମାଙ୍କୁ ଆଜି ବେଙ୍ଗାଲୁରୁ ପୁଲିସ ଗିରଫ କରିଛି।। ବେଙ୍ଗାଲୁରୁ ପୁଲିସ୍ ଠକ ଚେତନ ଶର୍ମାର ମୋବାଇଲ୍ ଟ୍ରାକ୍ କରିବା ପରେ ସେ ରାଉରକେଲାରେ ଥିବା ଜଣାପଡ଼ିଥିଲା। ଏ ନେଇ ବେଙ୍ଗାଲୁରୁ ପୁଲିସ ରାଉରକେଲା ପୁଲିସର ସହାୟତା ନେଇଥିଲା। ରାଉରକେଲା ପୁଲିସ ଚେତନ ରହୁଥିବା ଜଗଦା ପଟ୍ଟନାୟକ ବାଗାନ୍ସ୍ଥିତ ଭଡ଼ା ଘର ଚଢ଼ାଉ କରି ଶନିବାର ସନ୍ଧ୍ୟାରେ ତାକୁ କାବୁ କରିଥିଲା। ଅନ୍ଲାଇନ୍ ଲଟେରି ସ୍କିମ୍ ଜରିଆରେ ସେ ବେଙ୍ଗାଲୁରୁ ସମେତ ଚେନ୍ନାଇ ଓ କୋଲକାତାର ବହୁ ଲୋକଙ୍କୁ ପ୍ରଲୋଭିତ କରି ବିପୁଳ ଅର୍ଥ ଠକି ରାଉରକେଲାରେ ଆତ୍ମଗୋପନ କରିଥିବା ବେଙ୍ଗାଲୁର ପୁଲିସ୍ ସୂଚନା ଦେଇଥିଲା।ପ୍ରାଥମିକ ସୂଚନାରୁ ପ୍ରକାଶ ଯେ ‘ଶର୍ମା ଏଣ୍ଟରପ୍ରାଇଜେସ୍’ ନାମରେ ଚେତନ୍ ଏକ ଜାଲ୍ କମ୍ପାନି ଖୋଲି ଏହି ନାମରେ ବିଭିନ୍ନ ବ୍ୟାଙ୍କରେ ଆକାଉଣ୍ଟ ଖୋଲିଥିଲା। ଠକେଇ ଅର୍ଥ ସେସବୁ ଆକାଉଣ୍ଟ୍କୁ ଆସିବା ମାତ୍ରେ ସେ ଅନ୍ୟାନ୍ୟ ଆକାଉଣ୍ଟ୍କୁ ଟ୍ରାନ୍ସଫର କରି ତାହାକୁ ହଡ଼ପ କରୁଥିଲା। ରାଉରକେଲାର କେତେକ ବ୍ୟାଙ୍କରେ ସେ ଶର୍ମା ଏଣ୍ଟର୍ପ୍ରାଇଜେସ୍ ନାମରେ ଡଜନେରୁ ଅଧିକ ଆକାଉଣ୍ଟ ଖୋଲିଥିବା ପୁଲିସ୍ ସନ୍ଧାନ ପାଇଛି। ସେସବୁ ଆକାଉଣ୍ଟରେ ପ୍ରାୟ ୧୫ ଲକ୍ଷ ଟଙ୍କା ଜମା ଥିବା କୁହାଯାଉଛି। ପୁଲିସ୍ ଯାଞ୍ଚ କରିବା ପରେ ଚେତନ୍ର ଏହି ଜାଲ୍ ଆକାଉଣ୍ଟ୍ଗୁଡ଼ିକୁ ଅଚଳ କରିବା ଲାଗି ଉଭୟ ରାଉରକେଲା ଓ ବେଙ୍ଗାଲୁରୁ ପୁଲିସ୍ ପ୍ରକ୍ରିୟା ଆରମ୍ଭ କରଛନ୍ତିି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ‘କୌନ୍ ବନେଗା କରୋଡ୍ପତି’ ନାମରେ ଲଟେରି ସ୍କିମ୍ ଖୋଲି ରାଉରକେଲା ସମେତ ଅନ୍ୟାନ୍ୟ ରାଜ୍ୟରୁ ଅନ୍ଲାଇନ୍ରେ ଲକ୍ଷ ଲକ୍ଷ ଠକିଥିବା ଏକ ଗ୍ୟାଙ୍ଗର ୮ ଜଣଙ୍କୁ ରାଉରକେଲା ପୁଲିସ୍ ୨୦୧୭ ଅଗଷ୍ଟରେ ଗିରଫ କରିଥିଲା। ତେବେ ମାଷ୍ଟର୍ ମାଇଣ୍ଡ ଏ ପର୍ଯ୍ୟନ୍ତ ଧରା ପଡ଼ିନାହିଁ। ଏକ ଲକ୍ଷ ଟଙ୍କା ଜମା ଦେଲେ ୨୫ ଲକ୍ଷ ଟଙ୍କାର ଲଟେରୀ ମିଳିବ ବୋଲି ପ୍ରତିଶ୍ରୁତି ଦେଇ ଏହି ଗ୍ୟାଙ୍ଗ ଲୋକଙ୍କୁ ପ୍ରଲୋଭିତ କରି ଠକୁଥିଲେ। ନେଟ୍ଓ୍ଵର୍କ ବିସ୍ତାର ପାଇଁ ମାଷ୍ଟର୍ ମାଇଣ୍ଡ ବନ୍ଧମୁଣ୍ଡା ଓ ରାଉରକେଲାରେ କେତେକ ବେକାର ଯୁବକଙ୍କୁ ନିଯୁକ୍ତ କରିଥିଲା। ସେମାନଙ୍କ ନାମରେ ସ୍ଥାନୀୟ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ମାଷ୍ଟର୍ ମାଇଣ୍ଡ ସେମାନଙ୍କ ଏଟିଏମ୍ କାର୍ଡ଼ ଓ ପାସ୍ ଓ୍ଵାର୍ଡ଼ ନିଜ ପାଖରେ ରଖୁଥିଲା। ଏସବୁ ଆକାଉଣ୍ଟକୁ ଠକେଇ ଅର୍ଥ ଆସିବା ମାତ୍ରେ ସେ ଉଠାଇ ନେଇଥିଲା। ପ୍ରତିବଦଳରେ ତା’ ପାଇଁ କାମ କରୁଥିବା ଯୁବକମାନଙ୍କୁ ମାସିକ ୩ ହଜାର ଟଙ୍କା ଲେଖାଏଁ ସେ ଦେଉଥିଲା। ଅଟକ ଥିବା ଚେତନ୍ ଶର୍ମାର ଏହି ଗ୍ୟାଙ୍ଗ ସହିତ ସମ୍ପର୍କ ଅଛି କି ନାହିଁ, ରାଉରକେଲା ପୁଲିସ୍ ଅନୁସନ୍ଧାନ ଜାରି ରଖିଛି।