ହେଲ୍‌ମେଟ୍‌ ପିନ୍ଧି ନ ଥିବାରୁ ଚାଳକଙ୍କ ଉପରକୁ ଚପଲ ଫିଙ୍ଗିଲେ ଟ୍ରାଫିକ୍‌ ପୁଲିସ

ବେଙ୍ଗାଲୁରୁ : କଥାରେ ଅଛି ସଡ଼କ ସୁରକ୍ଷା ଜୀବନ ରକ୍ଷା । ରାସ୍ତାରେ ଚଳାଚଳ କରୁଥିବା ଲୋକେ କିପରି ସୁରକ୍ଷିତ ରହିବେ ସେଥି ପାଇଁ ଅନେକ ଆଇନ୍‌ ପ୍ରଣୟନ କରାଯାଇଛି । ସେଥି ମଧ୍ୟରୁ ଗୋଟେ ହେଲେ ଗାଡ଼ି ଚଳାଇବା ବେଳେ ହେଲ୍‌ମେଟ୍‌ ପିନ୍ଧିବା । କିଛି ଲୋକ ଏହି ଆଇନ୍‌କୁ ଅବମାନନା କରି ହେଲ୍‌ମେଟ ବ୍ୟବହାର କରୁ ନଥିବା ବେଳେ ସେମାନଙ୍କୁ ଠିକ୍‌ ବାଟକୁ ଆଣିବାର ଦାୟିତ୍ୱ ଟ୍ରାଫିକ୍‌ ପୁଲିସକୁ ଦିଆଯାଇଛି ।
ଯଦି କେହି ଲୋକ ରାସ୍ତାରେ ଗାଡ଼ି ଚଳାଇବା ବେଳେ ହେଲ୍‌ମେଟ୍‌ ପିନ୍ଧୁ ନାହିଁ, ତେବେ ଉକ୍ତ ବ୍ୟକ୍ତିଙ୍କ ନାଁରେ ଚାଲାଣ କାଟି ସେମାନଙ୍କ ଠାରୁ ଜରିମାନା ଆଦାୟ କରିବାର ଦାୟିତ୍ୱ ଟ୍ରାଫିକ୍‌ ପୁଲିସକୁ ଦିଆ ଯାଇଛି । ତେବେ ବେଙ୍ଗାଲୁରୁରେ ଟ୍ରାଫିକ୍‌ ନିୟମ ଉଲଙ୍ଘନ କରିଥିବା ଦୁଇ ଦୁର୍ବୃତ୍ତଙ୍କୁ ଉଚିତ୍‌ ଶିକ୍ଷା ଦେବା ପାଇଁ ଟ୍ରାଫିକ୍‌ ପୁଲିସ ଦୁଇ ପାଦ ଆଗକୁ ବଢ଼ାଇଛନ୍ତି ।

 ହେଲ୍‌ମେଟ୍‌ ନ ପିନ୍ଧି ଗାଡ଼ି ଚଳାଉଥିବା ଯୁବକଙ୍କୁ ରୋକିବା ପରିବର୍ତ୍ତେ ଟ୍ରାଫିକ୍‌ ପୁଲିସ ଜଣଙ୍କ ନିଜ ଗୋଡ଼ରୁ ଜୋତା କାଢ଼ି ସେମାନଙ୍କ ଉପରକୁ ଫିଙ୍ଗି ଥିଲେ । ଏହି ଦୃଶ୍ୟଟି ବ୍ଲଗର ରିସବ ଚାଟାର୍ଜୀଙ୍କ କ୍ୟାମେରାରେ କଏଦ ହୋଇଥିବା ବେଳେ ସେ ଏହାକୁ ସୋସିଆଲ ମିଡ଼ିଆରେ ଛାଡ଼ିଛନ୍ତି । ଏତେ ଥର ଟ୍ରାଫିକ୍‌ ନିୟମ ବିଷୟରେ ଲୋକମାନଙ୍କୁ ସଚେତନ କରାଯାଉ ଥିଲେ ମଧ୍ୟ ସେମାନେ ସୁଧୁରୁ ନଥିବାରୁ ପୁଲିସ ଜଣଙ୍କ ଏଭଳି କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର