ସୋମବାର ଭାରତ ବନ୍ଦ: ଆପଣଙ୍କୁ ଏସବୁ ଜାଣିବାର ଅଛି

ନୂଆଦିଲ୍ଲୀ: କଂଗ୍ରେସ ପକ୍ଷରୁ ଡାକରା ଦିଆଯାଇଥିବା ‘ଭାରତ ବନ୍ଦ’ ସୋମବାର ପାଳନ କରାଯିବ। ଫଳରେ ଆପଣଙ୍କର ଜୀବନ ଶୈଳୀ ପ୍ରଭାବିତ ହେବ। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ବିରୋଧରେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ୨୨ଟି ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି। ଏଥିରେ ସାମିଲ ଅଛନ୍ତି, ଡିଏମ୍‌କେ, ଏନ୍‌ସିପି, ଆରଜେଡି, ଜେଡି(ଏସ୍‌)। ଏତଦ୍‌ ବ୍ୟତୀତ ‘ଭାରତ ବନ୍ଦ’କୁ ସଫଳ କରିବା ପାଇଁ ସିଭିଲି ସୋସାୟଟି ଓ ଏନ୍‌ଜିଓ ନିକଟରେ ମଧ୍ୟ ଅପିଲ କରିଛି। ସୁରେଜଓ୍ଵାଲା କହିଛନ୍ତି, ୨୦୧୪ ପରେ ଏକ୍ସାଇଜ ଡ୍ୟୁଟି ବୃଦ୍ଧି କରି ଦିଆଯିବା ଫଳରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଘଟିଛି।

କେତେବେଳେ ହେବ ‘ଭାରତ ବନ୍ଦ’

ସମଗ୍ର ଦେଶରେ ‘ଭାରତ ବନ୍ଦ’ ସୋମବାର ପୂର୍ବାହ୍ନ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପାଳନ ହେବ। କଂଗ୍ରେସ ମୁଖପାତ୍ର ରଣଦୀପ ସୁରେଜଓ୍ଵାଲା କହିଛନ୍ତି, ସାଧାରଣ ଯାତାୟତ ବନ୍ଦ ରଖାଯିବ।

ବିରୋଧୀ ଦଳ କାହିଁକି ବନ୍ଦ ପାଳନ କରୁଛି?

ତେଲ ଦର ଓ ଏକ୍ସାଇଜ ଡ୍ୟୁଟି ବୃଦ୍ଧି ପ୍ରତିବାଦରେ ଭାରତ ବନ୍ଦ ପାଳନ କରାଯାଉଛି। ବିରୋଧୀ କଂଗ୍ରେସ ଶାସକ ଭାରତୀୟ ଜନତା ଦଳ ବିରୋଧରେ ଅଭିଯୋଗ ଆଣିଛି। କେନ୍ଦ୍ରୀୟ ଏକ୍ସାଇଜ ଡ୍ୟୁଟି ଓ ଭାଟ୍‌ ହ୍ରାସ କରିବାକୁ ବିରୋଧୀ ଦାବି କରିଛି। ସେହିଭଳି ପେଟ୍ରୋଲରେ ଜିଏସ୍‌ଟି ବାହାର କରିବାକୁ କଂଗ୍ରେସ ଦାବି କରିଛି।

କେଉଁମାନେ ଭାରତ ବନ୍ଦକୁ ସମର୍ଥନ ଜଣାଉଛନ୍ତି?

କଂଗ୍ରେସର ଭାରତ ବନ୍ଦକୁ ଅନେକ ଗୁଡ଼ିଏ ବିରୋଧୀ ଦଳ ସମର୍ଥନ ଜଣାଉଛନ୍ତି। ସମାଜବାଦୀ ପାର୍ଟି, ଡିଏମ୍‌କେ ଓ ଏନ୍‌ସିପି ସେମାନଙ୍କର ସହଯୋଗୀ ପାର୍ଟିଗୁଡ଼ିକୁ ଭାରତ ବନ୍ଦରେ ସାମିଲ କରିଛନ୍ତି। ବାମ ଦଳ ମଧ୍ୟ କଂଗ୍ରେସରେ ସାମିଲ ହୋଇଛନ୍ତି। ସେହିଭଳି ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗରେ ଭାରତ ବନ୍ଦକୁ ସମର୍ଥନ ଜଣାଇବ। ବହାରରେ ଆରଜେଡି, ଜେଡିଏସ୍‌, ଜେଭିଏମ ଓ ଜେଏମଏମ ବନ୍ଦକୁ ସମର୍ଥନ ଜଣାଇବ।

କଂଗ୍ରେସ ନେତା ଅଶୋକ ଗେହଲୋତ ଓ ଅହମଦ ପଟେଲ, ସିପିଆଇ ସାଧାରଣ ସଂପାଦକ ସୀତାରାମ ୟେଚୁରୀ ଓ ‘ଏନ୍‌ସିପି’ର ତାରିକ ଅନଓ୍ଵାର ମଧ୍ୟ ଶରଦ ଯାଦବଙ୍କୁ ଭେଟି ଏ ବାବଦରେ ଆଲୋଚନା କରିଛନ୍ତି।

କେଉଁ କେଉଁ ସ୍ଥାନରେ ବନ୍ଦ ପାଳନ ହେବ?

ଭାରତ ବନ୍ଦ ଦେଶର ଅଧିକାଂଶ ରାଜ୍ୟରେ ପାଳନ ହେବ। ଓଡ଼ିଶା, ମହରାଷ୍ଟ୍ର, ବିହାର, କର୍ଣ୍ଣାଟକ, ତାମିଲନାଡୁରେ କଡ଼ା ବିରୋଧ କରାଯିବ। ଏହି ରାଜ୍ୟମାନଙ୍କରେ ଆଞ୍ଚଳିକ ଦଳ ଗୁଡ଼ିକ କେନ୍ଦ୍ର ସରକାରକୁ ତୀବ୍ର ବିରୋଧ କରୁଛି। ସେହିଭଳି ପଶ୍ଚିମବଙ୍ଗରେ ମଧ୍ୟ ତୃଣମୂଳ ସରକାର ବିଜେପିକୁ ଦୃଢ଼ ବିରୋଧ କରି ଆନ୍ଦୋଳନରେ ସାମିଲ ହେବାକୁ ଯାଉଛି।

ସମ୍ବନ୍ଧିତ ଖବର