ଭାରତ ବନ୍ଦ୍‌ର ଆଂଶିକ ପ୍ରଭାବ

O ପରିବହନ ଓ ବ୍ୟାଙ୍କ ସେବା ପ୍ରଭାବିତ O ପଶ୍ଚିମବଙ୍ଗରେ ସ୍କୁଲ୍‌ବସ୍‌କୁ ପଥରମାଡ଼ O ଟିଏମ୍‌ସି-ସିପିଏମ୍‌ କର୍ମୀ ମୁହାଁମୁହିଁ O ରାଜସ୍ଥାନରେ ୨୨ ପୁଲିସ ଆହତ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଏକଚାଟିଆ ଶ୍ରମ ସଂସ୍କାର, ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ଏବଂ ଟ୍ରେଡ୍‌ ୟୁନିଅନ୍‌ ଆଇନ ୧୯୨୬ରେ ପ୍ରସ୍ତାବିତ ସଂଶୋଧନ ଆଦିକୁ ବିରୋଧ କରି ୧୦ଟି ଟ୍ରେଡ୍‌ ୟୁନିଅନ୍‌ ପକ୍ଷରୁ ଆଜିଠୁ ଦେଶବ୍ୟାପୀ ବନ୍ଦ ପାଳନ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଅଧିକାଂଶ ସ୍ଥାନ‌େର ବନ୍ଦ୍‌ର ଆଂଶିକ ପ୍ରଭାବ ଅନୁଭୂତ ହୋଇଛି। ପରିବହନ, ବ୍ୟାଙ୍କ ଓ ଡାକ ସେବା କିଛିଟା ବାଧାପ୍ରାପ୍ତ ହେବା ସହ କେତେକ ରାଜ୍ୟରେ ସ୍କୁଲ୍‌, କଲେଜ ବନ୍ଦ ରହିଥିଲା। ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀ ସାଧାରଣ ଜନତାଙ୍କୁ ଅଟକାଇ ଗାଡ଼ି ଭଙ୍ଗାରୁଜା କରିଥିଲେ। ପଶ୍ଚିମବଙ୍ଗରେ ଟିଏମ୍‌ସି-ସିପିଏମ୍‌ କର୍ମୀ ମୁହାଁମୁହିଁ ହୋଇଥିଲେ। ପଶ୍ଚିମବଙ୍ଗ ସମେତ କେରଳ, ଓଡ଼ିଶା, ଆସାମ, ମେଘାଳୟ, ରାଜସ୍ଥାନ, ଗୋଆ, ପଞ୍ଜାବ, ଝାଡ଼ଖଣ୍ଡ, ଛତିଶଗଡ଼ ଓ ହରିୟାଣାରେ ଏହି ବନ୍ଦ୍‌ର ପ୍ରଭାବ ଦେଖିବାକୁ ମିଳିଛି। ୧୨ ଦଫା ଦାବି ନେଇ ଶ୍ରମିକ ସଂଗଠନଗୁଡ଼ିକ କାଲି ମଧ୍ୟ ବନ୍ଦ ପାଳନ କରିବେ।
ଦୁଇଦିନିଆ ବନ୍ଦ ପାଳନର ପ୍ରଥମ ଦିନରେ ମୁମ୍ବାଇ ପରିବହନ ସେବା ଠପ୍‌ ହୋଇଯାଇଛି।

ପରିବହନ ସେବାରେ କାର୍ଯ୍ୟରତ ୩୨,୦୦୦ କର୍ମଚାରୀ ଧର୍ମଘଟକୁ ଓହ୍ଲାଇଥିଲେ। ଅନ୍ୟପକ୍ଷରେ ଆନ୍ଧ୍ର ପ୍ରଦେଶର ବାଣିଜ୍ୟିକ ପେଣ୍ଠସ୍ଥଳ କୁହାଯାଉଥିବା ବିଶାଖାପାଟଣାରେ ଭାରତ ବନ୍ଦ୍‌ର କୌଣସି ପ୍ରଭାବ ପଡ଼ିନଥିଲା। ବିଶାଖାପାଟଣା ଇସ୍ପାତ ପ୍ଲାଣ୍ଟରେ ଉତ୍ପାଦନ ଜାରି ରହିଥିଲା। କେରଳର କୋଝିକୋଡ଼ରେ ଦୋକାନବଜାର ଖୋଲା ରହିଥିଲା ବେଳେ ଜୀବନଯାତ୍ରା ସ୍ବାଭାବିକ ରହିଥିଲା। କୋଚିରେ ବିଭିନ୍ନ ନଦୀରେ ଡଙ୍ଗାଗୁଡ଼ିକ ଅଟକିରହିଥିଲା। ‌ତେବେ କୋଚିରେ ମିଶ୍ର ପ୍ରଭାବ ଦେଖିବାକୁ ମିଳିଥିଲା। ଏଠାରେ ଘରୋଇ ବସ୍‌ ଚଳାଚଳ ବନ୍ଦ ରହିଥିଲା ବେଳେ କାର୍‌, ବାଇକ୍‌ ଆଦି ଯାତାୟାତ କରିଥିଲା। ସେହିଭଳି ଟ୍ରେନ୍‌ ଚଳାଚଳ ଆଂଶିକ ଭାବେ ପ୍ରଭାବିତ ହୋଇଥିଲା।
କର୍ଣ୍ଣାଟକର ଉଡୁପି ଓ ବେଙ୍ଗାଲୁରୁରେ ବନ୍ଦ୍‌ ପ୍ରଭାବ ଦେଖିବାକୁ ମିଳିନଥିଲା ବେଳେ କେରଳରେ ବସ୍‌ ଚଳାଚଳ ଠପ୍‌ ହୋଇଯାଇଥିଲା। ପଶ୍ଚିମବଙ୍ଗରେ ଛୋଟମୋଟ ହିଂସା ଘଟଣା ଘଟିଥିଲା। ଉତ୍ତର ୨୪ ପ୍ରଗଣା ଜିଲ୍ଲା ଅନ୍ତର୍ଗତ ଚମ୍ପାଦାଲିରେ ବିକ୍ଷୋଭକାରୀମାନେ ଏକ ସ୍କୁଲ୍‌ ବସ୍‌କୁ ପଥରମାଡ଼ କରିଥିଲେ। ଏଠାରେ ଏକ ସରକାରୀ ବସ୍‌କୁ ମଧ୍ୟ ଭଙ୍ଗାରୁଜା କରାଯାଇଥିଲା। ରାଜସ୍ଥାନରେ ପୁଲିସ ଓ ଏକ ଜାପାନଭିତ୍ତିକ କମ୍ପାନି କର୍ମଚାରୀଙ୍କ ମଧ୍ୟରେ ମୁହାଁମୁହିଁ ହେବାରୁ ୨୨ ପୁଲିସ ଓ ୫୦ କର୍ମଚାରୀ ଆହତ ହୋଇଛନ୍ତି। ଭାରତୀୟ ମଜଦୁର ସଂଘ ଏହି ବନ୍ଦରେ ସାମିଲ ହୋଇନାହିଁ। ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ଓ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ଏଥିରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର