ତେଲ ପାଇଁ ଭାରତ ବନ୍ଦ:୨୨ ଦଳ ସାମିଲ

ଟ୍ରେନ୍‌, ବସ୍‌ ଚଳାଚଳ ଠପ୍‌: ୨ ବର୍ଷର ଝିଅ ଆଖି ବୁଜିଲା

ବିଜେପି ମାଗିଲା ଜବାବ
ସରକାର ଚେତିଛନ୍ତି: ସୁର୍ଜେଓ୍ଵାଲା
ନୂଆଦିଲ୍ଲୀ: ପେଟ୍ରୋଲ୍‌ ଓ ଡିଜେଲ୍‌ର ଅହେତୁକ ଦରବୃଦ୍ଧିକୁ ବିରୋଧ କରି କଂଗ୍ରେସ ପକ୍ଷରୁ ଆଜି ଦେଶବ୍ୟାପୀ ବନ୍ଦ ପାଳନ କରାଯାଇଛି। ୨୧ଟି ରାଜନୈତିକ ଦଳ ସମର୍ଥନ କରିଛନ୍ତି। ବନ୍ଦ ଯୋଗୁ ଅଧିକାଂଶ ରାଜ୍ୟରେ ଟ୍ରେନ୍‌, ବସ୍‌ ସମେତ ଅନ୍ୟ ପରିବହନ ସେବା ବାଧାପ୍ରାପ୍ତ ହୋଇଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସ୍କୁଲ୍‌, କଲେଜ୍‌ ବନ୍ଦ ରହିଥିବା ବେଳେ ଦୋକାନ ବଜାର କାଁଭାଁ ଖୋଲା ରହିଥିବା ଦେଖିବାକୁ ମିଳିଥିଲା। ଅଧିକାଂଶ ସ୍ଥାନରେ ଆଜି ବନ୍ଦ୍‌ର ପ୍ରଭାବ ଦେଖିବାକୁ ମିଳିଛି।
ବିହାରରେ ଆଜି ବନ୍ଦ ପାଳନ ବେଳେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେବା ଯୋଗୁ ଏକ ଅଘଟଣ ଘଟିଛି। ଜଣେ ଦୁଇ ବର୍ଷର ଝିଅ ପ୍ରାଣ ହରାଇଛି। ଦେହ ଖରାପ ଯୋଗୁ ତାକୁ ଗୋଟିଏ ଗାଡ଼ିରେ ଜେହାନାବାଦ ହସ୍ପିଟାଲ୍‌ ନିଆଯାଉଥିଲା। କିନ୍ତୁ ରାସ୍ତା ଅବରୋଧ କରାଯିବା ଯୋଗୁ ଗାଡ଼ି ଆଗକୁ ଯାଇପାରି ନଥିଲା। ଫଳରେ ରାସ୍ତାରେ ହିଁ ତା’ର ମୃତ୍ୟୁ ଘଟିଥିଲା। ଏ ଘଟଣାକୁ ନେଇ ରାଜନୀତି ସରଗରମ ହୋଇଯାଇଛି। ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଜବାବ ମାଗିଛନ୍ତି। ସେ କହିଛନ୍ତି, ଦେଶରେ ଭୟର ବାତାବରଣ ସୃଷ୍ଟି କରାଯାଉଛି। ନାବାଳିକା ଝିଅର ମୃତ୍ୟୁ ପାଇଁ ଦାୟୀ କିଏ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି।
ବନ୍ଦ ବେଳେ ଗୁଜରାଟର ବାରୁଚ୍‌ଠାରେ ବିକ୍ଷୋଭକାରୀମାନେ ସ୍ଥାନୀୟ ଦୋକାନ ବଜାର ବନ୍ଦ ପାଇଁ ଲୋକଙ୍କୁ ବାଧ୍ୟ କରିଥିଲେ। ଏଥିସହ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ବିହାର ରାଜଧାନୀ ପାଟନାରେ ଜନ ଅଧିକାର ପାର୍ଟି କର୍ମୀମାନେ ଗାଡ଼ି ଅଟକାଇବା ସହିତ ଭଂଗାରୁଜା କରିଥିଲେ। ମହାରାଷ୍ଟ୍ରର ପୁନେରେ ପୁଲିସ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌)ର ୬ ବିକ୍ଷୋଭକାରୀଙ୍କୁ ଗିରଫ କରିଥିଲା। ଭାରତ ବନ୍ଦରେ କୌଣସି ହିଂସାକାଣ୍ଡ ନ ଘଟାଇବା ପାଇଁ ଯଦିଓ କଂଗ୍ରେସ ପକ୍ଷରୁ ଦଳଗୁଡ଼ିକୁ ଅନୁରୋଧ କରାଯାଇଥିଲା, କିଛି କର୍ମୀ ଲୋକଙ୍କୁ ବାଧ୍ୟ କରି ଦୋକାନ ବଜାର ବନ୍ଦ ପାଇଁ ଚାପ ପକାଇଥିଲେ। କର୍ଣ୍ଣାଟକରେ ଉବର ଓ ଓଲା ଡ୍ରାଇଭର ବନ୍ଦ ପାଳନକୁ ସମର୍ଥନ କରିଥିଲେ। ଫଳରେ ଏଠାରେ ଏକରକମ ଅଖଚକ ବନ୍ଦ ହୋଇଯାଇଥିଲା। ବିହାରରେ ରେଳ ଓ ସାଧାରଣ ପରିବହନ ସଂପୂର୍ଣ୍ଣ ବନ୍ଦ ହୋଇପଡ଼ିଥିଲା। ପାଟନା, ଗୟା, ଭୋଜପୁର, ଜେହାନାବାଦ, ଭାଗଲପୁର ଓ ମୁଜାଫରପୁର ରେଳଷ୍ଟେସନ୍‌ରେ ଅନେକ ଟ୍ରେନ୍‌ ଅଟକି ରହିଥିଲା।
ଦିଲ୍ଲୀର ଆମ୍‌ ଆଦ୍‌ମି ପାର୍ଟି ଏଥିରୁ ନିବୃତ୍ତ ରହିବ ବୋଲି ପୂର୍ବରୁ ଘୋଷଣା କରିଥିଲା ବେଳେ ଆଜି ପାର୍ଟି ହାଇକମାଣ୍ଡ୍‌ ନିଜ ନେତାମାନଙ୍କୁ ବନ୍ଦରେ ସାମିଲ ହେବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଆଜି ବନ୍ଦରେ ଜେଡିଏସ୍‌, ସମାଜବାଦୀ ପାର୍ଟି, ଡିଏମ୍‌କେ, ଆର୍‌ଜେଡି, ମହାରାଷ୍ଟ୍ର ନବନିର୍ମାଣ ସେନା ସମେତ ବାମଦଳଗୁଡ଼ିକ ସାମିଲ ହୋଇଥିଲେ। ତୃଣମୂଳ କଂଗ୍ରେସ କିନ୍ତୁ ଏଥିରୁ ନିବୃତ୍ତ ରହିଥିଲା। ରାମଲୀଳା ମଇଦାନରେ କଂଗ୍ରେସ ପକ୍ଷରୁ ଆୟୋଜିତ ପ୍ରତିବାଦ ସଭାରେ ବିଭିନ୍ନ ଦଳର ନେତୃବୃନ୍ଦ ଯୋଗଦେଇଥିଲେ। ସଭାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିଜେପିକୁ ଟାର୍ଗେଟ୍‌ କରି କହିଥିଲେ, ଜାତି ଓ ଧର୍ମ ନାମରେ ବିଜେପି ଦେଶକୁ ଭାଗ ଭାଗ କରୁଛି। ତେଣୁ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇ ବିଜେପିକୁ କ୍ଷମତାଚ୍ୟୁତ କରିବା ଆବଶ୍ୟକ। ସେ କହିଛନ୍ତି, ପେଟ୍ରୋଲ୍‌ ଓ ଡିଜେଲ ଦର ବଢ଼ିଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୁପ୍‌ ରହିଛନ୍ତି। ଦେଶର ଚାଷୀମାନେ ଆତ୍ମହତ୍ୟା କରୁଥିବା ବେଳେ ମୋଦୀ ମୁହଁ ଖୋଲୁନାହାନ୍ତି। ସଭାରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଯୋଗଦେଇଥିଲା ବେଳେ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ନେତା ଅଂଶଗ୍ରହଣ କରିନଥିଲେ। ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ବରିଷ୍ଠ ନେତା ଅହମ୍ମଦ ପଟେଲ, ଗୁଲାମନବୀ ଆଜାଦ, ଅଶୋକ ଗେହଲଟ୍‌ ପ୍ରମୁଖ ପ୍ରତିବାଦ ସଭାରେ ଉପସ୍ଥିତ ଥିଲେ।
ବନ୍ଦକୁ ନେଇ କଂଗ୍ରେସ ଓ ବିଜେପି ପକ୍ଷରୁ ଭିନ୍ନ ମତପ୍ରକାଶ ପାଇଛି। କଂଗ୍ରେସର ଭାରତ ବନ୍ଦ ବିଫଳ ହୋଇଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି। କଂଗ୍ରେସ ଏଭଳି କରି ଦେଶରେ ଭୟର ବାତାବରଣ ସୃଷ୍ଟି କରୁଛି। ଫଳରେ ସାଧାରଣ ଲୋକ ହଇରାଣ ହେଉଛନ୍ତି ବୋଲି ଦଳ କହିଛି। ଅପରପକ୍ଷରେ କଂଗ୍ରେସ ନେତା ରଣଦୀପ ସୁର୍ଜେଓ୍ଵାଲା କହିଛନ୍ତି, ଭାରତ ବନ୍ଦ ଆଜି ସଫଳ ହୋଇଛି। ସରକାର ଏହାଦ୍ୱାରା ଚେତିଛନ୍ତି। ତେଣୁ ଖୁବ୍‌ଶୀଘ୍ର ତୈଳ ଦର କମାଇବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର