ଭାରତ ରତ୍ନ ବା ପଦ୍ମ ସମ୍ମାନକୁ ଏକ ଉପାଧି ଭାବେ ନିଜ ନାମର ଆରମ୍ଭରେ ବା ଶେଷରେ ବ୍ୟବହାର କରାଯାଇ ପାରିବ ନାହିଁ: ସରକାର

ନୂଆଦିଲ୍ଲୀ: ଭାରତ ରତ୍ନ ବା ପଦ୍ମ ସମ୍ମାନ ପରି ରାଷ୍ଟ୍ରୀୟ ସମ୍ମାନ ଦ୍ୱାରା ସମ୍ମାନିତ ହେଉଥିବା ବ୍ୟକ୍ତି ବିଶେଷମାନେ ସେମାନଙ୍କ ନାମର ଆରମ୍ଭ ବା ଶେଷରେ ଏହାକୁ ଏକ ସାଙ୍ଗିଆ ବା ଉପାଧି ଭାବେ ବ୍ୟବହାର କରି ପାରିବେ ନାହିଁ। ଯଦି କେହି ଏପରି କରୁଥିବାର ଦୃଷ୍ଟିଗୋଚର ହୁଏ, ତେବେ ସେମାନେ ସେମାନଙ୍କୁ ପ୍ରଦତ୍ତ ରାଷ୍ଟ୍ରୀୟ ସମ୍ମାନର ଅପବ୍ୟବହାର କରୁଛନ୍ତି ବୋଲି ବିବେଚନା କରାଯିବା ସହ ସେମାନଙ୍କ ଠାରୁ ପ୍ରଦତ୍ତ ସମ୍ମାନକୁ ପ୍ରତ୍ୟାହାର କରି ନିଆଯିବ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି।

ମଙ୍ଗଳବାର ଦିନ ସଂସଦର ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ହଂସରାଜ ଗଙ୍ଗାରାମ ଆହୀର କହିଛନ୍ତି ଯେ ଭାରତ ରତ୍ନ, ପଦ୍ମ ବିଭୂଷଣ, ପଦ୍ମ ଭୂୂଷଣ ଓ ପଦ୍ମ ଶ୍ରୀ ପରି ରାଷ୍ଟ୍ରୀୟ ସମ୍ମାନରେ ସମ୍ମାନିତ ହେଉଥିବା ବ୍ୟକ୍ତି ବିଶେଷମାନେ ସେମାନଙ୍କ ନାମର ଆରମ୍ଭରୁ ବା ଶେଷରେ ଏହାକୁ ଏକ ସାଙ୍ଗିଆ ବା ଉପାଧି ଭାବେ ବ୍ୟବହାର କରିବାର କୌଣସି ପ୍ରକାର ପ୍ରାବଧାନ ବା ବ୍ୟବସ୍ଥା ସମ୍ବିଧାନର ୧୮(୧) ଧାରାରେ ନାହିଁ। ଏ ପରିସ୍ଥିତିରେ ଯଦି କେହି ଏପରି କରୁଥିବାର ଦୃଷ୍ଟିଗୋଚର ହୁଏ, ତେବେ ସେମାନେ ସେମାନଙ୍କୁ ପ୍ରଦତ୍ତ ରାଷ୍ଟ୍ରୀୟ ସମ୍ମାନର ଅପବ୍ୟବହାର କରୁଛନ୍ତି ବୋଲି ବିବେଚନା କରାଯିବା ସହ ସେମାନଙ୍କ ଠାରୁ ପ୍ରଦତ୍ତ ସମ୍ମାନକୁ ପ୍ରତ୍ୟାହାର କରି ନିଆଯିବ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି।

ଏହି ଅବସରରେ ସୂଚନା ପ୍ରଦାନ କରି କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ହଂସରାଜ ଗଙ୍ଗାରାମ ଆହୀର କହିଛନ୍ତି ଯେ ୧୯୫୫ରେ ଏହି ରାଷ୍ଟ୍ରୀୟ ସମ୍ମାନ ପ୍ରଚଳନ ହେବା ପରଠାରୁ ଅଦ୍ୟାବଧି ୩୮ ଜଣଙ୍କୁ ଭାରତ ରତ୍ନ, ୩୦୭ ଜଣଙ୍କୁ ପଦ୍ମ ବିଭୂଷଣ, ୧୨୫୫ ଜଣଙ୍କୁ ପଦ୍ମ ଭୂଷଣ ଓ ୩୦୦୫ ଜଣଙ୍କୁ ପଦ୍ମ ଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି।

ସମ୍ବନ୍ଧିତ ଖବର