ଭୀମା କୋରେଗାଁଓ ହିଂସା ଘଟଣା: ଶୁଣାଣି ସ୍ଥଗିତ ରଖିଲେ ସୁପ୍ରିମ୍‌ କୋର୍ଟ; ୧୨ ତାରଖ ପର୍ଯ୍ୟନ୍ତ ଗୃହବନ୍ଦୀ ହୋଇ ରହିବେ ଗିରଫ ୫ ସାମାଜିକ କର୍ମୀ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଭୀମା କୋରେଗାଁଓ ହିଂସା ଘଟଣାରେ ସଂପୃକ୍ତି ଅଭିଯୋଗରେ ଗିରଫ ହୋଇଥିବା ୫ ଜଣ ସାମାଜିକ କର୍ମୀଙ୍କ ଗିରଫଦାରୀ ବିରୋଧରେ ସୁପ୍ରିମ୍‌ କୋର୍ଟରେ ଆଗତ ହୋଇଥିବା ମାମଲାର ଶୁଣାଣିକୁ ସୁପ୍ରିମ୍‌ କୋର୍ଟ ଆଜି ଆସନ୍ତା ବୁଧବାର (ସେପ୍ଟେମ୍ବର ୧୨) ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ତେବେ, ସେ ପର୍ଯ୍ୟନ୍ତ ପୁଲିସ୍‌ ଗିରଫ କରିଥିବା ସାମାଜିକ କର୍ମୀ ସୁଧା ଭରଦ୍ୱାଜ, ଗୌତମ ନାଭଲଖା, ବାରବରା ରାଓ, ଭେରନନ୍‌ ଗୋଞ୍ଜାଲଭେସ୍‌ ଓ ଅରୁଣ ଫରେରିଆଙ୍କୁ ବିଚାର ବିଭାଗୀୟ ହାଜତକୁ ନପଠାଇ ସେମାନଙ୍କ ନିଜ ନିଜ ଘର ମଧ୍ୟରେ ଗୃହବନ୍ଦୀ କରି ରଖିବ ବୋଲି ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହ ଏହି ମାମଲାର ବିଚାର କରୁଥିବା ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ୍‌ ଡି ଓ୍ଵାଇ ଚନ୍ଦ୍ରଚୂଡ଼ ଆଜିର ଶୁଣାଣି କାଳରେ ମହାରାଷ୍ଟ୍ର ପୁଲିସ୍‌ ପ୍ରଶାସନ ଉପରେ ନିଜର ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସଂପ୍ରତି ଏହି ମାମଲା ସୁପ୍ରିମ୍‌ କୋର୍ଟଙ୍କ ବିଚାରାଧୀନ ଥିବା ବେଳେ ମହାରାଷ୍ଟ୍ର ପୁଲିସ୍‌ର ଆସିଷ୍ଟାଣ୍ଟ ପୁଲିସ୍‌ କମିଶନର ଯେପରି ଭାବେ ସମ୍ବାଦିକ ସମ୍ମିଳନୀ ଆୟୋଜିତ କରି ସୁପ୍ରିମ୍‌ କୋର୍ଟଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କଲେ ତାହାର ନିନ୍ଦା କରିଛନ୍ତି, ସୁପ୍ରିମ୍‌ କୋର୍ଟ ବିଚାରପତି ଜଷ୍ଟିସ୍‌ ଡି ଓ୍ଵାଇ ଚନ୍ଦ୍ରଚୂଡ଼।

ସମ୍ବନ୍ଧିତ ଖବର