ମୁଁ ନଳା ସଫା କରିବାକୁ ସାଂସଦ ହୋଇ ନାହିଁ : ସାଧ୍ୱୀ ପ୍ରଜ୍ଞା

ଭୋପାଲ : ମଧ୍ୟପ୍ରଦେଶର ଭୋପାଳରୁ ବିଜେପି ସାଂସଦ ଥିବା ସାଧ୍ୱୀ ପ୍ରଜ୍ଞା ଠାକୁର ପ୍ରାର୍ଥୀ ହେବା ପରଠାରୁ ବିବାଦରେ ରହି ଆସିଛନ୍ତି । ମାଲେଗାଓଁ ବିସ୍ଫୋରଣ ହେଉ ବା ନିର୍ବାଚନ ପ୍ରଚାର ସମୟରେ ନଥୁରାମ ଗୋଡସେଙ୍କୁ ଦେଶଭକ୍ତ ବୋଲି କହିବା ହେଉ, ନିଜର ମନ୍ତବ୍ୟ ପାଇଁ ବିବାଦର ଶିକାର ହୋଇଥିଲେ ପ୍ରଜ୍ଞା ଠାକୁର । ଏବେ ସାଂସଦ ହେବା ପରେ ସେ ପୁଣି ଥରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ମଧ୍ୟପ୍ରଦେଶର ଏକ ବୈଠକରେ ଯୋଗ ଦେଇ ମୁଁ ଆପଣଙ୍କ ଶୌଚାଳୟ ଓ ନଳା ସଫା କରିବାକୁ ସାଂସଦ ହୋଇ ନାହିଁ ବୋଲି କହିଛନ୍ତି । ଯାହାକୁ ନେଇ ବିବାଦ ଆରମ୍ଭ ହୋଇ ଯାଇଛି ।

ସୂଚନା ମୁତାବକ, ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସିହୋରରେ ପହଞ୍ଚିଥିଲେ ପ୍ରଜ୍ଞା । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ, ମୋତେ ଆପଣମାନଙ୍କ ନଳା ଓ ଶୌଚାଳୟ ସଫଳ କରିବା ପାଇଁ ସାଂସଦ କରାଯାଇ ନାହିଁ । ଯେଉଁ କାମ ପାଇଁ ମୋତେ ସାଂସଦ କରାଯାଇଛି, ମୁଁ ସେହି କାମ ଭଲ ଭାବରେ କରିବି ବୋଲି ପ୍ରଜ୍ଞା ଠାକୁର କହୁଥିବା ଦେଖା ଯାଇଛି । ତାଙ୍କର ଏଭଳି ଜବାବ ପରେ ଉପସ୍ଥିତ ଲୋକେ ତାଳି ମଧ୍ୟ ମାରୁଥିବା ଦେଖାଯାଇଛି ।

ସମ୍ବନ୍ଧିତ ଖବର