ବିଏଚୟୁ ହିଂସାକାଣ୍ଡ: ନିଜକୁ ଦାୟୀକରି ମୁଖ୍ୟ ପ୍ରୋକ୍ଟରଙ୍କ ଇସ୍ତଫା

ବାରାଣାସୀ : ବିଏଚୟୁ (ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ)ରେ ଘଟିଥିବା ହିଂସାକାଣ୍ଡ ପାଇଁ ଆଜି ବିଶ୍ୱବିଦ୍ୟାଳୟର ମୁଖ୍ୟ ପ୍ରୋକ୍ଟର (ଶୃଙ୍ଖଳା ରକ୍ଷାକାରୀ ପଦସ୍ଥ କର୍ମଚାରୀ) ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ହିଂସାକାଣ୍ଡ ପାଇଁ ନୈତିକତା ଦୃଷ୍ଟିକୋଣରୁ ନିଜକୁ ଦାୟି କରି ବିଏଚୟୁ ମୁଖ୍ୟ ପ୍ରୋକ୍ଟର ଓଏନ ସିଂ ଭାଇସ-ଚାନ୍ସେଲର ଗିରିଶ ଚନ୍ଦ୍ର ତ୍ରିପାଠୀଙ୍କୁ ତାଙ୍କ ଇସ୍ତଫା ପତ୍ର ଦେଇଛନ୍ତି। ଗିରିଶ ମଧ୍ୟ ଓଏନ ସିଂଙ୍କ ଇସ୍ତଫା ପତ୍ର ଗହଣ କରିଥିବା ବିଏଚୟୁ ପ୍ରବକ୍ତା ଡକ୍ଟର ରାଜେଶ ସିଂହ କହିଛନ୍ତି। ବିଏଚୟୁ କ୍ୟାମ୍ପସରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ବିଦ୍ୟାର୍ଥୀମାନେ ବିକ୍ଷୋଭ ପ୍ରଦର୍ଶନ କରି ଆନ୍ଦୋଳନ କରିଥିଲେ। ପରେ ଏହି ଆନ୍ଦୋଳନକୁ ବିରୋଧ କରି ପୁଲିସ ଲାଠିଚାର୍ଜ କରିବାରୁ ଅନେକ ବିଦ୍ୟାର୍ଥୀ ଆହତ ହେବା ସହ ଆନ୍ଦୋଳନ ଅତି ଉଗ୍ର ରୂପ ଧାରଣ କରିଥିଲା। ପୀଡିତା ଜଣକ ଅଭିଯୋଗ ଆଣିଥିଲେ ଯେ ସେ ବିଏଚୟୁ ମୁଖ୍ୟ ପ୍ରୋକ୍ଟରଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ସେ କିମ୍ବା ସୁରକ୍ଷାକର୍ମୀ ତାଙ୍କ ଅଭିଯୋଗକୁ ଆଦୌ ସଠିକ୍‌ ଭାବେ ଗ୍ରହଣ କରିନଥିଲେ।

କିନ୍ତୁ ପ୍ରୋକ୍ଟର କହିଛନ୍ତି ଯେ ସେ ତାଙ୍କ ଅଭିଯୋଗ ଶୁଣିବା ସହ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିଥିଲେ। ଗତକାଲି ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯିବାପରେ ଘଟଣା ସମ୍ପର୍କରେ ଜାତୀୟ ମାନବିକ ଅଧିକାର କମିସନ ଉତ୍ତରପ୍ରଦେଶ ଡିଜିପି ଏବଂ ବିଏଚୟୁ ଭାଇସ-ଚାନ୍ସେଲରଙ୍କଠୁ ରିପୋର୍ଟ ମାଗିଛନ୍ତି। ବିଏଚୟୁ ହିଂସାକାଣ୍ଡ ଉପରେ ଏକ ଉଚ୍ଚ ସ୍ତରୀୟ ରିପୋର୍ଟରୁ ଜଣାଯାଇଛି ଯଦି ସଠିକ୍‌ ସମୟରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବିଏଚୟୁ ମହିଳା ବିଦ୍ୟାର୍ଥୀଙ୍କ ଆନ୍ଦୋଳନ ବାବଦରେ ସେମାନଙ୍କ ସହ ଆଲୋଚନା କରି ସଠିକ୍‌ ପଦକ୍ଷେପ ନେଇଥାନ୍ତେ ତେବେ ଏତେବଡ଼ ହିଂସାକାଣ୍ଡ ହୋଇନଥାନ୍ତା। ବିଏଚୟୁ ଭାଇସ-ଚାନ୍ସେଲର ମଧ୍ୟ ଗତକାଲି ବିଏଚୟୁ ହିଂସାକାଣ୍ଡର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଅଧିକାଂଶ ବିଦ୍ୟାର୍ଥୀ ଏବେ ବିଶ୍ୱବିଦ୍ୟାଳୟ ଛାଡ଼ି ଘରକୁ ପଳାଇଥିବାରୁ ବିଶ୍ୱବିଦ୍ୟାଳୟରେ ଏବେ ଶାନ୍ତି ଫେରିଛି।

ସମ୍ବନ୍ଧିତ ଖବର