‘ଜାତୀୟ ସୁରକ୍ଷା ପ୍ରତି ବଡ଼ ବିପଦ ଆଧାର’: ସୁବ୍ରମଣ୍ୟମ୍ ସ୍ୱାମୀ
ସବିଶେଷ ଉଲ୍ଲେଖ କରି ଚିଠି ଲେଖିବେ ପ୍ରଧାନମନ୍ତ୍ରୀଙ୍କୁ
ନୂଆଦିଲ୍ଲୀ: ଆଧାରକୁ ନେଇ ଦେଶରେ ଏବେ ବହୁ ବାଦ ବିବାଦ ଚାଲିଥିବା ବେଳେ ଆଜି ଏଥିରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ୍ ସ୍ୱାମୀ। ବିଜେପି ସାଂସଦ ଶ୍ରୀ ସ୍ୱାମୀ ଆଜି ଖୋଲାଖୋଲି ଭାବେ ଅଭିଯୋଗ କରି କହିଛନ୍ତି ଯେ ଜାତୀୟ ସୁରକ୍ଷା କ୍ଷେତ୍ରରେ ଆଧାର ହେଉଛି ଏକ ବିରାଟ ବଡ଼ ବିପଦ। ଖାଲି ଏତିକି ନୁହେଁ, ଏ ସଂପର୍କରେ ଟୁଇଟ୍ କରି ସେ କହିଛନ୍ତି ଯେ ସବୁ କ୍ଷେତ୍ରରେ ଆଧାର ସଂଯୋଗକୁ ବାଧ୍ୟତାମୂଳକ କରାଯିବା ଦ୍ୱାରା ଦେଶର ସୁରକ୍ଷା କିପରି ବିପନ୍ନ ହେଉଛି ଏବଂ ଜାତୀୟ ସୁରକ୍ଷା ପ୍ରତି କିପରି ବିପଦ ସୃଷ୍ଟି ହେଉଛି, ସେସଂପର୍କରେ ସବିଶେଷ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୁବ୍ଶୀଘ୍ର ସେ ଏକ ପତ୍ର ଲେଖିବେ। ଏଥିସହ ଶ୍ରୀ ସ୍ୱାମୀ ଆଶାବ୍ୟକ୍ତ କରିଛନ୍ତି ଯେ ଆଗାମୀ ଦିନରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍ କୋର୍ଟର ପାଞ୍ଚ ଜଣିଆ ସମ୍ବିଧାନ ପୀଠ ଯେତେବେଳେ ଆଧାରର ସଂଯୋଗୀକରଣ ବାବଦରେ ବିଚାର କରିବେ, ସେତେବେଳେ ସେମାନେ ଏସବୁ ସତ୍ୟତାକୁ ଉପଲବ୍ଧି କରି ଏହାକୁ ନିଶ୍ଚିତ ରୂପେ ଖାରଜ କରିଦେବେ।
Sambad is now on WhatsApp
Join and get latest news updates delivered to you via WhatsApp
I am writing a letter soon to PM detailing how compulsory Aadhar is a threat to our national security. SC will I am sure strike it down.
— Subramanian Swamy (@Swamy39) October 31, 2017
ଉଲ୍ଲେଖଯୋଗ୍ୟ, ଆଧାର ସଂଯୋଗୀକରଣକୁ ସବୁ କ୍ଷେତ୍ରରେ ବାଧ୍ୟତାମୂଳକ କରିବା ପାଇଁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତିକୁ ବିରୋଧ କରି, ଏହାକୁ ବାତିଲ କରିବା ପାଇଁ ସୁପ୍ରିମ୍ କୋର୍ଟରେ ଶତାଧିକ ମାମଲା ଆଗତ ହୋଇଛି। ଏସମସ୍ତ ମାମଲାଗୁଡ଼ିକୁ ଏକତ୍ର କରି ସୁପ୍ରିମ୍ କୋର୍ଟର ୫ଜଣ ବିଚାରପତିଙ୍କୁ ନେଇ ଗଠିତ ଏକ ସମ୍ବିଧାନ ପୀଠ ନଭେମ୍ବର ଶେଷ ସପ୍ତାହରୁ ଏହାର ବିଚାର ଆରମ୍ଭ କରି ଏସଂପର୍କରେ ସେମାନଙ୍କର ଚୂଡ଼ାନ୍ତ ରାୟ ଘୋଷଣା କରିବେ ବୋଲି ଗତକାଲି ସୁପ୍ରମ୍ କୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ ଖଣ୍ଡପୀଠ ନିଷ୍ପତ୍ତି ଘୋଷଣା କରିଥିଲେ। ତେବେ, ସୁପ୍ରିମ୍ କୋର୍ଟଙ୍କ ଏ ନିଷ୍ପତ୍ତି ଘୋଷଣାର ଦିନକ ପରେ ବିଜେପିର ଫାୟାରବ୍ରାଣ୍ଡ୍ ନେତା ତଥା ସାଂସଦ ସୁବ୍ରମଣ୍ୟମ୍ ସ୍ୱାମୀଙ୍କ ଏପ୍ରକାର ଟୁଇଟ୍ ଆଧାରକୁ ନେଇ ସଂପ୍ରତି ଚାଲିଥିବା ବିବାଦ ଓ ବିତର୍କକୁ ଏକ ନୂତନ ଖୋରାକ ଯୋଗାଇଛି।