ସିଆରପିଏଫ୍ ବସ୍ ଉପରେ ଆତଙ୍କବାଦୀ ଆକ୍ରମଣରେ ସହିଦ ସଂଖ୍ୟା ୪୨ ହେଲା; ଉରି ପରେ ସବୁଠାରୁ ବଡ଼ ଆକ୍ରମଣ

ଶ୍ରୀନଗର : ଆଜି ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷାବାହିନୀ ଉପରେ ହୋଇଥିବା ବଡ଼ଧରଣର ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ସଂଖ୍ୟା ୪୨ ରେ ପହଞ୍ଚିଥିବା ସୂଚନା ମିଳିଛି ।  ଆଗକୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି । ଆତଙ୍କବାଦୀ ସଂଗଠନ  ଜୈସ ଇ ମହମ୍ମଦ ସଂଗଠନର ଏକ ଶାଖା ସଂଗଠନ ଜୈସ ଅଲ ଆଦିଲ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ।

ସିଆରପିଏଫ ଯବାନମାନଙ୍କୁ ନେଇ ୭୦ଟି ବସ ଶ୍ରୀନଗର-ଜାମ୍ମୁ ହାଇୱେରେ ଯାଉଥିବା ବେଳେ ହଠାତ ଏକ ବିସ୍ଫୋରକ ଭରା ଗାଡ଼ି ସିଧା ଆସି ଦୁଇଟି ସିଆରପିଏଫ ବସକୁ ଧକ୍କା ଦେଇଥିଲା । ଏହାପରେ ବଡ ଧରଣର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ସିଆରପିଏଫ ବସ ସମ୍ପୂର୍ଣ୍ଣ ଭାବରେ ଜଳିଯାଇଥିଲା ।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜାମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଓ ଓମାର ଓବଦୁଲ୍ଲା ଏହି ଘଟଣାର ନିନ୍ଦା କରିଛନ୍ତି । ସିଆରପିଏଫର ୫୪ ବାଟାଲିୟନର ଏକ ବସ ଯବାନମାନଙ୍କୁ ନେଇ ଜମ୍ମୁରୁ ଶ୍ରୀନଗର ଯାଉଥିବାବେଳେ ଅଓ୍ଵନ୍ତିପୁରା ନିକଟରେ ଆତଙ୍କବାଦୀମାନେ ବିସ୍ଫୋରକ ଭରା ଏକ କାରକୁ ଏହି ବସ ସହିତ ଧକ୍କା ଦେଇଥିଲେ । ପୁଲିସ ସୂତ୍ରରୁ ପ୍ରକାଶ ଯେ ଅପରାହ୍ନ ୩ଟା୩୦ ବେଳେ ଏହି ଘଟଣା ଘଟିଥିଲା ।

ଏହି ଘଟଣା ପରେ ଭାରତରେ କଡା ପ୍ରତିକ୍ରିୟା ଦେଖିବାକୁ ମିଳିଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଘଟଣାକୁ ନିନ୍ଦା କରାଯାଇଛି । କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ଭାରତୀୟ ସେନାଧ୍ୟକ୍ଷ ବି.କେ ସିଂହ ଏହି ଘଟଣା ପରେ ଆତଙ୍କବାଦୀଙ୍କୁମାନଙ୍କୁ କଡା ଜବାବ ଦିଆଯିବ ବୋଲି କହିଛନ୍ତି । ସହିଦଙ୍କ ପ୍ରତିଟି ରକ୍ତବିନ୍ଦୁର ହିସାବ ନିଆଯିବା ସହ ଆତଙ୍କୀ ହମଲାର ପ୍ରତିଶୋଧ ନିଆଯିବ । ସହିଦଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି କହିଛନ୍ତି ବି.କେ ସିଂହ ।

କେମିତି ହୋଇଥିଲା ଆକ୍ରମଣ : ଜମ୍ମୁ-କାଶ୍ମୀରର ଶ୍ରୀନଗର ଅଭିମୁଖେ  ସିଆରପିଏଫର ଯବାନମାନେ ୭୦ରୁ ଅଧିକ ବସରେ ୨୫୪୭ଜଣ ଯବାନ ଏକ ଟ୍ରାଂଜିଟ କ୍ୟାମ୍ପରୁ  ଯାଉଥିବା ବେଳେ ପୁଲୱାମାର ଅଓ୍ଵନ୍ତିପୁରା ଅଞ୍ଚଳରେ ଆତଙ୍କବାଦୀମାନେ ଅତର୍କିତ ଆକ୍ରମଣ କରିଥିଲେ । ଏହି ସମୟରେ ସିଆରପିଏଫର ଦୁଇଟି ବସକୁ ଟାର୍ଗେଟ କରିଥିଲେ ଆତଙ୍କବାଦୀ । ସିଆରପିଏଫ ଯବାନଙ୍କ ବସ୍ ସହ ଆଇଇଡି ବିସ୍ଫୋରକ ଭର୍ତ୍ତି ହୋଇଥିବା ଏକ ମହିନ୍ଦ୍ରା ସ୍କର୍ପିଓକୁ  ଧକ୍କା କରିଥିଲେ ଆତଙ୍କବାଦୀ । ଏଥିରେ ୩୫୦ କିଲୋ ବିସ୍ଫୋରକ ଲଦାଯାଇଥିବା ଜଣାପଡିଛି । ଫଳରେ ଘଟଣାସ୍ଥଳରେ ବଡ ଧରଣର ବିସ୍ଫୋରଣ ହେବା ସହ ୩୦ ଜଣ ଯବାନ ସହିଦ ହୋଇଥିଲେ । ମିିଳିଥିବା ରିପୋର୍ଟ ଅନୁସାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ସିଆରପିଏଫ ବସରେ ୩୯ଜଣ ଯବାନ ଯାତ୍ରା କରୁଥିଲେ ।

ସମ୍ବନ୍ଧିତ ଖବର