ବିହାର ବୋର୍ଡର ବିଚିତ୍ର ନିୟମ: ହିନ୍ଦୀରେ ୭୯ ନମ୍ବର ରଖି ବି ଛାତ୍ର ଫେଲ

ପାଟନା: ବିହାର ସ୍କୁଲ ଏକ୍ସାମିନେସନ୍‌ ବୋର୍ଡ (ବିଏସ୍‌ଇବି) ଜଣେ ୧୦ମ ଶ୍ରେଣୀ ଛାତ୍ର ହିନ୍ଦୀ ପରୀକ୍ଷାରେ ୭୯ ନମ୍ବର ରଖିଥିଲେ ସୁଦ୍ଧା ତାଙ୍କୁ ଫେଲ ବୋଲି ଘୋଷଣା କରିଥିଲେ। ଉକ୍ତ ଛାତ୍ର ଜଣକ ଏହାପରେ ସୂଚନା ଅଧିକାର ଅଧିନିୟମ (ଆରଟିଆଇ)ଅନୁଯାୟୀ ପରୀକ୍ଷା ଖାତାର ନକଲ ପାଇଁ ଆବେଦନ କରିଥିଲେ। ଏହାପରେ ସେ ଜାଣିବାକୁ ପାଇଥିଲେ କି ତାଙ୍କର ହିନ୍ଦୀ ପରୀକ୍ଷାରେ ୨ଅଙ୍କ ପରିବର୍ତ୍ତେ ୭୯ ନମ୍ବର ରହିଥିଲା।

୧୦ମ ଶ୍ରେଣୀର ଛାତ୍ର ଧନଞ୍ଜୟ କୁମାର ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି, ସେ ଆଇଆଇଟିରେ ପ୍ରବେଶ କରିବାକୁ ଚାହୁଁଥିଲେ। ସେ ଯେତେବେଳେ ଜାଣିଲେ କି, ହିନ୍ଦୀ ପରୀକ୍ଷାରେ ମାତ୍ର ୨ ନମ୍ବର ରଖିଛନ୍ତି ଓ ଅସଫଳ ରହିଛନ୍ତି, ତାଙ୍କର ସ୍ୱପ୍ନ ସବୁ ଭାଙ୍ଗି ଚୁରମାର ହୋଇଯାଇଥିଲା। କେବଳ ଏତିକି ନୁହେଁ, ସେ ଆତ୍ମହତ୍ୟା କରିବେ ବୋଲି ବି ସ୍ଥିର କରି ଦେଇଥିଲେ କିନ୍ତୁ ପରିବାର ଲୋକଙ୍କ ପରାମର୍ଶ କ୍ରମେ ଆରଟିଆଇ ଜରିଆରେ ପରୀକ୍ଷା ଖାତାର ନକଲ ପାଇଁ ଆବେଦନ କରିଥିଲେ ଏବଂ ତାଙ୍କର ବାସ୍ତବ ନମ୍ବର ଜାଣିଥିଲେ।

ଧନଞ୍ଜୟଙ୍କ ଭାଇ କହନ୍ତି, ଧନଞ୍ଜୟ ୧୦ମ ଶ୍ରେଣୀ ପରୀକ୍ଷାରେ ୮୪.୨ ପ୍ରତିଶତ ଅର୍ଥାତ ମୋଟ ୫୦୦ରୁ ୪୨୧ ନମ୍ବର ହାସଲ କରିଥିଲା। ନମ୍ବର ସଂଶୋଧନ ପୂର୍ବରୁ ଧନଞ୍ଜୟର ହିନ୍ଦୀ ପରୀକ୍ଷାରେ ୭୯ ମାର୍କ ପରିବର୍ତ୍ତେ ମାତ୍ର ୨ ନମ୍ବର ଥିଲା। ଅଧିକାରୀମାନେ ସଠିକ୍‌ ଭାବେ ଖାତା ନ ଦେଖି ଥିବା ଅଭିଯୋଗ ନେଇ ଆମେ ଛଅମାସ ନମ୍ବର ସଂଶୋଧନ ପାଇଁ ଦୌଡ଼ିଥିଲୁ ହେଲେ କୌଣସି ଲାଭ ମିଳି ନଥିଲା ।

ବିହାର ବୋର୍ଡର ଏଭଳି ଆଉ ଏକ ମାମଲା ଅକ୍ଟୋବର ମାସରେ ଆସିଥିଲା। ଜଣେ ଛାତ୍ର ସଂସ୍କୃତରେ ୧୦୦ନମ୍ବରରୁ ୯ ଓ ବିଜ୍ଞାନରେ ୮୦ରୁ ୨୯ ନମ୍ବର ରଖିଥିବା ନେଇ ବିହାର ବୋର୍ଡ ରିପୋର୍ଟ ଦେଇଥିଲା। ଉକ୍ତ ଛାତ୍ରଙ୍କ ନମ୍ବର ସଂଶୋଧନ ପରେ ତାଙ୍କର ବାସ୍ତବରେ ସଂସ୍କୃତରେ ୮୦ ଓ ବିଜ୍ଞାନରେ ୬୧ ନମ୍ବର ରଖିଥିଲା ବୋଲି ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର