ବିହାର ଗୋଖାଦ୍ୟ ଦୁର୍ନୀତି : ଚତୁର୍ଥ ମାମଲାରେ ବି ଦୋଷୀ

ଜଗନ୍ନାଥ ମିଶ୍ର ନିର୍ଦ୍ଦୋଷରେ ଖଲାସ

ରାଞ୍ଚି: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଆଜି ଗୋଖାଦ୍ୟ ଦୁର୍ନୀତିର ଚତୁର୍ଥ ମାମଲାରେ ରାଞ୍ଚିର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଆସନ୍ତା ୨୧, ୨୨ ଏବଂ ୨୩ ତାରିଖରେ ଅଦାଲତ ଏଥିପାଇଁ ଦଣ୍ଡାଦେଶ କରିବେ ବୋଲି ଜଣାଯାଇଛି। ଅପରପକ୍ଷେ, ଏହି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ର ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଏହି ମାମଲାରେ ମୋଟ ୩୧ ଜଣ ଅଭିଯୁକ୍ତ ଥିବା ବେଳେ କୋର୍ଟ ଆଜି ଲାଲୁଙ୍କ ସମେତ ୧୯ ଜଣଙ୍କୁ ଦୋଷୀ କରିଥିବା ବେଳେ ଜଗନ୍ନାଥ ମିଶ୍ରଙ୍କ ସମେତ ୧୨ ଜଣଙ୍କୁ ଦୋଷମୁକ୍ତ କରିଛନ୍ତି।
ସୂଚନାଯୋଗ୍ୟ, ୧୯୯୫ ଡିସେମ୍ବରରୁ ୧୯୯୬ ଜାନୁଆରି ମଧ୍ୟରେ ଲାଲୁ ବିହାର ମୁଖ୍ୟମନ୍ତ୍ରୀ ଥିବା ସମୟରେ ଦୁମ୍‌କା ଟ୍ରେଜେରିରୁ ବେଆଇନ ଭାବେ ୩.୭୬ କୋଟି ଟଙ୍କା ଉଠାଣ ହୋଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାର ଶୁଣାଣି ଗତ ୫ ତାରିଖରେ ସରିଥିଲେ ହେଁ ରାୟ ପ୍ରକାଶ ପାଇଁ ୪ ଥର ତାରିଖ ଘୁଞ୍ଚାଯାଇଛି। ଶେଷରେ ଆଜି ବିଚାରପତି ଶୁଭପାଲ ସିଂହ ରାୟ ଶୁଣାଇବା ବେଳେ ମଧ୍ୟ ଲାଲୁ କୋର୍ଟରେ ଉପସ୍ଥିତ ନଥିଲେ। ଲାଲୁ ହସ୍ପିଟାଲ୍‌ରୁ ସିଧାସଳଖ କୋର୍ଟରେ ଆସି ପହଞ୍ଚିଥିବା ବେଳେ ସେତେବେଳକୁ ରାୟ ପ୍ରକାଶ ସରିଥିଲା। ଗୋଖାଦ୍ୟ ଦୁର୍ନୀତି ସଂକ୍ରାନ୍ତ ମୋଟ ୬ଟି ମାମଲାରେ ଲାଲୁ ଅଭିଯୁକ୍ତ ଥିବା ବେଳେ ଅଦ୍ୟାବଧି ୪ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇସାରିଛନ୍ତି। ପ୍ରଥମ ମାମଲାରେ ଲାଲୁ ୨୦୧୩ ମସିହାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ ଯାଇଥିଲେ। ଦ୍ୱିତୀୟ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଏବେ ରାଞ୍ଚିସ୍ଥିତ ବିର୍ସା ମୁଣ୍ଡା ଜେଲ୍‌ରେ ସାଢ଼େ ତିନି ବର୍ଷର କାରାବାସ ଭୋଗୁଛନ୍ତି। ଗତ ଜାନୁଆରି ୨୪ରେ ତାଙ୍କୁ ତୃତୀୟ ମାମଲାରେ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଥିବା ବେଳେ ଆଜି ଚତୁର୍ଥ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ସମ୍ବନ୍ଧିତ ଖବର