ବିହାର: ଘରେ ଶୋଇଥିବା ବେଳେ ଅନୁଶାସନ ସଚିବଙ୍କୁ ଗୁଳି କରି ହତ୍ୟା କଲେ ଅଜ୍ଞାତ ଆତତାୟୀ

ପାଟନା (ବିହାର): ବିହାର ରାଜ୍ୟ ସରକାରଙ୍କର ଯୋଜନା ବିଭାଗରେ ଅନୁଶାସନ ସଚିବ (ଅଣ୍ଡର ସେକ୍ରେଟାରି) ରାଜୀବ କୁମାରଙ୍କୁ କେତେକ ଅଜ୍ଞାତ ଆତତାୟୀ ଆଜି (ମଙ୍ଗଳବାର) ପ୍ରତ୍ୟୁଷରେ ତାଙ୍କ ଘର ଭିତରେ ଗୁଳି କରି ହତ୍ୟା କରିଛନ୍ତି। ଏହି ଘଟଣା ଏବେ ସମଗ୍ର ବିହାରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଅଜ୍ଞାତ ଆତତାୟୀଙ୍କ ଗୁଳିରେ ପ୍ରାଣ ହରାଇଥିବା ରାଜୀବ କୁମାର ବିହାର ସଚିବାଳୟରେ ଯୋଜନା ବିଭାଗର ଅନୁଶାସନ ସଚିବ ରୂପେ ଅବସ୍ଥାପିତ ଥିଲେ। ରାଜୀବ କୁମାରଙ୍କ ଉପରେ ଅଜ୍ଞାତ ଆତତାୟୀମାନେ ଗୁଳିଚାଳନା କରିବା ପରେ ତାଙ୍କୁ ସଙ୍ଗେ ସଙ୍ଗେ ପାଟନାର ରୁବାନ ମେମୋରିଆଲ ହସ୍ପିଟାଲକୁ ସ୍ଥାନାନ୍ତର କରା ଯାଇଥିଲା। ହେଲେ, ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଘଟଣା ସଂପର୍କରେ ଖବର ପାଇବା ପରେ ବିହାର ପୁଲିସ୍‌ର ଏକ ସ୍ୱତନ୍ତ୍ର ଟିମ୍‌ ସଙ୍ଗରେ ଫୋରେନ୍‌ସିକ୍‌ ବିଶେଷଜ୍ଞ ଦଳ ଓ ସନ୍ଧାନୀ କୁକୁରକୁ ଧରି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ସୁଦ୍ଧା ଅଜ୍ଞାତ ଆତତାୟୀ ସଂପର୍କରେ କୌଣସି ପ୍ରକାରର ସୂଚନା ପାଇପାରି ନାହାନ୍ତି। କିଏ, କାହିଁକି ଓ କେଉଁ ଉଦ୍ଦେଶ୍ୟରେ ରାଜୀବ କୁମାରଙ୍କୁ ହତ୍ୟା କଲେ, ତାହା ବର୍ତ୍ତମାନ ସୁଦ୍ଧା ସନ୍ଦେହ ଘେରରେ ରହିଥିବା ବେଳେ, ତଦନ୍ତକାରୀ ପୁଲିସ୍‌ ରାଜୀବ କୁମାରଙ୍କ ଘରକୁ କୌଣସି ଚୋର ଚୋରି କରିବାକୁ ଆସିଥିବା ବେଳେ ତାଙ୍କୁ ଗୁଳି କରି ହତ୍ୟା କରିଥିବା ସନ୍ଦେହ କରୁଛି।

ସମ୍ବନ୍ଧିତ ଖବର