ବିହାର ଆଶ୍ରୟସ୍ଥଳ ଦୁଷ୍କର୍ମ ମାମଲା :ଅଡିଟ୍‌ ରିପୋର୍ଟ ଚାପିଥିବା ୧୪ ଅଧିକାରୀ ନିଲମ୍ବିତ

ପାଟ୍‌ନା: ବିହାର ଆଶ୍ରୟସ୍ଥଳ ଦୁଷ୍କର୍ମ ମାମଲାରେ ଆଜି ୧୪ ଅଧିକାରୀ ନିଲମ୍ବିତ ହୋଇଛନ୍ତି। ଆଶ୍ରୟସ୍ଥଳ ଦୁଷ୍କର୍ମ ମାମଲା ନେଇ ସେମାନଙ୍କୁ ସୂଚନା ମିଳିଥିଲେ ମଧ୍ୟ ସେମାନେ ଏଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ସେମାନଙ୍କୁ ନିଲମ୍ବିତ କରାଯାଇଛି। ଜଣାଯାଇଛି ଯେ ଏକ ସ୍ୱାଧୀନ ସଂସ୍ଥା ଦ୍ୱାରା ପ୍ରସ୍ତୁତ ହୋଇଥିବା ଏକ ରିପୋର୍ଟକୁ ବିହାର ଶିଶୁ ବିଭାଗର ୧୪ ଜଣ ଅଧିକାରୀ ଦବାଇ ଦେଇଛନ୍ତି। ଏନେଇ ସେମାନଙ୍କ ନିକଟରେ ଖବର ଥିଲେ ମଧ୍ୟ ସେମାନେ ସଠିକ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। ତେଣୁ ଶିଶୁ ସୁରକ୍ଷା ବିଭାଗର ୬ ଆସିଷ୍ଟାଣ୍ଟ୍‌ ଡାଇରେକ୍ଟରଙ୍କ ସମେତ ସମୁଦାୟ ୧୪ ଜଣଙ୍କୁ ନିଲମ୍ବିତ କରାଯାଇଛି। ଉକ୍ତ ଅଧିକାରୀମାନେ ମୁଜାଫରପୁର, ମୁଙ୍ଗେର, ଆରାରିଆ, ମଧୁବନି, ଭାଗଲପୁର ଏବଂ ଭୋଜପୁର ଜିଲ୍ଲାର ବୋଲି ଜଣାପଡ଼ିଛି।
ନୀତୀଶଙ୍କ ‘କନ୍ୟା ଉତ୍‌ଥାନ ଯୋଜନା’
ବିହାର ମୁଜାଫରପୁର ଆଶ୍ରୟସ୍ଥଳ ଦୁଷ୍କର୍ମ ଘଟଣାରେ ବିରୋଧୀ ଦଳଗୁଡ଼ିକ ସରକାରକୁ ଘେରିଥିବା ବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କନ୍ୟାମାନଙ୍କ ସୁରକ୍ଷା ପାଇଁ ‘ମୁଖ୍ୟମନ୍ତ୍ରୀ କନ୍ୟା ଉତ୍‌ଥାନ ଯୋଜନା’ ଆରମ୍ଭ କରିଛନ୍ତି। ଏହି ସ୍କିମ୍‌ରେ ଝିଅ ଜନ୍ମ ହେବାଠାରୁ ସ୍ନାତକ ହାସଲ ପର୍ଯ୍ୟନ୍ତ ସରକାର ମୋଟ ୫୪,୧୦୦ ଟଙ୍କା ଯୋଗାଇଦେବେ ବୋଲି ଘୋଷଣା କରିଛନ୍ତି। ଏହି ସ୍କିମ୍‌ ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମାଜିକ ଉନ୍ନୟନ ବିଭାଗ ଦ୍ୱାରା ମିଳିତ ଭାବେ ପରିଚାଳିତ ହେବ। ଅନ୍ୟପକ୍ଷରେ ରାଜ୍ୟରେ ଥିବା ଆଶ୍ରୟସ୍ଥଳଗୁଡ଼ିକ ସରକାରଙ୍କ ଦ୍ୱାରା ପରିଚାଳିତ ହେବ ବୋଲି ନୀତୀଶ କହିଛନ୍ତି।

ସମ୍ବନ୍ଧିତ ଖବର