ଅପହଞ୍ଚ ରୋଗୀଙ୍କ ତ୍ରାଣକର୍ତ୍ତା: ବାଇକ୍‌ ଆମ୍ବୁଲାନ୍ସରେ ବଞ୍ଚାଇଛନ୍ତି ୩୫୦୦ ଜୀବନ

କୋଲକାତା: ସମାଜ ପ୍ରତି ନିଜର ନିଆରା ସେବା ପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ପଶ୍ଟିମବଙ୍ଗର କରିମୁଲ୍‌ ହକ୍‌ଙ୍କ ନିଷ୍ଠା ଏବେ ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଛି। ମୁଖ୍ୟତଃ ରାସ୍ତା ଦୁର୍ଘଟଣାରେ ଛଟପଟ ହୋଇ ଡାକ୍ତରଖାନା ପହଞ୍ଚି ପାରୁନଥିବା କିମ୍ବା ଅପନ୍ତରା ଇଲାକାର ସଂକଟଜନକ ସ୍ଥିତିରେ ଥିବା ରୋଗୀଟିଏ ତତ୍କାଳ ଚିକିତ୍ସା ସୁବିଧା ପାଉନଥିବା ସମୟରେ କରିମୁଲ୍‌ଙ୍କ ଉପସ୍ଥିତି ସେମାନଙ୍କ ପାଇଁ ସଞ୍ଜୀବନୀ ସଦୃଶ୍ୟ ହୋଇପାରିଛି। ଏହିଭଳି ସେ ସାଢ଼େ ତିନି ହଜାରରୁ ଅଧିକ ରୋଗୀଙ୍କ ଜୀବନ ବଞ୍ଚାଇପାରିବା କିଛି ସାଧାରଣ ଘଟଣା ନୁହେଁ। ସମସ୍ତଙ୍କ ମୁହଁରେ ‘ବାଇକ୍‌ ଆମ୍ବୁଲାନ୍ସ ଦାଦା’ ଭାବେ ପରିଚିତ କରିମୁଲ୍‌ ନିଜ ମୋଟରସାଇକେଲରେ ହିଁ ଏଭଳି ଆତୁର ରୋଗୀମାନଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ସହ ଆବଶ୍ୟକ ସ୍ଥଳେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇଛନ୍ତି। ପଶ୍ଚିମବଙ୍ଗର ଧଳାବରି ଗାଁର କରିମୁଲ୍‌ଙ୍କ ରୋଗାକ୍ରାନ୍ତା ମା’ ଦିନେ ହୃଦ୍‌ଘାତରେ ହଠାତ୍‌ ଆରପାରିକୁ ଚାଲିଗଲେ। ଠିକ୍‌ ସମୟରେ ଚିକିତ୍ସା ସୁବିଧା ପାଇନପାରିବାରୁ ନିଜ ଆଖି ଆଗରେ ଏପରି ମା’ଙ୍କୁ ହରାଇବାକୁ ପଡ଼ିିବା ଘଟଣା ୪୪ ବର୍ଷୀୟ ଅସହାୟ କରିମୁଲ୍‌ଙ୍କ ମନରେ ଭାବାନ୍ତର ଆଣିଥିଲା। ଘରେ ଗାଡ଼ିର ସୁବିଧା ନଥିବା ଯୋଗୁଁ ମା’ଙ୍କୁ ତୁରନ୍ତ ଡାକ୍ତରଖାନାରେ ପହଞ୍ଚାଇ ନପାରିବା କାରଣରୁ ତାଙ୍କୁ ଅଦିନରେ ମା’ ଛେଉଣ୍ଡ ହେବାକୁ ପଡ଼ିଲା ବୋଲି ସେ ଅନୁଭବ କଲେ। ତେଣୁ ଏଭଳି ଦଶା ଆଉ କାହା ଭାଗ୍ୟରେ ଯେମିତି ନ ଆସୁ ସେ ଈଶ୍ୱରଙ୍କ ନିକଟରେ କାମନା କଲେ। ଋଣରେ ଏକ ମୋଟରସାଇକେଲ କିଣି ଗ୍ରାମର ସଂକଟାପନ୍ନ ରୋଗୀଙ୍କୁ ତତ୍କାଳ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ସେ ନିଜ ପାଖରେ ଶପଥ ନେଇଥିଲେ। ପ୍ରଥମେ ସେ ନିଜ ବାଇକ୍‌ରେ ବସାଇ ରାସ୍ତାକଡ଼ର ଦୁର୍ଘଟଣାଗ୍ରସ୍ତଙ୍କୁ ତୁରନ୍ତ ହସ୍ପିଟାଲ୍‌ରେ ପହଞ୍ଚାଇବା ଆରମ୍ଭ କରିଥିଲେ। ପରେ ପରେ ଆଖପାଖ ୨୦ଟି ଗାଁର ଜରୁରୀକାଳୀନ ଚିକିତ୍ସା ଆବଶ୍ୟକ କରୁଥିବା ରୋଗୀଙ୍କୁ ସେ ମେଡିକାଲ୍‌ ବୋହିଥିଲେ। ଏହିପରି ଭାବେ ମାଗଣାରେ ଚବିଶ ଘଣ୍ଟିଆ ବାଇକ୍‌ ଆମ୍ବୁଲାନ୍ସ ସେବା ଯୋଗାଇ ଦେଉଥିବା କରିମୁଲ୍‌ ଏବେ ହିତାଧିକାରୀଙ୍କ ମୁହଁରେ ଈପସିତ ନାଁ ପାଲଟିଯାଇଛନ୍ତି।

ନିଜ ଗାଁଠାରୁ ନିକତତମ ଚିକିତ୍ସା କେନ୍ଦ୍ରର ଦୂରତା ୮ କିମି ଥିବା ବେଳେ ସେଠାରେ ଆବଶ୍ୟକ ସୁବିଧା ସୁଯୋଗ ନାହିଁ। ତେଣୁ ସେ ରୋଗୀଙ୍କୁ ପଛରେ ବସାଇ ୪୫ କିମି ଦୂର ମାଲବଜାର ସ୍ଥିତ ଅପେକ୍ଷାକୃତ ଉନ୍ନତ ଡାକ୍ତରଖାନାକୁ ମଧ୍ୟ ନେଇଥାନ୍ତି। ବେଳେ ବେଳେ ବନ୍ୟା ସମୟରେ ତାଙ୍କ ଅଞ୍ଚଳ ଅନ୍ୟ ଇଲାକାରୁ ବିଚ୍ଛିନ୍ନ ହୋଇଯାଉଥିବାରୁ ସେହି ସମୟରେ ସେ ଘର ଘର ବୁଲି ଆବଶ୍ୟକ ପ୍ରାଥମିକ ଚିକିତ୍ସା ମଧ୍ୟ ଯୋଗାଇଥାନ୍ତି। ସେଥିପାଇଁ ସେ ସ୍ଥାନୀୟ ଡାକ୍ତରଙ୍କ ଠାରୁ କ୍ଷତରେ ପଟି ବାନ୍ଧିବା, ଇଞ୍ଜେକ୍ସନ ଦେବା ଏବଂ ରକ୍ତଚାପ ମାପିବା ପରି ମୌଳିକ କୌଶଳ ମଧ୍ୟ ହାସଲ କରିଛନ୍ତି। ତାଙ୍କର ଏହି ଉତ୍ସର୍ଗୀକୃତ ଉଦ୍ୟମରେ ଉତ୍ସାହିତ ହୋଇ ବାଜାଜ କମ୍ପାନି ଏକ ଭି୧୫ ବାଇକ୍‌କୁ ଆମ୍ବୁଲାନ୍ସ ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରି ତାଙ୍କୁ ପ୍ରଦାନ କରିଛନ୍ତି। ସେଥିରେ ଅକ୍ସିଜେନ୍‌ ସିଲିଣ୍ଡର ଏବଂ ଏକ ଓ୍ଵାଟରପ୍ରୁଫ୍‌ ଷ୍ଟ୍ରେଚର ଆଦି ଖଞ୍ଜାଯିବାର ବ୍ୟବସ୍ଥା ରହିଛି। ଅଞ୍ଚଳବାସୀଙ୍କ ପାଇଁ ଦେବଦୂତ ପାଲଟିଥିବା କରିମୁଲ୍‌ଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଛି।

ସମ୍ବନ୍ଧିତ ଖବର