ଚାଲାଣ କାଟିବା ପାଇଁ ବାଇକ୍‌ ଅଟକାଇବାକୁ କହିବାରୁ ହୋମ୍‌ଗାର୍ଡଙ୍କୁ ଘୋଷାଡ଼ି ନେଇଗଲେ ଦୁର୍ବୃତ୍ତ, କୁକୁର ଗୋଡ଼ାଇବାରୁ ଛାଡ଼ି ଚାଲିଗଲେ

ସୋନିପତ: ହରିୟାଣାର ସୋନିପତରେ ଏକ ଅଭାବନୀୟ ଘଟଣାର ଭିଡ଼ିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ହୋମ୍‌ଗାର୍ଡ ତିନିଜଣ ଯୁବକ ବସି ଯାଉଥିବା ବାଇକ୍‌ ସହ ଘୋଷାଡ଼ି ହୋଇ ଯାଉଥିବା ଦେଖିବାକୁ ମିଳୁଛି।

ସୂଚନା ମୁତାବକ, ଗୋଟିଏ ବାଇକ୍‌ରେ ତିନିଜଣ ଯୁବକ ବସି ଯାଉଥିବା ଦେଖି ହୋମଗାର୍ଡ ଜୟଦୀପ ଆର୍ଯ୍ୟ ସେମାନଙ୍କୁ ଅଟାକାଇବା ପାଇଁ ଚେଷ୍ଟା କରୁଥିଲେ। ଏହି ସମୟରେ ତିନିଜଣ ଦୁର୍ବୃତ୍ତ ହୋମଗାର୍ଡ ଜୟଦୀପଙ୍କୁ ଧରିପକାଇ ବଳପୂର୍ବକ ଚଳନ୍ତା ବାଇକ୍‌ ସହ ଅଧା କିମି ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲେ। ଏହି ସମୟରେ ସେମାନଙ୍କ ପଛରେ ଏକ କୁକୁର ଦୌଡ଼ିବାରୁ ତିନିଜଣ ଦୁର୍ବୃତ୍ତ ସେକ୍ଟର ୧୫ ଚୌକ୍‌ରେ ଜୟଦୀପଙ୍କୁ ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହାକୁ ନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି।

ଏହି ପୂରା ଘଟଣାକୁ ନେଇ ହୋମ୍‌ଗାର୍ଡ ବିଭାଗର ଜିଲ୍ଲା କମାଣ୍ଡାଣ୍ଟ ବିଜେନ୍ଦ୍ର କୁମାର କହିଥିଲେ, ହୋମଗାର୍ଡ ଜୟଦୀପ ଆର୍ଯ୍ୟ ଡିୟୁଟିରେ ଥିଲେ। ବାଇକ୍‌ରେ ତିନିଜଣ ବସି ଯାଉଥିବା ଦେଖି ସେ ଅଟାକାଇବାକୁ ଚେଷ୍ଟା କରୁଥିବା ବେଳେ ଜଣେ ତାଙ୍କର ଗଳା ଧରିଥିବା ବେଳେ ଜଣେ ତାଙ୍କର ବାହୁକୁ ଧରି ଘୋଷାଡ଼ି ଘୋଷାଡ଼ି ନେଇ ଯାଇଥିଲେ।

ହୋମଗାର୍ଡଙ୍କ ସହିତ ଯାହା ଘଟିଛି ଆଦୌ ଭଲ ହୋଇନାହିଁ। ଏହି ଘଟଣାରେ ହୋମଗାର୍ଡ ଜୟଦୀପ ଆର୍ଯ୍ୟଙ୍କ ଜୀବନ ଚାଲିଯିବାର ବି ଅନେକ ଆଶଙ୍କା ରହିଥିଲା। ପୁଲିସକୁ ଏହି ଘଟଣା ବିଷୟରେ ଖବର ପାଇବା ପରେ ଆଖପାଖରେ ଥିବା ସିସିଟିଭି କ୍ୟାମେରା ଯାଞ୍ଚ କରୁଛି।

ସମ୍ବନ୍ଧିତ ଖବର