ବିଶ୍ୱର ଅନ୍ୟ ଦେଶରେ ଆଧାର ବ୍ୟବସ୍ଥା ଲାଗୁ ହେବା ଉଚିତ : ବିଲ୍‌ ଗେଟସ୍‌

ଓ୍ଵାସିଂଟନ : ଆଧାର ନମ୍ବରକୁ ନେଇ ଆମ ଦେଶରେ ଅନେକ ତୁମ୍ବିତୋଫାନ ଚାଲିଛି । ବିରୋଧୀ ଦଳ ଓ କେତେକ ସାମାଜିକ ସଂଗଠନ ଏହା ଦ୍ୱାରା ଲୋକମାନଙ୍କ ବ୍ୟକ୍ତିଗତ ଜୀବନରେ ସରକାର ଅନୁପ୍ରବେଶ କରୁଛନ୍ତି ବୋଲି ଅଭିଯୋଗ କରୁଛନ୍ତି । ଆଉ କେତେକ ଆଧାର ଡାଟା ସୁରକ୍ଷା ନେଇ ସଂଦେହ ପ୍ରକାଶ କରୁଛନ୍ତି ଓ ସରକାରଙ୍କୁ ଟାର୍ଗେଟ କରୁଛନ୍ତି । କିନ୍ତୁ ଆଧାରର ଜଣେ ବଡ଼ ସମର୍ଥକ ବାହାରିଛନ୍ତି । ସେ ହେଉଛନ୍ତି ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ତଥା ବିଶ୍ୱର ନଂ୧ ଧନୀ ବ୍ୟକ୍ତି ବିଲ ଗେଟସ୍‌ । ସେ କହଛନ୍ତି ଯେ ଆଧାର ଦ୍ୱାରା ଲୋକମାନଙ୍କର ବ୍ୟକ୍ତିଗତ ତଥ୍ୟ ପ୍ରତି କୌଣସି ବିପଦ ଆସିବ ନାହିଁ । ଏହା କେବଳ ଏକ ବାୟୋ-ଆଇଡି ଭେରିଫିକେସନ ପ୍ରକ୍ରିୟା । ଏହି ଟେକନଲୋଜୀର ଅନେକ ଉପଯୋଗିତା ରହିଛି । ଏହି ଟେକନଲୋଜୀ ଅନ୍ୟ ଦେଶରେ ମଧ୍ୟ ଲାଗୁ କରାଯିବା ଉଚିତ ବୋଲି ସେ କହିଛନ୍ତି ।

ବିଲ ଗେଟସଙ୍କ ଦ୍ୱାରା ପ୍ରତିଷ୍ଠିତ ବିଲ୍‌ ଓ ମିଲିଣ୍ଡା ଗେଟସ ଫାଉଣ୍ଡେସନ ଭାରତର ଆଧାର ଟେକନଲୋଜୀକୁ ଅନ୍ୟ ଦେଶରେ ଲାଗୁ କରିବାଲାଗି ବିଶ୍ୱ ବ୍ୟାଙ୍କକୁ ସାହାଯ୍ୟ କରୁଛି । କାରଣ ଏହା ଦ୍ୱାରା ବିକାଶର ସୁଫଳ ଲୋକଙ୍କ ପାଖରେ ପହଞ୍ଚିବ । ଭାରତରେ ନରେନ୍ଦ୍ର ମୋଦି ଶାସନକୁ ଆସିବା ପୂର୍ବରୁ ଆଧାର ବ୍ୟବସ୍ଥା ଥିଲେ ମଧ୍ୟ ମୋଦି ଏହାକୁ ଅଧିକ ପ୍ରସାରିତ କରିଛନ୍ତି ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଭାରତର କେତେକ ପଡୋଶୀ ଦେଶ ମଧ୍ୟ ଆଧାର ବ୍ୟବସ୍ଥା ଲାଗୁ କରିବା ପାଇଁ ଭାରତର ସହାୟତା ଲୋଡିଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର