ବିବାଦ ବଢ଼ାଉଛନ୍ତି ବିପ୍ଳବ ଦେବ:ଡାଏନାଙ୍କୁ ‘ମିସ୍‌ ଓ୍ଵାର୍ଲ୍ଡ’ ପାଇଁ ଅଯୋଗ୍ୟ କହିଲେ

ଡାଏନାଙ୍କ ଜବାବ: ମୋ ତ୍ୱଚା ପାଇଁ ଗର୍ବିତ
ନୂଆଦିଲ୍ଲୀ  : ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ଆଜି ପୁଣି ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚା ସୃଷ୍ଟି କରିଛନ୍ତି। ଡାଏନା ହେଡେନ୍‌ ‘ମିସ୍‌ ଓ୍ଵାର୍ଲ୍ଡ’ ହେବା ଉପରେ ଏକ ବୟାନ ଦେଇ ସେ କହିଛନ୍ତି ଅନ୍ତର୍ଜାତୀୟ ସୁନ୍ଦରୀ ପ୍ରତିଯୋଗିତା କେବଳ ଏକ ପ୍ରହସନ। ଦୀର୍ଘ ୨୧ ବର୍ଷ ପୂର୍ବେ ୧୯୯୭ ମସିହାରେ ମିସ୍‌୍‌ ଓ୍ଵାର୍ଲ୍‌୍‌ଡ ମୁକୁଟ ହାସଲ କରିଥିବା ଡାଏନା ହେଡେନ୍‌ ଏଥିପାଇଁ ଯୋଗ୍ୟ ନଥିଲେ ବୋଲି ବିପ୍ଳବ କହିଛନ୍ତି। ଡାଏନା ଭାରତୀୟ ସୁନ୍ଦରୀ ନଥିଲେ ବୋଲି ସେ ଉଲ୍ଲେଖ କରିଛନ୍ତି। ତାଙ୍କୁ କାହିଁକି ମିସ୍‌ ଓ୍ଵାର୍ଲ୍ଡ କରାଯାଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଐଶ୍ୱର୍ଯ୍ୟା ରାୟ ଭାରତୀୟ ସୁନ୍ଦରୀ ଏବଂ ସେ ମିସ୍‌ ଓ୍ଵାର୍ଲ୍ଡ ମୁକୁଟ ପିନ୍ଧିବାପାଇଁ ଯୋଗ୍ୟ ବିବେଚିତ ଥିଲେ ବୋଲି କହି ବିପ୍ଳବ ତାଙ୍କର ପ୍ରଶଂସା କରିଛନ୍ତି।

ପୂର୍ବରୁ ମହାଭାରତ ଯୁଗରେ ଇଣ୍ଟରନେଟ୍‌ ଥିଲା ବୋଲି କହି ବିବାଦରେ ରହିଥିବା ବିପ୍ଳବ ଆଜି ପୁଣି ଏଭଳି ବିବାଦୀୟ ବୟାନ ଦେଇ କହିଛନ୍ତି ପୂର୍ବରୁ ଭାରତୀୟ ମହିଳାମାନେ ପ୍ରଶାଧନ ସାମଗ୍ରୀ ବ୍ୟବହାର କରୁନଥିଲେ। ସେମାନେ କେଶ ଝଡ଼ା ସମସ୍ୟା ପାଇଁ ମେଥିପାଣିରେ କେଶ ଧୋଉଥିଲେ ଏବଂ କାଦୁଅରେ ଗାଧୋଉଥିଲେ। କିନ୍ତୁ ସୁନ୍ଦରୀ ପ୍ରତିଯୋଗିତା ପରିଚାଳକମାନେ କେବଳ ଭାରତୀୟ ବଜାରକୁ ଅକ୍ତିଆର କରିବାପାଇଁ ଏଭଳି ପ୍ରତିଯୋଗିତା ଜାରି ରଖିଛନ୍ତି। କିଏ ଜିତିବ ତାହା ମଧ୍ୟ ପୂର୍ବ ନିର୍ଦ୍ଧାରିତ ହୋଇଥାଏ ବୋଲି ବିପ୍ଳବ କହିଛନ୍ତି। ଅଗରତାଲାରେ ଏକ ଡିଜାଇନ୍‌ ଓ୍ଵାର୍କସପ୍‌ରେ ବିପ୍ଳବ ଗତକାଲି କହିଥିଲେ ଯେ ଭାରତୀୟ ସୁନ୍ଦରୀମାନେ ଦେବୀ ଲକ୍ଷ୍ମୀ ଏବଂ ସରସ୍ୱତୀଙ୍କ ପରି ଦିଶିବା ଉଚିତ୍‌। ତେଣୁ ଡାଏନା ଆଦୌ ମିସ୍‌ ଓ୍ଵାର୍ଲ୍ଡ ହେବାପାଇଁ ଯୋଗ୍ୟ ବିବେଚିତ ନୁହନ୍ତି। ଅନ୍ୟପକ୍ଷରେ ବିପ୍ଳବଙ୍କର ଏହି କଥାର କଡ଼ା ଜବାବ ଦେଇ ଡାଏନା କହିଛନ୍ତି ଯେ ତାଙ୍କ ବାଦାମୀ ରଙ୍ଗର ତ୍ୱଚା ପାଇଁ ସେ ଖୁବ୍‌ ଗର୍ବିତ। ଲୋକେ ତାଙ୍କ ସଫଳତା ପାଇଁ ତାଙ୍କୁ ହେୟଜ୍ଞାନ କରିବା ଅପେକ୍ଷା ଗର୍ବ ଅନୁଭବ କରିବା ଦରକାର। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ଯେଉଁ ପଦବିରେ ଅଛନ୍ତି ସେ ତାଙ୍କ ବକ୍ତବ୍ୟ ପ୍ରତି ଯଥେଷ୍ଟ ସଚେତନ ହେବା ଉଚିତ୍‌ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର