ବିପ୍ଳବ ଦେବ ହେବେ ତ୍ରିପୁରା ମୁଖ୍ୟମନ୍ତ୍ରୀ :୯ରେ ଶପଥ ଗ୍ରହଣ

ଆଇପିଏଫ୍‌ଟିର ଉପ ମୁଖ୍ୟମନ୍ତ୍ରୀ ପଦ ଦାବି

ଅଗରତାଲା: ତ୍ରିପୁରା ବିଜେପି ରାଜ୍ୟ ସଭାପତି ବିପ୍ଳବ ଦେବ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ଆଜି ବିଜେପି ଏ ବାବଦରେ ଆନୁଷ୍ଠାନିକ ଭାବେ ଘୋଷଣା କରିଛି ଏବଂ ୯ ତାରିଖରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି । ରାଜ୍ୟ ବିଜେପି ଜନଜାତି ସେଲ୍‌ର ଆବାହକ ଜିସ୍‌୍‌ନୁ ଦେବବର୍ମା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ତ୍ରିପୁରାରେ ଐତିହାସିକ ବିଜୟ ହାସଲ କରିଥିବା ବିଜେପି ଆଞ୍ଚଳିକ ଦଳ ଆଇପିଏଫ୍‌ଟି ସହ ମେଣ୍ଟ କରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ କୌଣସି ସାଲିସ କରିବ ନାହିଁ ବୋଲି ଆଜି ସ୍ପଷ୍ଟ କରିଦେଇଛି । ଆଜି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏ ବାବଦ ଘୋଷଣା କରିବା ପରେ ବିବାଦର ସୁତ୍ରପାତ ହୋଇଛି। ୮ଜଣ ବିଧାୟକ ନିର୍ବାଚିତ ହୋଇଥିବା ଆଇପିଏଫ୍‌ଟିର ଅଧ୍ୟକ୍ଷ ଏନ୍‌.ସି.ଦେବବର୍ମାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିବା ନେଇ ପୂର୍ବରୁ କଳ୍ପନା ଜଳ୍ପନା ଲାଗି ରହିଥିଲେ ହେଁ ବିଜେପି ନିଜ ଦଳର ନେତାଙ୍କୁ ଏହି ପଦବି ଦେଇଛି। ସାମ୍ବାଦିକଙ୍କୁ ସୂଚନା ଦେଇ ଏନ୍‌ସି ଦେବବର୍ମା କହିଛନ୍ତି ଯେ, ବିଜେପି ନେତା ହିମନ୍ତ ବିଶ୍ୱା ଓ ରାମ ମାଧବଙ୍କ ସହ ସେ ଏନେଇ ଆଲୋଚନା କରିବେ। ଉଲ୍ଲେଖଯୋଗ୍ୟ, ତ୍ରିପୁରା ବିଜୟ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ସାମ୍ବାଦକ ସମ୍ମିଳନୀରେ କହିଥିଲେ ଯେ, ତାଙ୍କ ଦଳକୁ ସମର୍ଥନ କରୁଥିବା ଦଳଙ୍କୁ ମଧ୍ୟ ସମାନ ସମ୍ମାନ ଓ ଅଧିକାର ମିଳିବ।

ସମ୍ବନ୍ଧିତ ଖବର