ବନ୍ଦ କାହା ସ୍ବାର୍ଥରେ: ବିଜେଡି

ବିଜେପି, କଂଗ୍ରେସର ସମର୍ଥନକୁ ନିନ୍ଦା

ଭୁବନେଶ୍ବର: ୨୧ ତାରିଖରେ ନବନିର୍ମାଣ କୃଷକ ସଂଗଠନର ‘ଓଡ଼ିଶା ବନ୍ଦ’ ଡାକରାକୁ ବିଜୁ ଜନତା ଦଳ ନିନ୍ଦା କରିଛି। କୃଷକଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସରକାର ଯଥେଷ୍ଟ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ସଂଗଠନ ସହ ସରକାର ପୂର୍ବରୁ ଆଲୋଚନା କରିଛନ୍ତି ଏବଂ ଏବେ ବି ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। ତାହା ସତ୍ତ୍ବେ ମାଟ୍ରିକ୍ ପରୀକ୍ଷା ପୂର୍ବ ଦିନ କାହା ସ୍ବାର୍ଥରେ ଏହି ବନ୍ଦ ଡାକରା ଦିଆଯାଇଛି ବୋଲି ବିଜେଡି ମୁଖପାତ୍ର ତଥା ସାଂସଦ ପ୍ରତାପ ଦେବ ପ୍ରଶ୍ନ କରିଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦେବ କହିଲେ, ୨୨ ତାରିଖରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଆରମ୍ଭ ହେବା ଜାଣି ବି ନବ ନିର୍ମାଣ କୃଷକ ସଂଗଠନ ତା ପୂର୍ବଦିନ ଅର୍ଥାତ ୨୧ ତାରିଖ ଦିନ ବନ୍ଦ ଡାକରା ଦେଇଛି। ଏହା ଦ୍ବାରା ୬ ଲକ୍ଷ ଛାତ୍ରଛାତ୍ରୀଙ୍କ ଭାଗ୍ୟକୁ ବାଜି ଲଗାଯାଇଛି। ଛାତ୍ରଛାତ୍ରୀ, ଶିକ୍ଷକ ଅଭିଭାବକଙ୍କ ବୃହତର ସ୍ବାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ବନ୍ଦ ପ୍ରତ୍ୟାହାର କରିବାକୁ ଗତକାଲି ଏକ ପ୍ରେସ ଇସ୍ତାହାର ଯୋଗେ ଅନୁରୋଧ କରିଥିଲେ। ମାତ୍ର ନବ ନିର୍ମାଣ କୃଷକ ସଂଗଠନ ଆନ୍ଦୋଳନ ଜିଦିରେ ଅଟଳ ରହିଛି। କୃଷକ ଆନ୍ଦୋଳନ ନାଁରେ ସଂଗଠନ ଶସ୍ତା ରାଜନୀତି କରୁଛି। ବିଜେପି ଓ କଂଗ୍ରେସ ଏପରି ବନ୍ଦକୁ ସମର୍ଥନ କରିବା ଦୁର୍ଭାଗ୍ୟଜନକ। ଉଭୟ ଦଳ ପାଇଁ ନବ ନିର୍ମାଣ କୃଷକ ସଂଗଠନ ଏକ ଅସ୍ତ୍ର ପାଲଟିଛି। ୬ ଲକ୍ଷ ନିରୀହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଆଖି ବୁଜି ଦେଇଥିବା ସଂଗଠନର ଏହି କାର୍ଯ୍ୟକ୍ରମକୁ ବିଜେଡି ଦୃଢ଼ ନିନ୍ଦା କରୁଛି। ସମାଜ ପ୍ରତି ସେମାନଙ୍କର ସାମାନ୍ୟ ଦାୟିତ୍ବ ଓ ବିବେକ ଥିଲେ ଏଭଳି କରି ନ ଥା’ନ୍ତେ ବୋଲି ଶ୍ରୀ ଦେବ କହିଛନ୍ତି।

ବି‌େଜଡି ପକ୍ଷରୁ ଆହୁରି ଅଭିଯୋଗ ହୋଇଛି, ନବନିର୍ମାଣ କୃଷକ ସଂଗଠନର ଚାଷୀମାନଙ୍କ ସମସ୍ୟା ପ୍ରତି ଆନ୍ତରିକତା ନ ଥିବା ଭଳି ଲାଗୁଛି। ସ୍ବାମୀନାଥନ କମିଟି ରିପୋର୍ଟ କାର୍ଯ୍ୟକାରୀ ନ ହେବା ଏବଂ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢ଼ ଗୁଣା ବୃଦ୍ଧି ନ ହେବା ଉପରେ ନବ ନିର୍ମାଣ କୃଷକ ସଂଗଠନ ନିରବ କାହିଁକି? ବିଜେପିକୁ ସଂଗଠନ ଏହି ପ୍ରଶ୍ନ ନ ପଚାରି କାହିଁକି ସେମାନଙ୍କର ସମର୍ଥନ ନେଉଛନ୍ତି ବୋଲି ଦଳ ପ୍ରଶ୍ନ କରିଛି। ବିରୋଧୀଙ୍କୁ ସମାଲୋଚନା କରି ବିଜେଡି କହିଛି, ନିର୍ବାଚନ ପୂର୍ବରୁ ଚାଷୀ ପ୍ରସଙ୍ଗରେ ବିଜେପି ଓ କଂଗ୍ରେସ ଦଳ ଏକାଠି ହୋଇଛନ୍ତି। ଉପରେ ଉପରେ ସେମାନେ ପରସ୍ପରକୁ ବିରୋଧ କରୁଥିଲେ ମଧ୍ୟ ଭିତରେ ଏକାଠି ଅଛନ୍ତି। ସେମାନଙ୍କ ବାମ ହାତ କ’ଣ କରୁଛି ଡାହାଣ ହାତ ଜାଣିପାରୁନି। ସଂକୀର୍ଣ୍ଣ ରାଜନୀତିରୁ ଉର୍ଦ୍ଧ୍ବରେ ରହି ୬ ଲକ୍ଷ ମାଟ୍ରିକ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ସହ ନ ଖେଳିବାକୁ ବିଜେଡି ଅନୁରୋଧ କରିଛି। ସାମ୍ବାଦିକ ସମ୍ମିଳନୀରେୁ ଦଳର ଗଣମାଧ୍ୟମ ବ୍ୟାପାର ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜ ଓ ମୁଖପାତ୍ର ସସ୍ମିତ ପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର