କୃଷକ ଅଧିକାର ସମାବେଶ ଏପାଖ ସେପାଖ

ନୂଆଦିଲ୍ଲୀ : ୫ ହଜାରରୁ ଊର୍ଦ୍ଧ୍ବ ସମାଗମ : ତାଲ୍‌କୋଟରା ଇନ୍‌ଡୋର ଷ୍ଟାଡିୟମ୍‌ର କ୍ଷମତା ୩୦୦୦ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ ଆଜି ବିଜୁ କୃଷକ ଜନତା ଦଳ ଦ୍ବାରା ଆୟୋଜିତ କୃଷକ ଅଧିକାର ସମାବେଶରେ ୫ ହଜାରରୁ ଊର୍ଦ୍ଧ୍ବ କର୍ମୀ ଏକତ୍ରିତ ହୋଇଥିଲେ। ଷ୍ଟାଡିୟମ୍‌ ଭିତରେ ଠିଆ ହେବାପାଇଁ ମଧ୍ୟ ଜାଗା ନଥିଲା। ଭିଡ଼ ଯୋଗୁଁ ସ୍ବେଚ୍ଛାସେବୀମାନଙ୍କୁ ଭିଡ଼ ନିୟନ୍ତ୍ରଣ କରିବାକୁ ପଡ଼ିଥିଲା।

ମଞ୍ଚ ସଞ୍ଚାଳନ କଲେ ପ୍ରସନ୍ନ ଆଚାର୍ଯ୍ୟ ଓ ପ୍ରତାପ ଜେନା
ତାଲକୋଟରା ଷ୍ଟାଡିୟମ୍‌ରେ ଦିନ ୧୧ଟାରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା। ଦିନ ୧୧ଟାରୁ ୧୨.୩୦ ପର୍ଯ୍ୟନ୍ତ କ‌ାର୍ଯ୍ୟକ୍ରମ ସଂଚାଳନ କରିଥିଲେ ବିଜୁ କୃଷକ ଜନତା ଦଳର ସମ୍ପାଦକ ତଥା ରାଜ୍ୟ ମନ୍ତ୍ରୀ ପ୍ରତାପ ଜେନା। ମଞ୍ଚରେ ବିଜୁ ଜନତା ଦଳର ସମସ୍ତ ଉପସଭାପତି ଉପସ୍ଥିତ ଥି‌ଲେ। ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ୧୨.୩୦ରୁ ୧.୩୦ ପର୍ଯ୍ୟନ୍ତ ଚାଲିଥିଲା। ଏହାର ସଂଚାଳନ କରିଥିଲେ ବିଜୁ କୃଷକ ଜନତା ଦଳର ସଭାପତି ତଥା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ।

ମାମିନାଙ୍କ ସ୍ଲୋଗାନ୍‌ ସମସ୍ତଙ୍କୁ ପ୍ରଭାବିତ କଲା
କୃଷକ ଅଧିକାର ସମାବେଶରେ ଚାଷୀ, ବିଜେଡି ସମର୍ଥକ, ଦଳୀୟ କର୍ମୀ, ବିଧାୟକ, ସଂଗଠନ ଦାୟିତ୍ବରେ ଥିବା ନେତାମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ବିଜୁ ପଟ୍ଟନାୟକ ଅମର ରହେ‌, ନବୀନ ପଟ୍ଟନାୟକ ଜିନ୍ଦାବାଦ୍‌ ସ୍ଲୋଗାନ୍‌ ଷ୍ଟାଡିୟମ୍‌ରେ ଶୁଣାଯାଉଥିବା ବେଳେ ବିଜେଡିର ମହିଳା କର୍ମୀ ମାମିନାଙ୍କ ସ୍ଲୋଗାନ୍‌ ସମାବେଶକୁ ଅଧିକ ଜୀବିତ କରିଥିଲା। ମନ୍ତ୍ରୀ ପ୍ରତାପ ଜେନାଙ୍କ ଅନୁରୋଧରେ ମାମିନା ମଞ୍ଚ ଉପରୁ ସ୍ଲୋଗାନ୍‌ ଦେଇଥିଲେ, ଯାହାପରେ ଷ୍ଟାଡିୟମ୍‌ରେ ନୂଆ ପ୍ରଭାବ ଦେଖିବାକୁ ମିଳିଥିଲା।

ନିରାଶ କଲେନି ନବୀନ
କୃଷକ ସମାବେଶରେ ଆସିଥିବା କର୍ମୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିରାଶ କରିନଥିଲେ। ନବୀନ ପଟ୍ଟନାୟକଙ୍କୁ ‌ଦେଖା କରିବାପାଇଁ ଜଣେ କର୍ମୀ ଷ୍ଟେଜ୍‌ ଉପରକୁ ଚଢ଼ି ଯାଇଥିଲେ ମଧ୍ୟ ନବୀନଙ୍କ ସୁରକ୍ଷାକର୍ମୀ ତାଙ୍କୁ ଷ୍ଟେଜ୍‌ ତଳକୁ ଠେଲି ଦେଇଥିଲେ। ହେଲେ ନବୀନ ସେହି କର୍ମୀଙ୍କୁ ଡାକିବା ପାଇଁ କହିଥିଲେ ଓ ତାଙ୍କ ସହ କରମର୍ଦ୍ଦନ କରିଥିଲେ। ବରଗଡ଼ର ଖ‌ଗେଶ୍ବର ଦେହୁରୀ ବିଜୁ ଜନତା ଦଳ ରଙ୍ଗରେ ନିଜକୁ ସଜେଇ ନବୀନଙ୍କ ନିକଟକୁ ଆସିଥିଲେ ଓ ସମ୍ବର୍ଦ୍ଧନା‌ ଜଣାଇଥିଲେ। ପ୍ରବାସୀ ଓଡ଼ିଆ ତଥା ମହିଳା କର୍ମୀ ଓ ବୟୋଜ୍ୟେଷ୍ଠ ନାଗରିକମାନେ ମଧ୍ୟ ନବୀନଙ୍କୁ ସମ୍ବର୍ଦ୍ଧନା ଜଣାଇବାପାଇଁ ଷ୍ଟେଜ୍‌ରେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର