ଲୋକସଭାରେ ମହାନଦୀ ପ୍ରସଙ୍ଗ : ବିଜେଡିର ମୁଲତବୀ ନୋଟିସ

ନୂଆଦିଲ୍ଲୀ : ମହାନଦୀ ପ୍ରସଙ୍ଗରେ ଆଲୋଚନା ଲାଗି ଆଜି ଲୋକସଭାରେ ବିଜେଡି ପକ୍ଷରୁ ଦିଆଯାଇଥିବା ମୁଲତବୀ ନୋଟିସକୁ ବାଚସ୍ପତି ସୁମିତ୍ରା ମହାଜନ ଅଗ୍ରାହ୍ୟ କରିଦେଇଛନ୍ତି। ବିଜେଡିର ସାଂସଦମାନେ ଆଜି ଲୋକସଭାରେ ମହାନଦୀ ଟ୍ରିବ୍ୟୁନାଲ ଗଠନ ଦାବି କରିଥିଲେ। ଲୋକସଭାରେ କଂଗ୍ରେସ ପକ୍ଷରୁ ହୋହାଲ୍ଲା କରାଯାଇଥିବାବେଳେ ବିଜେଡି ସାଂସଦମାନେ ମଧ୍ୟ ଜୋରଦାର ପ୍ରତିବାଦ କରିଥିଲେ। ଫଳରେ ବାଚସ୍ପତି ଗୃହ ମୁଲତବୀ କରିଥିଲେ।

ଆସନ୍ତାକାଲି ପୁଣିଥରେ ବିଜେଡି ଲୋକସଭାରେ ପୁଣି ମୁଲତବୀ ପ୍ରସ୍ତାବ ଆଣିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ବିଜେଡି ସାଂସଦ କଳିକେଶ ନାରାୟଣ ସିଂହଦେଓଙ୍କ କହିବା ଅନୁଯାୟୀ ମହାନଦୀ ଜଳବିବାଦ ପ୍ରସଙ୍ଗରେ ସଂସଦର ଉଭୟ ଗୃହରେ ବିଜେଡି ଦ୍ୱାରା ଲଗାତାର ପ୍ରତିବାଦ କରାଯିବ। ସାଂସଦମାନେ ଲୋକସଭାରେ ଏହି ପ୍ର୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ। ବିଜେଡି ସାଂସଦ ପିନାକୀ ମିଶ୍ର କହିଥିଲେ, ବୁଧବାର ଦିନ ପ୍ରଧାନମନ୍ତ୍ରୀ ଗୃହରେ ଥାନ୍ତି। ଏଣୁ ସେଦିନଏହି ପ୍ରସଙ୍ଗରେ ସଂସଦ ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ସମସ୍ତ ସାଂସଦ ଧାରଣା ଦେବେ ଓ ଲୋକସଭାରେ ଉଠାଯିବ।

ଅପରପକ୍ଷେ ଆଜି ରାଜ୍ୟସଭାରେ ବିଜେଡି ଦ୍ୱାରା ମଧ୍ୟ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କଲିଂ ଆଟେନସନ୍‌ ମୋସନ୍‌ ଓ ସର୍ଟ ଡ୍ୟୁରେସନ ଡିସକସନ୍‌ ନୋଟିସ ଦିଆଯାଇଥିବା ରାଜ୍ୟସଭା ସାଂସଦ ପ୍ରସନ୍ନ କୁମାର ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ଆସନ୍ତାକାଲି ରାଜ୍ୟସଭାରେ ମୁଲତବୀ ନୋଟିସ ଦିଆଯିବ ଶ୍ରୀ ଆଚାର୍ଯ୍ୟ କହିଥିଲେ।

ତେବେ ମହାନଦୀ ଜଳବିବାଦ ମାମଲାର ସମାଧାନ ପାଇଁ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ନୀତିନ ଗଡକରୀ ଆପୋସ ସମାଧାନ ସପକ୍ଷରେ ଥିବା ସୂଚନା ମିଳିଛି। ଅଦ୍ୟାବଧି ସ୍ୱତନ୍ତ୍ର ମହାନଦୀ ଟ୍ରିବ୍ୟୁନାଲ ଗଠନ କରାଯିବା ପକ୍ଷରେ କେନ୍ଦ୍ର ସରକାର ନଥିବା କୁହାଯାଉଛି।

ମହାନଦୀ ଟ୍ରିବ୍ୟୁନାଲ ଗଠନ ଦାବି ନେଇ ସଂସଦରେ ବିଜେଡି ସାଂସଦ ରଣନୀତି ପ୍ରସ୍ତୁତ କରୁଥିବାବେଳେ ଆଜିଠାରୁ ପାର୍ଲିଆମେଣ୍ଟ୍‌ ଷ୍ଟ୍ରିଟ୍‌ରେ ୧୪ଟି ରାଜନୈତିକ ଦଳଦ୍ୱାରା ମହାନଦୀ ଟ୍ରିବ୍ୟୁନାଲ ଦାବିରେ ସତ୍ୟାଗ୍ରହ ଆରମ୍ଭ ହୋଇଛି। ଆସନ୍ତାକାଲି ମଧ୍ୟ ସତ୍ୟାଗ୍ରହ ଓ ଧାରଣା ଜାରି ରହିବ। ୧୪ଟି ରାଜନୈତିକ ଦଳର କେନ୍ଦ୍ରୀୟ ନେତୃତ୍ୱ ଯୋଗ ଦେଇଛନ୍ତି। ଆଜି ବିଜେଡିର ୭ ଜଣ ସାଂସଦ ମଧ୍ୟ ସତ୍ୟାଗ୍ରହରେ ସାମିଲ ହୋଇଥିଲେ। ମହାନଦୀ ଟ୍ରିବ୍ୟୁନାଲ ଗଠନ ତଥା ଛତିଶଗଡ଼ରେ ମହାନଦୀ ଉପରେ ନିର୍ମାଣ ହେଉଥିବା ପ୍ରକଳ୍ପ ଗୁଡ଼ିକ ବନ୍ଦ କରିବାପାଇଁ ସତ୍ୟାଗ୍ରହୀମାନେ ଦାବି କରିଥିଲେ।

ସମ୍ବନ୍ଧିତ ଖବର