ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଲାଗି ବିଜେଡିର ନୋଟିସ୍‌

ନୂଆଦିଲ୍ଲୀ : ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି କରି ବିଜେଡି ଏକ ଧ୍ୟାନ ଆକର୍ଷଣକାରୀ ନୋଟିସ ଦେଇଛି। ପୋଲାଭରମ୍‌ ସଂପର୍କରେ ମଧ୍ୟ ବିଜେଡି ପକ୍ଷରୁ ଅନୁରୂପ ଏକ ନୋଟିସ ଦିଆଯାଇଛି। ଆଜି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ଏଭଳି ସୂଚନା ଦେଇଛନ୍ତି।

କେବଳ ସେତିକି ନୁହେଁ, ଲୋକସଭାରେ ନିୟମ ୧୯୩ ଅନ୍ତର୍ଗତ ଧାନର ଏମ୍‌ଏସପି ବୃଦ୍ଧି ତଥା ଅତ୍ୟାବଶ୍ୟକୀୟ ସାମଗ୍ରୀଗୁଡ଼ିକର ଦରଦାମ ବୃଦ୍ଧି ପ୍ରସଙ୍ଗରେ ଆଲୋଚନା ପାଇଁ ବିଜେଡି ଦାବି କରିଛି। ଏନେଇ ବିଜେଡି ଦ୍ୱାରା ନୋଟିସ୍‌ ଦିଆଯାଇଥିବା ଲୋକସଭାରେ ବିଜେଡି ମୁଖ୍ୟ ସଚେତକ ତଥାଗତ ଶତପଥୀ ସୂଚନା ଦେଇଛନ୍ତି।

କାର୍ଯ୍ୟ ପରାମର୍ଶଦାତାମଣ୍ଡଳୀ ବୈଠକରେ ଶସ୍ୟ ବୀମା, ଶିଶୁ ଚୋରି ଅଭିଯୋଗରେ ହେଉଥିବା ହତ୍ୟା, ଜିଏସ୍‌ଟି କାର୍ଯ୍ୟକାରୀ ହେବାର ଗୋଟିଏ ବର୍ଷର ପ୍ରସଙ୍ଗ ଗୁଡ଼ିକୁ ମଧ୍ୟ ଆଲୋଚନା ନିମନ୍ତେ ସାମିଲ୍‌ କରିବାପାଇଁ ବିଜେଡି ପକ୍ଷରୁ ଦାବି କରାଯାଇଥିଲା।

ଅନ୍ୟପକ୍ଷରେ ଆନ୍ତଃନଦୀ ଜଳ ବିବାଦ ଆଇନ ସଂଶୋଧନ ବିଲ୍‌ର ଆଲୋଚନାରେ ମଧ୍ୟ ବିଜେଡି ଭାଗ ନେବ ବୋଲି ଜଣାପଡ଼ିଛି। ସଂସଦର ମୌସୁମୀ ଅଧିବେଶନରେ ବିଜେଡି ଦ୍ୱାରା ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରତ୍ୟେକ ପ୍ରସଙ୍ଗ ଗୁଡ଼ିକୁ ଲୋକସଭା ଓ ରାଜ୍ୟସଭାରେ ଜୋରଦାର ଉପସ୍ଥାପନ କରାଯିବ ବୋଲି ସ୍ଥିର ହୋଇଛି।

ଗତ ବଜେଟ୍‌ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଗୃହରେ ଜାରି ରହିଥିବା ଅଚଳାବସ୍ଥା ଯୋଗୁଁ ବିଜେଡିର ଲୋକସଭା ଓ ରାଜ୍ୟସଭା ସାଂସଦମାନେ ରାଜ୍ୟ କିମ୍ବା ନିଜ ସଂସଦୀୟ କ୍ଷେତ୍ରର ପ୍ରସଙ୍ଗ ଗୁଡ଼ିକୁ ଉପସ୍ଥାପନ କରି ପାରିନଥିଲେ।

ସମ୍ବନ୍ଧିତ ଖବର