୮ରେ ସଂସଦ ସମ୍ମୁଖରେ ବିକ୍ଷୋଭ, ବିଜୁ କୃଷକ ଜନତା ଦଳ ପକ୍ଷରୁ ପ୍ରସ୍ତୁତି ବୈଠକ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଜାନୁଆରି ୮ରେ ସଂସଦ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆଜି ସନ୍ଧ୍ୟାରେ ବିଜୁ କୃଷକ ଜନତା ଦଳ ପକ୍ଷରୁ ବିଜୁ ଜନତା ଦଳର ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କ ଫିରୋଜଶାହ ରୋଡ୍‌ସ୍ଥିତ ସରକାରୀ ବାସଭବନରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ରାଜ୍ୟର ଦୁଇଜଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଓ ପ୍ରତାପ ଜେନା, ବିଜେଡିର ଉପସଭାପତି ଦେବୀ ପ୍ରସାଦ ମିଶ୍ର, ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା, ବିଧାୟକ ଅରୁଣ ସାହୁ, ପ୍ରଣବ ପ୍ରକାଶ ଦାସଙ୍କ ସମେତ ଲୋକସଭା ଓ ରାଜ୍ୟସଭାର ଅଧିକାଂଶ ସାଂସଦ ଯୋଗଦେଇଥିଲେ। ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମକୁ କିଭଳି ସଫଳ କରାଯିବ, ସେ ନେଇ ବ୍ୟାପକ ବିଚାରବିମର୍ଶ ହୋଇଥିଲା। ବିଧାନସଭାର ଗୃହ କମିଟିକୁ ପ୍ରଧାନମନ୍ତ୍ରୀ ସାକ୍ଷାତ କରିବା ପାଇଁ ସମୟ ନଦେବା, ଓଡ଼ିଶା ଚାଷୀଙ୍କ ସମସ୍ୟା ସମାଧାନ ନ କରିବା, କେନ୍ଦ୍ର ସରକାର ସ୍ବାମୀନାଥନ୍‌ କମିଟିର ସୁପାରିସକୁ ଲାଗୁ ନକରିବା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନକରିବା, କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ବି‌ରୋଧରେ କିଭଳି ସଂସଦ ଭବନ ସମ୍ମୁଖରେ ସ୍ବର ଉତ୍ତୋଳନ କରାଯିବ, ସେ ନେଇ ବୈଠକରେ ଆଲୋଚନା ‌ହୋଇଥିଲା। ବିକ୍ଷୋଭ ପରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନ ନିମନ୍ତେ ନିଷ୍ପତ୍ତି ହୋଇଛି। ବିକ୍ଷୋଭ କାର୍ଯ୍ୟକ୍ରମରେ ପଞ୍ଚାୟତ, ଜିଲ୍ଲା ଓ ରାଜ୍ୟ ସ୍ତରରୁ ବହୁ ସଂଖ୍ୟକ ନେତା ଯୋଗଦେବେ, ଯାହାକୁ ନେଇ ପ୍ରସ୍ତୁତି ବୈଠକରେ ଚର୍ଚ୍ଚା ‌ହୋଇଥିଲା।

ସମ୍ବନ୍ଧିତ ଖବର