କେନ୍ଦ୍ର ଓ ବିରୋଧୀଙ୍କ ସଲାସୁତୁରାରେ ଗୃହକାର୍ଯ୍ୟ ବରବାଦ ହୋଇଛି: ବିଜେଡି

ନୂଆଦିଲ୍ଲୀ : ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ସମ୍ପୂର୍ଣ୍ଣ ବରବାଦ ହୋଇଯାଇଛି। ଏହି ସମୟରେ ରାଜ୍ୟର ସ୍ୱାର୍ଥ ସମ୍ପର୍କିତ କୌଣସି ପ୍ରସଙ୍ଗ ଉପସ୍ଥାପିତ ହୋଇପାରି ନଥିବାରୁ ବିଜେଡି ଅସନ୍ତୋଷ ବ୍ୟକ୍ତ କରିଛି। ବିରୋଧୀ ଓ ସରକାରଙ୍କ ସଲାସୁତୁରାରେ ଗୃହକାର୍ଯ୍ୟ ବରବାଦ ହୋଇଥିବା ବିଜେଡି ଅଭିଯୋଗ କରିଛି। ଲୋକସଭାରେ ଅଚଳାବସ୍ଥା ଦୂର କରିବା ପାଇଁ ବିଜେଡି ପକ୍ଷରୁ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ସାଂସଦ କଳିକେଶ ନାରାୟଣ ସିଂ ଦେଓ କହିଛନ୍ତି। ଅନାସ୍ଥା ପ୍ରସ୍ତାବକୁ ଏଡାଇ ଯିବା ପାଇଁ କେନ୍ଦ୍ର ସରକାର ଗୃହରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ କୌଣସି ଉଦ୍ୟମ କରିନାହାନ୍ତି ବୋଲି ସାଂସଦ ପ୍ରସନ୍ନ ପାଟ୍ଟଶାଣୀ କହିଛନ୍ତି।

ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ମହାନଦୀ ଟ୍ରିବ୍ୟୁନାଲର କାର୍ଯ୍ୟ ଶୀଘ୍ର ଆରମ୍ଭ କରିବା, ପୋଲାଭରମ୍‌ ପ୍ରସଙ୍ଗ, ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ଦାବି, ମହାନଦୀର ଉପର ମୁଣ୍ଡରେ ଛତିଶଗଡ ନିର୍ମାଣ କରୁଥିବା ବ୍ୟାରେଜ କାମରେ ରୋକ୍‌ ଲଗାଇବା, ସମଗ୍ର ଓଡ଼ିଶାକୁ ଗୋଟିଏ ରେଳବାଇ ଜୋନରେ ରଖିବା, ଧାନର ଏମ୍‌ଏସ୍‌ପି ବୃଦ୍ଧି ଭଳି ପ୍ରସଙ୍ଗଗୁଡ଼ିକୁ ସଂସଦରେ ଉପସ୍ଥାପିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ସଂସଦୀୟ ଦଳ ବୈଠକରେ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଅଚଳାବସ୍ଥା ପାଇଁ ସବୁ ପ୍ରସଙ୍ଗ ଉଠାଇବାକୁ ସାଂସଦଙ୍କୁ ସୁଯୋଗ ମିଳିପାରି ନଥିବା ବିଜେଡି କହିଛି। ଲୋକସଭାରେ ଆଗତ ହୋଇଥିବା ପଳାତକ ଆର୍ଥିକ ଅପରାଧୀ ବିଲ୍‌କୁ ବିଜେଡି ବିରୋଧ କରିଥିବା ବେଳେ ବିନା ଆଲୋଚନାରେ ଅର୍ଥ ବିଲ୍‌ ୨୦୧୮ ଓ ବ୍ୟୟ ମଞ୍ଜୁରି ବିଲ୍‌ ଗୃହୀତ କରାଯାଇଥିବା ବିରୋଧରେ ବିଜେଡି ସାଂସଦ କକ୍ଷତ୍ୟାଗ କରିଥିଲେ। ତେବେ ସଂସଦ ଭିତରେ ଓ ବାହାରେ ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ଦଳ ପ୍ରଦର୍ଶନ ଓ ଧାରଣା ଦେଇଥିବା ବେଳେ ବିଜେଡି ସେସବୁରୁ ନିଜରୁ ଦୂରେଇ ରଖିଥିଲା।

ସମ୍ବନ୍ଧିତ ଖବର