ଚକିତ କଲା ବିଜେଡି ନିଷ୍ପତ୍ତି : ଆଲୋଚନା ପୂର୍ବରୁ କକ୍ଷତ୍ୟାଗ, ୧୫ ମିନିଟ୍‌ ଦିଆଯାଇଥିଲା, ୪୫ ସେକେଣ୍ଡ୍‌ରେ ସାରିଦେଲେ

ନୂଆଦିଲ୍ଲୀ : ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଥିଲା, ବିଜେଡି ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଭାଗ ନେଇ କେନ୍ଦ୍ର ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିବ। ତା’ ପରେ ଭୋଟଦାନରୁ ବିରତ ରହିବା ଲାଗି କକ୍ଷତ୍ୟାଗ କରିବ। ମାତ୍ର ସେମିତି କିଛି ହେଲାନାହିଁ। ବରଂ ବିଜେଡି ଆଲୋଚନା ଆରମ୍ଭ ହେବା ପୂର୍ବରୁ କକ୍ଷତ୍ୟାଗ କରି ଚାଲିଯାଇଥିଲା।

ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବଙ୍କ ବକ୍ତବ୍ୟ ଓ ନିଷ୍ପତ୍ତି ଆଜି  ଅନ୍ୟ ସବୁ ରାଜନୈତିକ ଦଳ ଓ ବିଶେଷଜ୍ଞଙ୍କୁ ଚକିତ କରିଛି।  ଅନାସ୍ଥା ପ୍ରସ୍ତାବ ଆଲୋଚନା ହେବା ପୂର୍ବରୁ ନିଜ ଆସନରେ ଠିଆ ହୋଇ ଶ୍ରୀ ମହତାବ କହିଥିଲେ, ବିଜେଡି ଗତ ୧୪ ବର୍ଷ ଧରି କେନ୍ଦ୍ରରେ ୧୦ ବର୍ଷର ଉପା ଶାସନ ଦେଖିଛି। ଚାରିବର୍ଷ ଧରି ଏନ୍‌ଡିଏ ଶାସନ ବି ଦେଖିଲାଣି। ଏହି ୧୪ ବର୍ଷର ଅବଧି ଭିତରେ ଓଡ଼ିଶାକୁ କିଛି ବି ଲାଭ ମିଳିନାହିଁ। ଏଣୁ ଅନାସ୍ଥା ପ୍ରସ୍ତାବ ଆଲୋଚନା ରାଜ୍ୟ ବା ରାଜ୍ୟବାସୀଙ୍କ ପାଇଁ କୌଣସି ପ୍ରାସଙ୍ଗକିତା ବହନ କରୁନାହିଁ। ଏଭଳି ଆଲୋଚନାରେ ଭାଗ ନେବା ଫଳପ୍ରଦ ହେବନାହିଁ। ତେଣୁ ସେମାନେ କକ୍ଷତ୍ୟାଗ କରୁଛନ୍ତି। ଏଥିସହିତ ବିଜେଡିର ସମସ୍ତ ସାଂସଦ ସଂସଦଭବନରେ ଥିବା ବିଜେଡି କାର୍ଯ୍ୟାଳୟକୁ ଚାଲିଯାଇଥିଲେ। ବିଜେଡିର କକ୍ଷତ୍ୟାଗ ବେଳେ ମୁରୁକି ମୁରୁକି ହସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ସେପଟେ ବିଜେଡି ସାଂସଦଙ୍କ ନିଷ୍ପତ୍ତିକୁ ନେଇ କିଛି ସେକେଣ୍ଡ ପାଇଁ ଗୃହରେ ହୋ ହଲ୍ଲା ହୋଇଥିଲା। ରାଜନୈତିକ ନେତାମାନେ କହିଛନ୍ତି, ବିଜେଡି ଉଭୟ ବିଜେପି ଓ କଂଗ୍ରେସ ଠାରୁ ସମଦ୍ୱରତ୍ୱ ରଖିବାରେ ସଫଳ ହୋଇଛି। ଅର୍ଥାତ୍‌ ବିଜେଡି ବିରୋଧୀ ଦଳର ଅନାସ୍ଥାକୁ ସମର୍ଥନ କରିନାହିଁ କିମ୍ବା ଆଲୋଚନାରେ ଭାଗ ନେବାକୁ ଆଗ୍ରହ ଦେଖାଇନାହିଁ।

ଗତକାଲି ସଂସଦୀୟ ଦଳ ବୈଠକର ନିଷ୍ପତ୍ତି ପରେ ବିଜେଡି ଗୃହରେ ସବୁ ସାଂସଦଙ୍କୁ ଉପସ୍ଥିତ ରହିବା ଲାଗି ହ୍ଵିପ୍‌ ଜାରି କରିଥିଲା। ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ ଅନାସ୍ଥା ଆଲୋଚନାରେ ଭାଗ ନେଇ ବକ୍ତବ୍ୟ ରଖିବା ଲାଗି ସ୍ଥିର ହୋଇଥିଲା। ମହାନଦୀ ଜଳବିବାଦ, ପୋଲାଭରମ୍‌ ପ୍ରସଙ୍ଗ, ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଭଳି ପ୍ରସଙ୍ଗରେ କେନ୍ଦ୍ରକୁ ସମାଲୋଚନା କରିବାକୁ ଯୋଜନା କରିଥିଲେ ବିଜେଡି ନେତା।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ସକାଳ ପ୍ରାୟ ୧୦ଟା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ସଂସଦୀୟ ଦଳ ନେତା ଶ୍ରୀ ମହତାବଙ୍କୁ ଅନାସ୍ଥା ପ୍ରସ୍ତାବ ରଣନୀତି ସଂପର୍କରେ ଅବଗତ କରିଥିଲେ। ଏହି ସୂଚନାକୁ ବିଜେଡି ମୁଖ୍ୟ ସଚେତକ ତଥାଗତ ଶତପଥୀଙ୍କୁ ଜଣାଇ ଦିଆଯାଇଥିଲା। ହେଲେ ପ୍ରାୟ ୧୦ଟା ୪୫ମିନିଟ୍‌ରେ ଗୃହରେ ବିଜେଡିର ଭୂମିକା ସମସ୍ତଙ୍କୁ ବିସ୍ମିତ କରିଥିଲା। ପରେ ସଂସଦର ବିଜେଡି କାର୍ଯ୍ୟାଳୟରେ ମଧ୍ୟ ଏହାକୁ ନେଇ ପ୍ରାୟ ଘଣ୍ଟାଏ ଧରି ଆଲୋଚନା ହୋଇଥିଲା।

ଗଣମାଧ୍ୟମକୁ ସାଂସଦ କଳିକେଶ ସିଂହଦେଓ କହିଥିଲେ, ରାଜ୍ୟ ସ୍ୱାର୍ଥ ଦୃଷ୍ଟିରୁ ବିଜେଡି ଏଭଳି ନିଷ୍ପତ୍ତି ନେଇଛି। ଏହା ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି। ଗତ ୧୪ ବର୍ଷ ଧରି ଦୁଇଟି ଭିନ୍ନ ସରକାର ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରିଛନ୍ତି। ରାଜ୍ୟ ପ୍ରତି ଅନ୍ୟାୟ କରାଯାଇଛି। ଯାହା ୧୪ବର୍ଷ ଧରି ମିଳିନାହିଁ, ଆଜି ଆଲୋଚନାରେ ଭାଗ ନେଇଯାଇଥିଲେ ତାହା ମିଳିଯାଇଥାନ୍ତା? ବୋଲି ପ୍ରଶ୍ନ କରିଥିଲେ କଳିକେଶ।

ଆଲୋଚନାରେ ଭାଗ ନେଇ କେନ୍ଦ୍ରକୁ ଅକଳରେ ପକାଯାଇପାରିଥାନ୍ତା ବୋଲି ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ଶ୍ରୀ ସିଂହଦେଓ କହିଥିଲେ, ବିଜେଡି ଉଭୟଙ୍କ ଠାରୁ ସମଦ୍ୱରତ୍ୱ ଅବଲମ୍ବନ କରୁଛି। ସଂଖ୍ୟା ଗଣିତରେ ଏନ୍‌ଡିଏ ବେଶ ଭଲ ସ୍ଥିତିରେ ରହିଛି।  ତାଙ୍କ ବିରୋଧରେ ଭୋଟ ଦେବା ନ ଦେବା କିଛି ବି ଫରକ ପଡୁନାହିଁ। ୧୫ମିନିଟ୍‌ର ଆଲୋଚନାରେ ୧୫ବର୍ଷର ଦାବି ପୂରଣ ହୋଇଯିବ?

ଏନ୍‌ଡିଏକୁ ପରୋକ୍ଷରେ ବିଜେଡି ସମର୍ଥନ କରୁଛି କି ବୋଲି ପ୍ରଶ୍ନ ପଚରାଯିବା ପରେ କଳିକେଶ କହିଥିଲେ, ଏଥିରେ କୌଣସି ସତ୍ୟତା ନାହିଁ। ନିଷ୍ପତ୍ତି ପଛରେ କାହାର ଚାପ ନାହିଁ। ମହାନଦୀ, ପୋଲାଭରମ୍‌ , ସ୍ୱତନ୍ତ୍ର ପାହ୍ୟା ଭଳି ସବୁ ବ଼ଡ଼ ଦାବିକୁ ଅଣଦେଖା କରାଯାଇଛି।

ସାଂସଦ ପ୍ରତାପ ଦେବ କହିଥିଲେ, ଆଲୋଚନାରେ ଭାଗ ନ ନେବା ନିଷ୍ପତ୍ତି ଯୁକ୍ତିଯୁକ୍ତ। ଆଞ୍ଚଳିକ ଦଳ ରୂପେ ବିଜେଡି ରାଜ୍ୟ ସ୍ୱାର୍ଥ ପାଇଁ ବଦ୍ଧ ପରିକର। ଓଡ଼ିଶାର ଦାବି ହାସଲ ପାଇଁ ଯୁଦ୍ଧ ଚାଲିଛି, ଚାଲିବ। ବିଜେଡି ରାଜରାସ୍ତାକୁ ଯିବ ଓ ଲୋକେ ନିର୍ଣ୍ଣାୟକ ଭୂମିକାରେ ରହିବେ।

ଏଠାରେ ଉଲ୍ଲେଖଥାଉକି, ବାଚସ୍ପତି ସୁମିତ୍ରା ମହାଜନ ବିଜେଡିକୁ ୧୫ମିନିଟ୍‌ କହିବାକୁ ସମୟ ଦେଇଥିଲେ। ବିଜେଡି କିନ୍ତୁ ୪୫ ସେକେଣ୍ଡରେ ଦଳର ଆଭିମୁଖ୍ୟ ରଖି କକ୍ଷତ୍ୟାଗ କରିଥିଲା।

ସମ୍ବନ୍ଧିତ ଖବର