ସିଗ୍ନେଚର ବ୍ରିଜ୍‌ ଲୋକାର୍ପିତ, ଶ୍ରେୟ ପାଇଁ ଲଢ଼େଇ

ବିଜେପି-ଆପ୍‌ ମୁହାଁମୁହିଁ

ନୂଆଦିଲ୍ଲୀ: ଦିଲ୍ଲୀର ଯମୁନା ନଦୀ ଉପରେ ବହୁ ପ୍ରତୀକ୍ଷିତ ସିଗ୍ନେଚର ବ୍ରିଜ୍‌ ଆଜି ଲୋକାର୍ପିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଓ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ଆମ୍‌ ଆଦ୍‌ମି ପାର୍ଟି (ଆପ୍‌)ର ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ଏହା ଉଦ୍‌ଘାଟିତ ହୋଇଛି। କିନ୍ତୁ ଉଦ୍‌ଘାଟନ ପୂର୍ବରୁ ଆଜି ଏହି ବ୍ରିଜ୍‌କୁ ନେଇ ତୁମୂଳକାଣ୍ଡ ଘଟିଛି। ବିଜେପି ଓ ଆପ୍‌ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ବିଶେଷକରି ଏହି ପୋଲ ନିର୍ମାଣର ଶ୍ରେୟ ନେବାକୁ ଉଭୟ ଦଳ ଅଣ୍ଟା ଭିଡ଼ିବା ସହିତ ପରସ୍ପରକୁ ଟାର୍ଗେଟ୍‌ କରିଛନ୍ତି। ଆଜି ସିଗ୍ନେଚର ବ୍ରିଜ୍‌ ଉଦ୍‌ଘାଟନ ପୂର୍ବରୁ ବିଜେପିର ଦିଲ୍ଲୀ ମୁଖ୍ୟ ତଥା ସ୍ଥାନୀୟ ସାଂସଦ ମନୋଜ ତିୱାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ଆପ୍‌ କର୍ମକର୍ତ୍ତାଙ୍କ ସହ ତାଙ୍କର ସାମ୍ନାସାମ୍ନି ହୋଇଥିଲା। ଫଳରେ ପୁଲିସ ତାଙ୍କୁ ରୋକିବାକୁ ଚେଷ୍ଟା କରି ଠେଲାପେଲା କରିଥିଲା। ବିନା ନିମନ୍ତ୍ରଣରେ ତିୱାରୀ ସେଠାରେ ପହଞ୍ଚିବାକୁ ନେଇ ବିବାଦ ଉପୁଜିଥିଲା। ପୁଲିସ ଓ ଆପ୍‌ ନେତାମାନେ ତାଙ୍କୁ ଧକ୍କା ମାରିବା ଏବଂ ଠେଲାପେଲା କରିଥିବା ନେଇ ତିୱାରୀ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ତିୱାରୀ ଓ ତାଙ୍କ ସମର୍ଥକମାନେ ଆପ୍‌ କର୍ମକର୍ତ୍ତାଙ୍କୁ ମାଡ଼ ମାରିଥିବା ଦଳ ଅଭିଯୋଗ କରିଛି। ଘଟଣା ପରେ ଆପ୍‌ ନେତା ଦିଲ୍ଲୀପ ପାଣ୍ଡେ କହିଛନ୍ତି, ହଜାର ହଜାର ଲୋକ ବିନା ନିମନ୍ତ୍ରଣରେ ସିଗ୍ନେଚର ବ୍ରିଜ୍‌ ଉଦ୍‌ଘାଟନ ଉତ୍ସବ ଦେଖିବାକୁ ଆସିଛନ୍ତି। କିନ୍ତୁ ବିଜେପି ନେତା ତିୱାରୀ ନିଜକୁ ଭିଆଇପି ଭାବି ଏଭଳି କାଣ୍ଡ କରିଛନ୍ତି। ତାଙ୍କ ସମର୍ଥକଙ୍କୁ ଆଣି ଗୁଣ୍ଡାଗିରି କରିଛନ୍ତି। ବିଜେପି କର୍ମୀମାନେ ସ୍ଥାନୀୟ ଲୋକ ଏବଂ ଆପ୍‌ କର୍ମୀମାନଙ୍କୁ ମାଡ଼ ମାରିଛନ୍ତି। କିଛି ଆହତଙ୍କୁ ହସ୍ପିଟାଲ୍‌ରେ ମଧ୍ୟ ଭର୍ତ୍ତି କରାଯାଇଛି। ସିଗ୍ନେଚର ବ୍ରିଜ୍‌ ଦିଲ୍ଲୀର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପାଲଟିଥିବାରୁ ଏହାର ଶ୍ରେୟ ନେବାକୁ ଉଭୟ ବିଜେପି ଓ ଆପ୍‌ ଅଣ୍ଟା ଭିଡ଼ିଛନ୍ତି। ଆପ୍‌ ନେତା ତଥା ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଟ୍ବିଟ୍‌ କରି କହିଛନ୍ତି, ବ୍ରିଜ୍‌ର ଲୋକାର୍ପଣକୁ ବିଜେପି ରୋକିବା ପାଇଁ ଶତଚେଷ୍ଟା କରି ବିଫଳ ହୋଇଛି। ଦିଲ୍ଲୀର ଏହି ‘ଏଫିଲ୍‌ ଟାୱାର’ ବିଜେପି ପ୍ରତି ଶକ୍ତ ଧକ୍କା ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ତିୱାରୀଙ୍କ କହିବାନୁସାରେ ଏହି ପୋଲ ନିର୍ମାଣ ପାଇଁ ସେ ଅନଶନରେ ବସିବାକୁ ମଧ୍ୟ ପଛାଇ ନଥିଲେ। କିନ୍ତୁ ଆପ୍‌ ସରକାର ସମସ୍ତ ପ୍ରୋଟୋକଲ୍‌କୁ ଭାଙ୍ଗି ତାଙ୍କୁ ଉଦ୍‌ଘାଟନ ଉତ୍ସବକୁ ନିମନ୍ତ୍ରଣ କରିନାହିଁ।

ସମ୍ବନ୍ଧିତ ଖବର