ନିଜ ଜାଲରେ ନିଜେ ଛନ୍ଦି ହେଲେ ଶିବଲ

ରାହୁଲ ହେଉଛନ୍ତି ବାବରଙ୍କ ଭକ୍ତ ଓ ଆଲ୍ଲାଉଦ୍ଦିନ୍‌ ଖିଲ୍‌ଜୀଙ୍କ ସଂପର୍କୀୟ: ବିଜେପି

ନୂଆଦିଲ୍ଲୀ: ଏବେ ନିଜ ଜାଲରେ ନିଜେ ଛନ୍ଦି ହୋଇ ପଡ଼ିଛନ୍ତି ଦେଶର ଖ୍ୟାତନାମା ଆଇନଜୀବୀ ତଥା କଂଗ୍ରେସ ଦଳର ଅନ୍ୟତମ ବରିଷ୍ଠ ନେତା କପିଲ ଶିବଲ୍‌। ଆଉ ଏହାର ଭରପୂର ଫାଇଦା ନେବାରେ କୌଣସି ସୁଯୋଗକୁ ହାତଛଡ଼ା କରିନାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ଦଳ ବିଜେପି।

ଉଲ୍ଲେଖଯୋଗ୍ୟ, ସୁପ୍ରିମ୍‌ କୋର୍ଟରେ ଆରମ୍ଭ ହୋଇଥିବା ବାବ୍ରୀ ମସଜିଦ୍‌- ରାମ ଜନ୍ମଭୂମି ଜମି ବିବାଦ ମାମଲାର ଚୂଡ଼ାନ୍ତ ଶୁଣାଣିରେ ସୁନ୍ନି ଓ୍ଵାକଫ୍‌ ବୋର୍ଡ ପକ୍ଷରୁ ଏହି ମାମଲାରେ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଆଇନ୍‌ଜୀବୀ କପିଲ୍‌ ଶିବଲ କୋର୍ଟଙ୍କୁ ଏହି ମାମଲାର ଶୁଣାଣିକୁ ୨୦୧୯ ଜୁଲାଇ ପରକୁ, ସାଧାରଣ ନିର୍ବାଚନ ସରିବା ପର ପର୍ଯ୍ୟନ୍ତ ଘୁଞ୍ଚାଇ ଦେବାକୁ କହିଥିଲେ। ଏହି ମାମଲା ଶୁଣାଣିର ପ୍ରଭାବ କୋର୍ଟ ବାହାରେ ଗଭୀର ଭାବେ ପଡ଼ିବା ସହ ୨୦୧୯ ସାଧାରଣ ନିର୍ବାଚନକୁ ମଧ୍ୟ ପ୍ରଭାବିତ କରିବ ବୋଲି ସେ ଯୁକ୍ତି ଦର୍ଶାଇଥିଲେ। ତେବେ, ଆଜି ସୁନ୍ନି ଓ୍ଵାକ୍‌ଫ ବୋର୍ଡର ସଦସ୍ୟ ତଥା ଏହି ମାମଲାରେ ଅନ୍ୟତମ ଆବେଦନକାରୀ ଥିବା ହାଜି ମେହେବୁବ୍‌ ଆଇନ୍‌ଜୀବୀ କପିଲ ଶିବଲଙ୍କ ଏପ୍ରକାର ଯୁକ୍ତିରେ ଗଭୀର ଅସନ୍ତୋଷ ଓ କ୍ଷୋଭ ପ୍ରକାଶ କରିଛନ୍ତି। ମେହେବୁବ୍‌ କହିଛନ୍ତି ଯେ କୋର୍ଟଙ୍କୁ ଏପ୍ରକାରର ଅନୁରୋଧ କରିବାକୁ ନା ଆମେ ଶିବଲଙ୍କୁ କହିଥିଲୁ ନା ଶିବଲ ଏପ୍ରକାରର ଯୁକ୍ତି ଦର୍ଶାଇବେ ବୋଲି ଆମର କୌଣସି ଧାରଣା ଥିଲା। ଶିବଲଙ୍କୁ ଆମେ ଜଣେ ଆଇନ୍‌ଜୀବୀ ଭାବେ ଜାଣୁ। କିନ୍ତୁ ଏ କ୍ଷେତ୍ରରେ ସେ ଗୋଟିଏ ରାଜନୈତିକ ଦଳର ନେତା ଭାବେ ଯେପରି ଯୁକ୍ତି ବାଢ଼ିଲେ, ତାହା ଆମକୁ ଦୁଃଖ ଦେବାସହ ମର୍ମାହତ କରିଛି। ଏ ବବିଦୀୟ ମାମଲାର ଚୂଡ଼ାନ୍ତ ଶୁଣାଣି ହୋଇ ଏଥିରେ ଯଥାଶୀଘ୍ର ପୂର୍ଣ୍ଣଚ୍ଛେଦ ପଡ଼ୁ ବୋଲି ଆମେ ସମସ୍ତେ ଚାହୁଁ ବୋଲି ସେ ଖୋଲାଖୋଲି କହିଛନ୍ତି। ସେହିପରି ଏହି ମାମଲାରେ ଅନ୍ୟତମ ପକ୍ଷଭୁକ୍ତ ଅଲ୍‌ ଇଣ୍ଡିଆ ମୁସ୍‌ଲିମ୍‌ ପର୍ସନାଲ ଲ’ ବୋର୍ଡ ମଧ୍ୟ ସମାନ ଢ଼ଙ୍ଗରେ ଶିବଲଙ୍କ ଯୁକ୍ତିର ବିରୋଧ କରିଛି।

Livemint

ଆଉ ଏ ପ୍ରକାର ମନ୍ତବ୍ୟ ପରେ ଏହାର ଭରପୂର ଫାଇଦା ଉଠାଇବାର କୌଣସି ସୁଯୋଗକୁ ହାତଛଡ଼ା କରିବାକୁ ଦେଇ ନାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗତକାଲି ଗୁଜୁରାଟରେ ବିଜେପି ପକ୍ଷରୁ ଆୟୋଜିତ ଏକ ନିର୍ବାଚନ ର‍୍ୟାଲିକୁ ସମ୍ବୋଧିତ କରିବା ଅବସରରେ ମୋଦି ଏପ୍ରକାରର ଅବାନ୍ତର ଯୁକ୍ତି ପାଇଁ କପିଲ ଶିବଲ୍‌ଙ୍କର ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଏହି ମାମଲାରେ ଶିବଲ ‘ମୁସଲମାନ ସଂପ୍ରଦାୟ’କୁ କୋର୍ଟରେ ପ୍ରତିନିଧିତ୍ୱ କରନ୍ତୁ, ଏଥିରେ ତାଙ୍କର କୌଣସି ପ୍ରକାରର ଆପତ୍ତି ନାହିଁ। ହେଲେ, ସେ କୋର୍ଟରେ ଯୁକ୍ତି ଉପସ୍ଥାପନ ବେଳେ ନିଜ ସୀମା ସରହଦ ମଧ୍ୟରେ ଓକିଲ ଭାବେ ଯୁକ୍ତି ଉପସ୍ଥାପିତ କରନ୍ତୁ, କଂଗ୍ରେସ ନେତାପରି ନୁହେଁ। ଏବେ, ତାଙ୍କୁ ଏହି ମାମଲାରେ ନିଯୁକ୍ତ କରିଥିବା ଆବେଦନକାରୀ ସୁନ୍ନି ଓ୍ଵାକ୍‌ଫ ବୋର୍ଡ ସୁଦ୍ଧା ତାଙ୍କ ଯୁକ୍ତିରେ ସହମତ ନଥିବା ଏହାର ପ୍ରମାଣ ଦେଉଛି। ଏବଂ କଂଗ୍ରେସର ସ୍ୱାର୍ଥରକ୍ଷା ଉଦ୍ଦେଶ୍ୟରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶରେ ଶିବଲ କୋର୍ଟରେ ଏପରି ଯୁକ୍ତି ଆଗତ କରିଥିବା ଏବେ ପ୍ରମାଣିତ ହୋଇ ଯାଇଛି।

ଏହି ମାମଲାରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏପ୍ରକାରର ଆଭିମୁଖ୍ୟ ଓ ଶାଣିତ ସ୍ୱରକୁ ଶୁଣିବା ପରେ ବିଜେପି ମଧ୍ୟ ଅତ୍ୟଧିକ ମାତ୍ରାରେ ଉତ୍ସାହିତ ହୋଇପଡ଼ିଛି। ଯାହାର ପ୍ରମାଣ ଦେଖିବାକୁ ମିଳିଛି ଦଳର ବକ୍ତବ୍ୟରୁ। ଶିବଲଙ୍କ ଯୁକ୍ତି ଓ ଆଚରଣ ପରିପ୍ରେକ୍ଷୀରେ କଟାକ୍ଷ କରି ଦଳର ପ୍ରବକ୍ତା ଜିଭିଏଲ୍‌ ନରସିଂହ ରାଓ କହଛନ୍ତି ଯେ ଏହି ଘଟଣା ପ୍ରମାଣିତ କରୁଛି ଯେ କଂଗ୍ରେସର ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ହେଉଛନ୍ତି ମୋଗଲ ସମ୍ରାଟ ବାବରଙ୍କ ଭକ୍ତ ଏବଂ ଆଲ୍ଲାଉଦ୍ଦିନ୍‌ ଖିଲ୍‌ଜୀଙ୍କ ସଂପର୍କୀୟ।

ସମ୍ବନ୍ଧିତ ଖବର