ବିଜେପିର ବିଜୟରଥକୁ ରୋକିଲେ ସପା-ବସପା, ଗୋରଖପୁର, ଫୁଲପୁର ଆସନରେ ବିଜେପି ପରାସ୍ତ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଦୁଇଟି ଲୋକସଭା ଆସନରେ ହୋଇଥିବା ଉପ-ନିର୍ବାଚନରେ ବିଜେପି ପରାଜିତ ହୋଇଛି । ଗୋରଖପୁର ଲୋକସଭା ଆସନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦୁର୍ଗ କୁହାଯାଉଥିବାବେଳେ ଫୁଲପୁର ଆସନ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଆସନ । ଫଳରେ ଏହି ଫଳାଫଳକୁ ବିଶେଷ ଗୁରୁତ୍ୱ ଦିଆଯାଉଛି । ଗୋରଖପୁର ଲୋକସଭା ଆସନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ପ୍ରବୀଣ କୁମାର ନିଶାଦ ବିଜେପିର ଉପେନ୍ଦ୍ର ଦତ୍ତ ଶୁକ୍ଳାଙ୍କୁ ପରାସ୍ତ କରିଛନ୍ତି । ସେହିପରି ଫୁଲପୁର ଆସନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ନଗେନ୍ଦ୍ର ପ୍ରତାପ ସିଂ ପଟେଲ ବିଜେପିର କୌଶଳେନ୍ଦ୍ର ସିଂଙ୍କୁ ୫୯୬୧୩ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦଳର ପରାଜୟକୁ ସ୍ୱୀକାର କରି କହିଛନ୍ତି ଯେ ଅତ୍ୟଧିକ ଆତ୍ମବିଶ୍ୱାସ ଓ ସମାଜବାଦୀ ପାର୍ଟି ଓ ବହୁଜନ ସମାଜବାଦୀ ପାର୍ଟିର ମେଣ୍ଚକୁ ହେୟଜ୍ଞାନ କରିବା ଯୋଗୁଁ ଏହା ହେଲା । ଅନ୍ୟପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି ଯେ ଉତ୍ତରପ୍ରଦେଶ ଉପନିର୍ବାଚନରେ ବିଜେପିର ପରାଜୟ ଦର୍ଶାଉଛି ଯେ ଲୋକମାନେ ବିଜେପି ଉପରେ ରାଗିଛନ୍ତି । ଭୋଟରମାନେ ଆଗକୁ ଅଣବିଜେପି ପ୍ରାର୍ଥୀମାନଙ୍କୁ ଭୋଟ ଦେବେ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର