‌ୟେଦୁରପ୍ପାଙ୍କ ଉପରୁ ଭରସା ହରାଉଛି ବିଜେପି

ଲୋକସଭା ନିର୍ବାଚନ ପାଇଁ ଭିନ୍ନ ରଣନୀତି

ବେଙ୍ଗାଲୁରୁ: କର୍ଣ୍ଣାଟକରେ ୭ ମାସ ପୁରୁଣା କଂଗ୍ରେସ-ଜେଡିଏସ୍‌ ସରକାରର ପତନ ଘଟାଇବା ପାଇଁ ସପ୍ତାହେ ହେଲା ‘ଅପରେସନ କମଳ’ ଚଳାଇଥିବା ରାଜ୍ୟ ବିଜେପି ମୁଖ୍ୟ ବି.ଏସ. ୟେଦୁରପ୍ପାଙ୍କ ଉପରେ ଏବେ ବିଜେପି ନେତୃତ୍ବ ଆଉ ଭରସା କରିପାରୁନାହିଁ। ୟେଦୁରପ୍ପାଙ୍କ ଏହି ମିସନ୍‌ ବିଫଳ ହେବା ସହ ତାଙ୍କ ଦଳୀୟ ପଦବି ମଧ୍ୟ ଚାଲିଯିବ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ତାଙ୍କୁ ଲିଙ୍ଗାୟତ ସଂପ୍ରଦାୟର ଆଉ ଜଣେ ଟାଣୁଆ ନେତାଙ୍କୁ ଦାୟିତ୍ବ ଦେବାକୁ ଦଳ ଯୋଜନା କରୁଥିବା କୁହାଯାଉଛି । ୟେଦୁରପ୍ପା କର୍ଣ୍ଣାଟକ ସରକାର ଖୁବ୍‌ଶୀଘ୍ର ଭାଙ୍ଗିଯିବ ବୋଲି କହି କେନ୍ଦ୍ରୀୟ ନେତୃତ୍ବକୁ ମନାଇଥିଲେ ଏବଂ ସମସ୍ତ ଦଳୀୟ ବିଧାୟକଙ୍କୁ ଗୁରୁଗ୍ରାମର ଏକ ରିସୋର୍ଟରେ ରଖି ଅସନ୍ତୁଷ୍ଟ କଂଗ୍ରେସ ବିଧାୟକଙ୍କ ସମର୍ଥନକୁ ଅପେକ୍ଷା କରିଥିଲେ। କିନ୍ତୁ ତାଙ୍କ ରଣନୀତି ବିଫଳ ହୋଇଛି ଏବଂ କଂଗ୍ରେସରେ ତୀବ୍ର ଆଭ୍ୟନ୍ତରୀଣ କନ୍ଦଳ ସତ୍ତ୍ବେ ସରକାର ବିରୋଧରେ ଯିବା ପାଇଁ ବିଧାୟକମାନେ ସାହସ କରିପାରି ନାହାନ୍ତି। ଆଗକୁ ଲୋକସଭା ନିର୍ବାଚନ ଥିବାରୁ ଏବେ ବିଜେପି କେନ୍ଦ୍ରୀୟ ନେତୃତ୍ବ ଭିନ୍ନ ରଣନୀତି ଅବଲମ୍ବନ କରିବାକୁ ଚାହୁଛନ୍ତି। ରାଜ୍ୟର ୨୮ଟି ଲୋକସଭା ଆସନରୁ ଅତି କମ୍‌ରେ ୨୨ଟି ଆସନରେ ବିଜୟୀ ହେବାପାଇଁ ବିଜେପି ଏବେ ଗୁରୁତ୍ବାରୋପ କରିଛି । କେନ୍ଦ୍ରୀୟ ନେତୃତ୍ବ ଏହି ଟାର୍ଗେଟ୍‌ ହାସଲ କରିବା ପାଇଁ ଏବେ ୟେଦୁରପ୍ପାଙ୍କ ହାତରେ ସବୁକିଛି ଛାଡ଼ିଦେବାକୁ ପ୍ରସ୍ତୁତ ନୁହେଁ। ପ୍ରାର୍ଥୀ ଚୟନ କ୍ଷେତ୍ରରେ ମଧ୍ୟ ୟେଦୁରପ୍ପାଙ୍କୁ ପୂର୍ଣ୍ଣ ସ୍ବାଧୀନତା ମିଳିବ ନାହିଁ ବୋଲି ଜଣାପଡ଼ିଛି। କର୍ଣ୍ଣାଟକରେ ଜେଡିଏସ୍‌-କଂଗ୍ରେସ ମେଣ୍ଟକୁ ମୁକାବିଲା କରିବା ପାଇଁ ବିଜେପିକୁ ସଂପୂର୍ଣ୍ଣ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଉପରେ ନିର୍ଭର କରିବାକୁ ପଡ଼ିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର