‘ଦଳିତଙ୍କ ଘରେ ଭୋଜନ’ ରାଜନୀତି ଅଡ଼ୁଆରେ ବିଜେପି

ଲକ୍ଷ୍ନୌ: ଦଳିତଙ୍କ ସମର୍ଥନ ହାସଲ ନିମନ୍ତେ ଏବେ ବିଜେପି ଦେଶବ୍ୟାପୀ ଦଳିତଙ୍କ ଘରକୁ ଯାଇ ଖାଦ୍ୟ ଗ୍ରହଣ କରିବା କାର୍ଯ୍ୟକ୍ରମ ଚଳାଇଛି। ତେବେ ଏହି ‘ଦଳିତ ପର୍ଯ୍ୟଟନ’ ଏବେ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ଏବଂ ଦଳ ଭିତରେ ମଧ୍ୟ ଜୋର୍‌ଦାର ବିରୋଧର ସ୍ୱର ଉଠିଛି। ଉତ୍ତର ପ୍ରଦେଶର ବହରାଇଚ ସଂରକ୍ଷିତ ଲୋକସଭା ଆସନର ବିଜେପି ସାଂସଦ ସାବିତ୍ରୀ ବାଇ ଫୁଲେ ଅଭିଯୋଗ କରିଛନ୍ତି ଯେ, ଦଳର ଏହି କାର୍ଯ୍ୟକ୍ରମ ଦଳିତମାନଙ୍କ ପ୍ରତି ପରିହାସ ଏବଂ ସବୁଠାରୁ ବଡ଼ ଅପମାନ ହୋଇଛି। ବିଜେପି ନେତାମାନେ ଦଳିତଙ୍କ ଘରକୁ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଭୋଜନ ଧରି ଥାଟବାଟରେ ଯାଉଛନ୍ତି ଏବଂ ସେଠାରେ ଭୋଜନ କରୁଛନ୍ତି। ଜାତିଆଣ ଭେଦଭାବକୁ ହଟାଇବା ପାଇଁ ଦଳର ଏହି ଯୋଜନା ଏବେ ଦଳ ପାଇଁ ବୁମେରାଂ ହୋଇଛି ବୋଲି ଏହି ବିଜେପି ସାଂସଦ ଗଣମାଧ୍ୟମକୁ କହିଛନ୍ତି। ସେ କହିଛନ୍ତି ଯେ, ଆମ ନେତାମାନେ ଫାଇଭ୍‌ ଷ୍ଟାର୍‌ ହୋଟେଲରେ ପ୍ରସ୍ତୁତ ଭୋଜନ ଧରି ଅନୁସୂଚିତ ଜାତିର ଲୋକଙ୍କ ଘରେ ପହଞ୍ଚୁଛନ୍ତି ଏବଂ ସେଠାରେ ଭୋଜନ କରି ଫେରୁଛନ୍ତି। ଏଭଳି କାର୍ଯ୍ୟ ଦ୍ୱାରା ଅନେକ ଦଳିତ ପରିବାର ନିଜକୁ ବହୁତ ଅପମାନିତ ଅନୁଭବ କରୁଥିବା ସେ କହିଛନ୍ତି। ଦଳିତଙ୍କ ଘରକୁ ନେତାମାନେ ଯେଉଁ ଭୋଜନ ନେଇ ଯାଉଛନ୍ତି ତାହା ମଧ୍ୟ ସେଠାରେ ନେତାଙ୍କ ଦ୍ୱାରା ନିଯୁକ୍ତ ଲୋକେ ତାଙ୍କୁ ପରିବେଷଣ କରୁଛନ୍ତି ଏବଂ ଏଥିରେ ଦଳିତ ପରିବାରର ବାସନକୁସନ ମଧ୍ୟ ବ୍ୟବହାର କରାଯାଉନାହିଁ। ଦଳିତଙ୍କୁ ସଂପୂର୍ଣ୍ଣ ଅଣଦେଖା କରି ସେମାନଙ୍କ ଘରେ ଏଭଳି ଭୋଜନ କାର୍ଯ୍ୟକ୍ରମ ଭେଦଭାବକୁ ଅଧିକ ବଢ଼ାଉଛି ବୋଲି ସେ କହିଛନ୍ତି।
ସାବିତ୍ରୀ କହିଛନ୍ତି ଯେ ଏହାଦ୍ୱାରା ଆମ ନେତାମାନେ ଗରିବ ଦଳିତମାନଙ୍କୁ ଚେତାଇ ଦେଉଛନ୍ତିି ଯେ ସେମାନେ ଏବେ ବି ଅବହେଳିତ ଓ ନିମ୍ନ ଜାତିର। ମୁଁ ଭାରତର ଜଣେ ସାଂସଦ ହୋଇଥିଲେ ମଧ୍ୟ ମତେ ଜଣେ ଅନୁସୂଚିତ ଜାତିର ସାଂସଦ ଭାବେ ପରିଚିତ ହେବାକୁ ପଡ଼ୁଛି। ନିଜ ଦଳର ନେତାଙ୍କୁ ପରାମର୍ଶ ଦେଇ ସେ କହିଛନ୍ତି ଯେ ଦଳୀୟ ନେତାମାନେ ଦଳିତଙ୍କ ଘରକୁ କୌଣସି ପୂର୍ବ ସୂଚନା ନଦେଇ ହଠାତ ପହଞ୍ଚିବା ଆବଶ୍ୟକ। ସେଠାରେ ସେମାନେ ଦଳିତଙ୍କ ଘରେ ପ୍ରସ୍ତୁତ ହୋଇଥିବା କେବଳ ରୁଟି ଲୁଣ ହେଉ କିମ୍ବା ଭାତ ଡାଲି ଯାହା ମିଳିବ ତାହା ଗ୍ରହଣ କରିବା ଉଚିତ। ଯଦି ଏଭଳି ଆଭିମୁଖ୍ୟ ରହିବ ନାହିଁ ତା’ହେଲେ ଦଳିତଙ୍କ ଘରକୁ ସୌଖିନ୍‌ ଭ୍ରମଣ କେବଳ ପ୍ରଚାର ସର୍ବସ୍ୱ ହୋଇଯିବ ବୋଲି ସେ ଚେତାଇ ଦେଇଛନ୍ତି।
ଦଳିତଙ୍କ ଘରକୁ ଯାଇ ସେମାନଙ୍କ ଆତ୍ମବିଶ୍ୱାସ ବଢ଼ାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ନେତାମାନଙ୍କୁ କହିଥିବା ବେଳେ ଏବେ ଦଳୀୟ ସାଂସଦଙ୍କ ବିଦ୍ରୋହର ସ୍ୱର ଦଳ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିଛି। ସାବିତ୍ରୀ କହିଛନ୍ତି ଯେଉଁମାନେ ଦଳିତଙ୍କ ଉପରେ ଆକ୍ରମଣ କରୁଛନ୍ତି ଏବଂ ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ବିକୃତ କରୁଛନ୍ତି, ସେମାନଙ୍କୁ ସରକାର ଦଣ୍ଡିତ କରିବାରେ ବିଫଳ ହୋଇଛନ୍ତି। ସାବିତ୍ରୀଙ୍କ ଅଭିଯୋଗ ନେଇ ରାଜ୍ୟ ବିଜେପି ପ୍ରବକ୍ତା ମନିଷ ଶୁକ୍ଳା କହିଛନ୍ତି ଯେ ଦଳିତଙ୍କ ଅଧିକ କଲ୍ୟାଣ ହେବା ଆବଶ୍ୟକ ଏବଂ ଏ ବାବଦରେ ଦଳର ନିର୍ଦ୍ଦେଶକୁ ଦଳୀୟ ସାଂସଦ ମାନିବା ଜରୁରୀ।

ବିବାଦରେ ମନ୍ତ୍ରୀ ସୁରେଶ ରାଣା
ହୋଟେଲରୁ ଖାଦ୍ୟ ମଗାଇ ଶତାଧିକ ସମର୍ଥକଙ୍କ ସହ ଖାଇଲେ

ଆଲିଗଡ଼ର ଜଣେ ଦଳିତ ବ୍ୟକ୍ତି ରଜନୀଶ କୁମାର କହିଛନ୍ତି ଯେ ରାଜ୍ୟର ମନ୍ତ୍ରୀ ସୁରେଶ ରାଣା ଗତ ସୋମବାର ଦିନ ତାଙ୍କ ଘରେ ଶତାଧିକ ଲୋକଙ୍କ ସହ ରାତି ୧୧ଟାରେ ପହଞ୍ଚିଥିଲେ ଏବଂ କହିଥିଲେ ଯେ ତାଙ୍କ ଘର ସମ୍ମୁଖରେ ସେମାନେ ଭୋଜନ କରିବାକୁ ଚାହୁଛନ୍ତି। ସେମାନେ ହୋଟେଲରୁ ମଗାଇଥିବା ପଲାଉ, ମଟର ପନିର୍‌, ତନ୍ଦୁରି ରୋଟି ଏବଂ ଗୁଲବଜାମୁ ଖାଇଥିଲେ। ଶତାଧିକ ଲୋକଙ୍କ ପାଇଁ ମିନେରାଲ ଓ୍ଵାଟର୍‌ ବ୍ୟବସ୍ଥା ମଧ୍ୟ ହୋଇଥିଲା। ଏହି ସମୟରେ ବିଜେପି ନେତାମାନେ ତାଙ୍କୁ ତାଙ୍କୁ ଗୋଟିଏ କୋଣରେ ଅଲଗା ବସି ଖାଇବାକୁ କହିଥିଲେ। ତେବେ ରାଣା ଏହାକୁ ଖଣ୍ଡନ କରି କହିଛନ୍ତି ଯେ ରଜନୀଶ କୁମାର ହିଁ ତାଙ୍କୁ ନିମନ୍ତ୍ରଣ କରିଥିଲେ ଏବଂ ତାଙ୍କ ଘରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ସହିତ ବାହାରୁ ଅଣାଯାଇଥିବା ଖାଦ୍ୟ ସେ ଓ ତାଙ୍କ ସମର୍ଥକମାନେ ଖାଇଥିଲେ। ତେବେ ରାଣାଙ୍କ ପଦକ୍ଷେପକୁ ରାଜ୍ୟ କଂଗ୍ରେସ ନେତାମାନେ ତୀବ୍ର ସମାଲୋଚନା କରି ଏବଂ ଏହା ଦଳିତଙ୍କ ପାଇଁ ଅପମାନ ବୋଲି କହିଛନ୍ତି।

‘ଦଳିତଙ୍କ ଘରେ ମଶା କାମୁଡ଼ୁଛନ୍ତି’
ଉତ୍ତର ପ୍ରଦେଶ ମନ୍ତ୍ରୀ ଅନୁପମା ଜୟସ୍ୱାଲ ନିକଟରେ ଦଳିତଙ୍କ ଘରେ ଭୋଜନ କରିବା ପରେ ସେଠାରେ ପ୍ରବଳ ମଶା କାମୁଡ଼ିଥିବା କହଛନ୍ତି। ଏହାକୁ ନେଇ ବିବାଦ ବଢ଼ିବା ପରେ ସେ କିହଥିଲେ ଗଣମାଧ୍ୟମ ତାଙ୍କ ବୟାନକୁ ବିକୃତ କରି ପରିବେଷଣ କରିଛି। ଅନୁପମା କହିଥିଲେ ଯେ ମନ୍ତ୍ରୀମାନେ ଦଳିତଙ୍କ ଘରକୁ ଯିବା ଦ୍ୱାରା ସେମାନଙ୍କୁ ଶାନ୍ତି ମିଳୁଛି। ସମାଜର ଏହି ଅବହେଳିତ ବର୍ଗଙ୍କ ଉନ୍ନତି ପାଇଁ ଆମେ ପ୍ରଚୁର ପରିଶ୍ରମ କରୁଛୁ ବୋଲି ସେ କହିଥିଲେ। ମଶା କାମୁଡ଼ିବା ସତ୍ତ୍ୱେ ଦଳିତଙ୍କ ଘରେ ଭୋଜନ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଥିଲେ। ସମାଜବାଦୀ ପାର୍ଟି ଅନୁପମାଙ୍କ ବୟାନ ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛି ଯେ ରାଜ୍ୟ ମନ୍ତ୍ରୀମାନଙ୍କ ନାଟକବାଜି ଯୋଗୁଁ ଦଳିତ ସଂପ୍ରଦାୟ ଏବେ ଘୋର ଅଡ଼ୁଆରେ ପଡ଼ିଛନ୍ତି।

ଦଳିତଙ୍କ ଘରେ ଭୋଜନ କରିବାକୁ ମନାକଲେ ଉମା ଭାରତୀ
ଦଳିତଙ୍କ ଘରେ ଭୋଜନ କାର୍ଯ୍ୟକ୍ରମ କେବଳ ଏକ ରାଜନୈତିକ ହଟଚମଟ ବୋଲି କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ସ୍ୱୀକାର କରିଛନ୍ତି। ଗତ ମଙ୍ଗଳବାର ଦିନ ଉମା ଭାରତୀ ଜଣେ ଦଳିତଙ୍କ ଘରେ ଭୋଜନ କରିବାର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମକୁ ଅଚାନକ ବାତିଲ କରିଦେଇଥିଲେ। ସେ କହିଥିଲେ ଯେ ବିଜେପି ନେତାମାନେ ପ୍ରଭୁ ଶ୍ରୀରାମ ନୁହନ୍ତି ଯେ ଦଳିତଙ୍କ ଘରେ ଭୋଜନ କରି ସେମାନଙ୍କୁ ପବିତ୍ର କରିଦେବେ। ଏହି କାର୍ଯ୍ୟକ୍ରମରୁ ବିଶେଷ କିଛି ସୁଫଳ ମିଳିବାର ନାହିଁ ବୋଲି ସେ କହିଥିଲେ। ତେବେ ପରବର୍ତ୍ତୀ ସମୟରେ ସେ କ୍ଷମା ପ୍ରାର୍ଥନା କରି କହିଥିଲେ ଯେ ଦଳିତଙ୍କ ଘରେ ତାଙ୍କର ଖାଇବା କାର୍ଯ୍ୟକ୍ରମ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ସେ ଜାଣିନଥିଲେ। ଦଳିତଙ୍କୁ ନିଜ ଘରକୁ ଆମନ୍ତ୍ରଣ କରି ତାଙ୍କ ସହ ଭୋଜନ କରିବା ଉପରେ ଉମା ଗୁରୁତ୍ୱାରୋପ କରିଛନ୍ତି। ଉମାଙ୍କ ବୟାନକୁ ନେଇ ମଧ୍ୟ ବିଜେପି ଅଡ଼ୁଆରେ ପଡ଼ିଛି। କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନ କହିଛନ୍ତି ଯେ କାହାକୁ ଜାତି ପଚାରି ଦୟା ଦେଖାଇବା ପରିବର୍ତ୍ତେ ସେମାନଙ୍କ ଅସଲ ବିକାଶ କରିବା ଆବଶ୍ୟକ। ଦଳିତଙ୍କ ଘରେ ବିଜେପି ନେତା ଭୋଜନ କାର୍ଯ୍ୟକ୍ରମକୁ ସେ ନାପସନ୍ଦ କରିଛନ୍ତି।

ସମ୍ବନ୍ଧିତ ଖବର