ବିହାର ପାଇଁ ଏନ୍‌ଡିଏର ଆସନ ଭାଗବଣ୍ଟା ଚୂଡ଼ାନ୍ତ

୨୦ ଲୋକସଭା ଆସନରେ ଲଢ଼ିବ ବିଜେପି

ପାଟନା: ଆଗାମୀ ୨୦୧୯ ଲୋକସଭା ନିର୍ବାଚନ ନିମନ୍ତେ ବିହାରରେ ଏନ୍‌ଡିଏ ଏହାର ଆସନ ଭାଗବଣ୍ଟା ଫର୍ମୁଲା ଚୂଡ଼ାନ୍ତ କରିଛି। ଚୂଡ଼ାନ୍ତ ନିଷ୍ପତ୍ତି ଅନୁସାରେ ବିହାରର ମୋଟ ୪୦ ଲୋକସଭା ଆସନ ମଧ୍ୟରୁ ବିଜେପି ୨୦ଟିରେ ନିର୍ବାଚନ ଲଢ଼ିବ। ଏନ୍‌ଡିଏ ସହଯୋଗୀ ଦଳ ଜନତା ଦଳ ୟୁନାଇଟେଡ୍‌ (ଜେଡିୟୁ) ପାଇଁ ୧୨ଟି ଆସନ ଛାଡ଼ିବ। ସେହିପରି ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ୬ଟି ଲୋକସଭା ଆସନରେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବ ବୋଲି ନିଷ୍ପତ୍ତି ହୋଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ଏବଂ ଜେଡିୟୁ ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ୍‌ କୁମାରଙ୍କ ମଧ୍ୟରେ ଆଲୋଚନା ହେବା ପରେ ଆସନ ଭାଗବଣ୍ଟା ନେଇ ନିଷ୍ପତ୍ତି ହୋଇଛି। କିନ୍ତୁ ଏଥିରେ ଜେଡିୟୁ ନେତାମାନେ ଅସନ୍ତୋଷ ପ୍ରକାଶ କରି ଅତିକମ୍‌ରେ ୧୭ଟି ଆସନ ଜେଡିୟୁକୁ ମିଳିବାର ଥିଲା ବୋଲି ଦର୍ଶାଇଛନ୍ତି। ଅନ୍ୟପକ୍ଷରେ ଏନ୍‌ଡିଏର ଏକ ସହଯୋଗୀ ଭାବେ ଯଦି ରାଷ୍ଟ୍ରୀୟ ଲୋକ ସମତା ପାର୍ଟି (ଆର୍‌ଏଲ୍‌ଏସ୍‌ପି) ନିର୍ବାଚନ ଲଢ଼ିବାକୁ ଚାହେ, ତେବେ ବିଜେପି କୋଟାରୁ ଦଳକୁ ଦୁଇଟି ଆସନ ଦିଆଯିବ। ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦ୍ୱିତୀୟ ଥର ଶାସନ କ୍ଷମତା ଦେବା ପରିପ୍ରେକ୍ଷୀରେ ଆର୍‌ଏଲ୍‌ଏସ୍‌ପି ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ନିକଟକୁ ଯିବାକୁ ପ୍ରସ୍ତୁତ ବୋଲି ଦଳର ମୁଖ୍ୟ ତଥା କେନ୍ଦ୍ରମନ୍ତ୍ରୀ ଉପେନ୍ଦ୍ର କୁଶଓ୍ଵାହା ନିକଟରେ କହିଥିଲେ।

ସମ୍ବନ୍ଧିତ ଖବର