କଠୁଆକୁ ନେଇ ପୁଣି ଅଡ଼ୁଆରେ ବିଜେପି:ବିବାଦରେ ଜମ୍ମୁ-କଶ୍ମୀର ମନ୍ତ୍ରିମଣ୍ଡଳ ଅଦଳବଦଳ

ଶ୍ରୀନଗର : ଜମ୍ମୁ କଶ୍ମୀରର ପିଡିପି-ବିଜେପି ମେଣ୍ଟ ସରକାରର ମନ୍ତ୍ରିମଣ୍ଡଳରେ ଆଜି ବଡ଼ଧରଣର ଅଦଳ ବଦଳ ହୋଇଛି। ଗତକାଲି ବିଜେପି ନେତା ନିର୍ମଳ ସିଂହ ଜମ୍ମୁ-କଶ୍ମୀର ଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ଆଜି ରାଜ୍ୟ ବିଧାନସଭାର ବାଚସ୍ପତି ତଥା ବିଜେପି ନେତା କବିନ୍ଦ୍ର ଗୁପ୍ତା ନୂଆ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତାଙ୍କ ସହିତ ଆଉ ୭ ଜଣ ମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଜେପି ସଭାପତି ସତପାଲ୍‌୍‌ ଶର୍ମା, କଠୁଆ ବିଧାୟକ ରାଜୀବ ଜସରୋତିଆ, ଶାମ୍ଭା ବିଧାୟକ ଡିକେ ମାନ୍ୟାଲ୍‌, ସୁନୀଲ ଶର୍ମା, ଏବଂ ଶକ୍ତି ରାଜ୍‌ ରହିଛନ୍ତି। ଏମାନେ ସମସ୍ତେ ବିଜେପି ଦଳର। ସେହିଭଳି ମନ୍ତ୍ରିମଣ୍ଡଳରେ ପିଡିପିର ଦୁଇ ଜଣ ଯଥା ମହମ୍ମଦ ଆସରଫ୍‌ ମିର, ମହମ୍ମଦ ଖାଲିଲ୍‌ ବନ୍ଦ୍‌ ସାମିଲ ହୋଇଛନ୍ତି। ସମସ୍ତେ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ପୂର୍ବରୁ ମନ୍ତ୍ରିମଣ୍ଡଳରେ ପରିବହନ ରାଷ୍ଟ୍ରମନ୍ତ୍ରୀ ଥିବା ସୁନୀଲ ଶର୍ମାଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀ କରାଯାଇଛି।
ତେବେ ଆଜି ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ବିଜେପି ନେତାଙ୍କୁ ନେଇ ବିବାଦ ସୃଷ୍ଟି ହୋଇଛି। କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତଙ୍କୁ ସମର୍ଥନ ଜଣାଇଥିବା ବିଜେପି ରାଜ୍ୟ ସଭାପତି ଏବଂ କଠୁଆ ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି। ଏହାକୁ ବିରୋଧୀ ଦଳ ତୀବ୍ର ସମାଲୋଚନା କରିଛନ୍ତି। ସେମାନେ କହିଛନ୍ତି ଯେ ଏହି କାରଣରୁ ଦୁଇ ଜଣ ମନ୍ତ୍ରୀ ଇସ୍ତଫା ଦେଇଥିବା ବେଳେ ସମାନ ଅଭିଯୋଗ ଆସିଥିବା ଅନ୍ୟ ଦୁଇ ଜଣଙ୍କୁ ମନ୍ତ୍ରିମଣ୍ଡଳରେ କିପରି ସାମିଲ କରାଗଲା। ତେବେ କଠୁଆ ଗଣଦୁଷ୍କର୍ମ ସହ ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନ ଯୋଡ଼ିବା ଲାଗି ବିଜେପି ସାଧାରଣ ସଂପାଦକ ରାମ ମାଧବ କହିଛନ୍ତି।
କ୍ୟାବିନେଟ୍‌ରେ ‘କଳଙ୍କିତ’ ବିଜେପି ବିଧାୟକ
ଶ୍ରୀନଗର, ୩୦/୪ : ଜମ୍ମୁ କଶ୍ମୀର କ୍ୟାବିନେଟ୍‌ରେ ଆଜି ଅଦଳ ବଦଳ ହୋଇଥିବାବେଳେ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ୮ ଜଣଙ୍କ ମଧ୍ୟରେ କଠୁଆ ବିଜେପି ବିଧାୟକ ରାଜୀବ ଜସରୋତିଆ ଥିବା ଜଣାଯାଇଛି। ତେବେ ରାଜୀବ ଜସରୋତିଆ କଠୁଆ ଦୁଷ୍କର୍ମ ଅଭିଯୁକ୍ତଙ୍କ ସପକ୍ଷରେ ହୋଇଥିବା ଏକ ର‍୍ୟାଲିରେ ଯୋଗ ଦେଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ସେ କିଛିଦିନ ପାଇଁ ଫେରାର ମଧ୍ୟ ହୋଇଯାଇଥିଲେ। ବିଜେପିର ଅନ୍ୟ ଦୁଇ ଜଣ ମନ୍ତ୍ରୀ ଲାଲ୍‌ ସିଂ ଏବଂ ପ୍ରକାଶ ଗଙ୍ଗା ମଧ୍ୟ ଏହି ର‍୍ୟାଲିରେ ଅଂଶଗ୍ରହଣ କରିଥିବା ଯୋଗୁଁ ନିଜ ପଦରୁ ଇସ୍ତଫା ଦେଇଥିଲେ।
ମାମୁଲି ଘଟଣା: ଉପ ମୁଖ୍ୟମନ୍ତ୍ରୀ
ଶ୍ରୀନଗର, ୩୦/୪ : ଆଜି ଜମ୍ମୁ କଶ୍ମୀର ଉପ ମୁଖ୍ୟମନ୍ତ୍ରୀ ଭାବେ କବିନ୍ଦ୍ର ଗୁପ୍ତା ଶପଥ ଗ୍ରହଣ କରିବାର କିଛି ସମୟ ପରେ ଏକ ବିବାଦୀୟ ବୟାନ ଦେଇ ଅଡ଼ୁଆରେ ପଡ଼ି ଯାଇଛନ୍ତି। କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲା ଅତି ସାମାନ୍ୟ ଘଟଣା ଏବଂ ଏହାକୁ ଅଧିକ ଗୁରୁତ୍ୱ ଦେବା ଉଚିତ ନୁହେଁ ବୋଲି କହି କବିନ୍ଦ୍ର ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛନ୍ତି। କଂଗ୍ରେସ ନେତା ସଲମାନ୍‌ ନିଜାମି ଆଜି ଏନେଇ ଏକ ଭିଡିଓ ପୋଷ୍ଟ୍‍ କରିଛନ୍ତି। ଉକ୍ତ ଭିଡିଓରେ କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲା ଅତି ସାଧାରଣ ଘଟଣା ବୋଲି କବିନ୍ଦ୍ର କହୁଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଉପ ମୁଖ୍ୟମନ୍ତ୍ରୀ କବିନ୍ଦ୍ର ସଫେଇ ଦେଇ କହିଛନ୍ତି ଯେ କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟ ଏଯାବତ୍‌ ରାୟ ଦେଇନାହାନ୍ତି। ତେଣୁ ଏହି ମାମଲା ଉପରେ ବାରମ୍ବାର ଆଲୋଚନା କରିବାର କିଛି ମାନେ ନାହିଁ। ଏମିତି ଅନେକ ଘଟଣା ଘଟୁଛି। ତେଣୁ ଏହି ଗୋଟିଏ ଘଟଣାକୁ ଅତିରଞ୍ଜିତ କରିବା ଉଚିତ୍‌ ନୁହେଁ ବୋଲି କବିନ୍ଦ୍ର ସଫେଇ ଦେଇଛନ୍ତି।

ସମ୍ବନ୍ଧିତ ଖବର