କର୍ଣ୍ଣାଟକରେ ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ଭେଟିଲେ ବିଜେପି, ଜେଡିଏସ୍

ବାଙ୍ଗାଲୁରୁ : କର୍ଣ୍ଣାଟକରେ ପରବର୍ତ୍ତୀ ସରକାର ଗଠନ ପାଇଁ ବିଜେପି ରାଜ୍ୟପାଳଙ୍କ ନିକଟରେ ଦାବି କରିଛି । ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବିଏସ ୟେଦ୍ୟୁରପ୍ପା ରାଜ୍ୟପାଳ ବାଜୁ ଭାଇ ଭଲ୍ଲାଙ୍କୁ ଭେଟି ସରକାର ଗଢିବା ପାଇଁ ଦାବି କରିଛନ୍ତି । ବିଜେପି ଏକକ ସଂଖ୍ୟାଗରିଷ୍ଠତା ପାଇଥିବାରୁ ସରକାର ଗଠନ ପାଇଁ ସୁଯୋଗ ମିଳିବା ଆବଶ୍ୟକ ବୋଲି ସେ ରାଜ୍ୟପାଳଙ୍କୁ ଜଣାଇଛନ୍ତି । ତେବେ ବିଚାର ବିମର୍ଷ ପରେ ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟପାଳ ତାଙ୍କୁ ଜଣାଇଛନ୍ତି । ୟେଦ୍ୟୁରପ୍ପା ରାଜ୍ୟପାଳଙ୍କୁ ଭେଟି ଫେରିବା ପରେ ଜେଡି (ଏସ) ନେତା କୁମାରସ୍ୱାମୀ ରାଜ୍ୟପାଳଙ୍କୁ ଭେଟିବାପାଇଁ ଯାଇଛନ୍ତି । ସେ କଂଗ୍ରେସ ସମର୍ଥନରେ ସରକାର ଗଠନ ପାଇଁ ଦାବି କରିବେ । ଏ ପର୍ଯ୍ୟନ୍ତ ମିଳିଥିବା ଫଳାଫଳ ଅନୁସାରେ ବିଜେପି ୧୦୪ଟି ଆସନ ପାଇଥିବାବେଳେ କଂଗ୍ରେସ ୭୮ ଓ ଜେଡିଏସ ୩୮ଟି ଆସନ ପାଇଛି ।

ସରକାର ଗଠନ ନେଇ ବିଚାର ବିମର୍ଷ କରିବା ପାଇଁ ବିଜେପି ନିଜର ବରିଷ୍ଠ ନେତା ପ୍ରକାଶ ଜାବଡେକର ଓ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖଙ୍କୁ ବାଙ୍ଗାଲୁରୁ ପଠାଇଛି । ତେବେ ଏବେ ସମସ୍ତଙ୍କ ନଜର ରାଜ୍ୟପାଳଙ୍କ ଉପରେ ରହିଛି । ରାଜ୍ୟପାଳ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସମ୍ବିଧାନ ବିଶେଷଜ୍ଞ ଓ ଆଇନ ବିଶେଷଜ୍ଞଙ୍କ ପରାମର୍ଶ ନେବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର