ମହିଳା ସାମ୍ବାଦିକାମାନଙ୍କୁ ଅଶାଳୀନ ଭାଷା ପ୍ରୟୋଗ କରି ଫେସ୍‌ବୁକ୍‌ରେ ଗାଳିଦେବା ମହଙ୍ଗା ପଡ଼ିଲା ବିଜେପି ନେତାଙ୍କୁ

ନିଜ ଅପକର୍ମ ପାଇଁ ସର୍ବ ସାଧାରଣରେ କଲେ କ୍ଷମାପ୍ରାର୍ଥନା

ଚେନ୍ନାଇ (ତାମିଲନାଡୁ): ମହିଳା ସାମ୍ବାଦିକାମାନଙ୍କୁ ନିହାତି ଅଶାଳୀନ ଭାଷା ଓ ଅମାର୍ଜିତ ଶବ୍ଦ ବ୍ୟବହାର କରି ନିଜର ଏକ ଫେସ୍‌ବୁକ୍‌ ପୋଷ୍ଟରେ ଗାଳିଦେବା ଘଟଣା ଏବେ ଅଭିନେତାରୁ ରାଜନେତା ପାଲଟିଥିବା ଭାରତୀୟ ଜନତା ପାର୍ଟି (ବିଜେପି)ର ପୂର୍ବତନ ବିଧାୟକ ଏସ୍‌. ଭି ଶେଖରଙ୍କ ପାଇଁ ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଛି। ଶେଖରଙ୍କ ଏପ୍ରକାର ଅପକର୍ମ ପାଇଁ ତାଙ୍କୁ ସବୁ ମହଲରୁ ତୀବ୍ର ଓ କଟୁ ସମାଲୋଚନା ହେବାପରେ ସେ ତାଙ୍କର ଫେସ୍‌ବୁକ୍‌ ପୋଷ୍ଟିଂକୁ ଡିଲିଟ୍‌ କରିଦେବା ସହ ନିଜର ଏହି ଅପକର୍ମ ପାଇଁ କ୍ଷମାପ୍ରାର୍ଥନା କରିଛନ୍ତି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ତାମିଲନାଡ଼ୁ ରାଜ୍ୟପାଳ ବନ୍‌ଓ୍ଵାରିଲାଲ୍‌ ପୁରୋହିତ ଗତ ସୋମବାର ଦିନ ରାଜଭବନରେ ଡାକିଥିବା ଏକ ସମ୍ବାଦିକ ସମ୍ମିଳନୀରେ ଜନୈକା ମହିଳା ସାମ୍ବାଦିକଙ୍କ ଗାଲକୁ ଥାପୁଡ଼ାଇ ବିବାଦ ଘେରରେ ଫଶି ଯାଇଥିଲେ। ରାଜ୍ୟପାଳ ପୁରୋହିତଙ୍କ ଏପ୍ରକାର ଆଚରଣକୁ ନିନ୍ଦା କରାଯିବା ପରେ ଏବେ ବିଜେପି ନେତାମାନେ ଏହି ମାମଲାରେ ରାଜ୍ୟପାଳଙ୍କୁ ସମର୍ଥନ ଜଣାଇବା ପାଇଁ ସୋସିଆଲ ମିଡିଆକୁ ଏକ ମାଧ୍ୟମ ଭାବେ ଗ୍ରହଣ କରିଛନ୍ତି। ଏହିକ୍ରମରେ ବିଜେପିର ପୂର୍ବତନ ବିଧାୟକ ଏସ୍‌. ଭି ଶେଖର ମହିଳାମାନଙ୍କୁ ନିହାତି ଅଶାଳୀନ ଭାଷାରେ କଟାକ୍ଷ କରିବାକୁ କୁଣ୍ଠାବୋଧ କରିନାହାନ୍ତି। ନିଜ ଫେସ୍‌ବୁକ୍‌ ପୋଷ୍ଟିଂରେ ଶେଖର, ‘ମହିଳା ସମ୍ବାଦିକାମାନେ ନଷ୍ଟ ଚରିତ୍ରର ଏବଂ ଚରିତ୍ରହୀନା। ନିଜର ଉଦ୍ଦେଶ୍ୟ ସାଧନ ପାଇଁ ସେମାନେ କ୍ଷମାତାଧର ବ୍ୟକ୍ତି ବିଶେଷମାନଙ୍କର ଶଯ୍ୟା ସଙ୍ଗିନୀ ସାଜିବାକୁ ସୁଦ୍ଧା କୁଣ୍ଠିତ ହୁଅନ୍ତି ନାହିଁ; ଇତ୍ୟାଦି ଇତ୍ୟାଦି…’ ଲେଖିଥିଲେ।

ତେବେ, ଏହାକୁ ସବୁ ମହଲରୁ ନିନ୍ଦା କରାଯିବା ପରେ ଏବେ ହରଡ଼ଘଣାରେ ପଡ଼ିଛନ୍ତି ବିଜେପି ନେତା ଶେଖର। ନିଜ ଫେସ୍‌ବୁକ୍‌ ପୋଷ୍ଟିଂକୁ ଅବିଳମ୍ବେ ଡିଲିଟ୍‌ କରିବା ସହ ସାଧାରଣରେ କ୍ଷମାପ୍ରାର୍ଥନା କରିଛନ୍ତି। ନିଜ ସଫେଇରେ ବିଜେପି ନେତା ଶେଖର କହିଛନ୍ତି, ‘ମୋର ଏଇ ଫେସ୍‌ବୁକ୍‌ ପୋଷ୍ଟିଂଟି ଭୁଲକ୍ରମେ ମୋ ଅଜାଣତରେ ହୋଇଯାଇଛି। ମୁଁ ନିଜେ ପଢ଼ିବା ପୂର୍ବରୁ ପୋଷ୍ଟିଂଟି ଭୁଲ୍‌କ୍ରମେ ସେୟାର ହୋଇଯାଇଛି। ମୋର ମହିଳାମାନଙ୍କ ପ୍ରତି ଯଥେଷ୍ଟ ସମ୍ମାନ ରହିଛି। ମୋର ଜଣେ ବନ୍ଧୁ ଏହି ଘଟଣାକୁ ମୋ ଦୃଷ୍ଟକୁ ଆଣିବା କ୍ଷଣି ମୁଁ ଏହାକୁ ଡିଲିଟ୍‌ କରି ଦେଇଛି। ତଥାପି ମୋର ଏଇ ଆଚରଣ ପାଇଁ ମୁଁ ଦୁଃଖିତ, ମର୍ମାହତ ଏବଂ ଏଥିପାଇଁ କ୍ଷମାପ୍ରାର୍ଥନା କରୁଛି।’

ପ୍ରସଙ୍ଗକ୍ରମେ ଉଲ୍ଳେଖଯୋଗ୍ୟ, ଶେଖରଙ୍କ ପୂର୍ବରୁ ତାମିଲନାଡ଼ୁର ଅନ୍ୟତମ ବିଜେପି ନେତା ତଥା ରାଷ୍ଟ୍ରୀୟ ସଂପାଦକ ଡି ରାଜା, ରାଜ୍ୟପାଳ ବନ୍‌ଓ୍ଵାରିଲାଲ୍‌ ପୁରୋହିତଙ୍କୁ ସମର୍ଥନ ଜଣାଇବା ଉଦ୍ଦେଶ୍ୟରେ ଡିଏମ୍‌କେର ରାଜ୍ୟସଭା ସାଂସଦ କାନମୋଝିଙ୍କୁ ‘ଜାରଜ ସନ୍ତାନ’ ବୋଲି ଆକ୍ଷେପ କରି ଟୁଇଟ୍‌ କରିବାକୁ ସୁଦ୍ଧା ପଛାଇ ନଥିଲେ।

ସମ୍ବନ୍ଧିତ ଖବର