ଆଇଡି ପ୍ରୁଫ୍‌ ମାଗିବା ମହଙ୍ଗା ପଡ଼ିଲା: ବିଜେପି ସାଂସଦ ଟୋଲ ପ୍ଲାଜା କର୍ମଚାରୀଙ୍କୁ ନିସ୍ତୁକ ପିଟିଲେ; ଭିଡିଓ ଭାଇରାଲ

ଭୋପାଲ: ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ମିଜୋରାମ୍‌ରେ ବିଧାନସଭା ନିର୍ବାଚନ ତାରିଖ ନିର୍ବାଚନ କମିସନ୍‌ ଘୋଷଣା କରିଛନ୍ତି। ତେବେ ଏପରି ପରିସ୍ଥିତିରେ ମଧ୍ୟପ୍ରଦେଶରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଟୋଲ ପ୍ଲାଜା କର୍ମଚାରୀ ଆଇଡି ପ୍ରୁଫ୍‌ ମାଗିବାରୁ ସାଂସଦ ତଥା ମଧ୍ୟପ୍ରଦେଶ ବିଜେପିର ପୂର୍ବତନ ଅଧ୍ୟକ୍ଷ ନନ୍ଦର କୁମାର ସିଂହ ଚୌହ୍ଵାନ୍‌ ଓ ତାଙ୍କର ସହଯୋଗୀ ତାଙ୍କୁ ନିସ୍ତୁକ ମାଡ ମାରିଥିଲେ। ଏଭଳି ଏକ ଘଟଣା ଶୁକ୍ରବାର ସନ୍ଧ୍ୟାରେ ଗୁନା-ଶିବପୁରୀ ରାସ୍ତାରେ ଘଟିଛି।

ଚୌହ୍ଵାନ୍‌ ଓ ତାଙ୍କ ସହଯୋଗୀଙ୍କ ମାଡରେ ଟୋଲ ବୁଥ୍‌ର ଦୁଇଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଜଣେ କର୍ମଚାରୀଙ୍କ ମୁଣ୍ଡରେ ଗଭୀର ଆଘାତ ମଧ୍ୟ ଲାଗିଛି। ତେଣୁ ତାଙ୍କୁ ଚିକିତ୍ସା ପାଇଁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ଟୋଲ ବୁଥ୍‌ରେ ଲାଗିଥିବା ଥିବା ସିସିଟିଭି ଫୁଟେଜରେ କୈଦ୍‌ ହୋଇଯାଇଥିଲା। ଏହି ଘଟଣା ଜଣାପଡ଼ିବା ପରେ ସରକାରରେ ଥିବା ବିଜେପିକୁ ନିନ୍ଦା କରାଯାଉଛି।

ଶନିବାର  ବିଜେପି ଅଧ୍ୟକ୍ଷ ଅମିତ ଶାହା ମାଲଓ୍ଵାନିମାର ଅଞ୍ଚଳରେ ନିର୍ବାଚନ ପ୍ରଚାର ଆରମ୍ଭ କରିବା ପାଇଁ ଇନ୍ଦୋର, ଝାବୁଆ, ରତଲାମ ଓ ଉଜୈନ୍‌ ଗସ୍ତରେ ଆସିବାର ଥିଲା। ଏହାପୂର୍ବରୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପ୍ରଭାତ ଝା ଓ ନନ୍ଦ କୁମାର ସିଂହ ଚୌହ୍ଵାନ୍‌ ଶିବପୁରୀରେ ଏକ ବୈଠକ ଆୟୋଜନ କରିଥିଲେ। ବୈଠକ ପରେ ଚୌହ୍ଵାନ ନିଜ ଗାଡ଼ିରେ ଫେରୁଥିଲେ। ଏହି ସମୟରେ ଟୋଲ ପ୍ଲାଜା କର୍ମଚାରୀ ତାଙ୍କୁ ଅଟକାଇ ଆଇଡି ଦେଖାଇବାକୁ କହିଥିଲେ। ଏହାପରେ ସାଂସଦ ଓ ତାଙ୍କ ସାଥୀ ଟୋଲ ପ୍ଲାଜା କର୍ମଚାରୀଙ୍କ ଉପରକୁ ଆକ୍ରମଣ କରିବା ଆରମ୍ଭ କରି ଦେଇଥିଲେ।

ଟୋଲ ପରିଚାଳକ ମହେନ୍ଦ୍ର ସିଂହ କହିଥିଲେ, ଆଇଡି କାର୍ଡ ଦେଖାଇବା ପରିବର୍ତ୍ତେ ସାଂସଦ ଓ ତାଙ୍କ ସାଥୀ ଟୋଲ କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେବା ସହିତ ନିସ୍ତୁକମାଡ ମାରିବା ଆରମ୍ଭ କରି ଦେଇଥିଲେ। ସିସିଟିଭିରୁ ସ୍ପଷ୍ଟ ହେଉଛି କି ବିଜେପି ସାଂସଦ କିପରି ଟୋଲ କର୍ମଚାରୀଙ୍କୁ ମାରପିଟ କରିଥିଲେ। ଏହି ଘଟଣା ନେଇ ଚୌହ୍ଵାନ୍‌ଙ୍କୁ ପଚାର ଯିବାରୁ ସେ ଏସବୁ ବିଷୟରେ କିଛି ଜାଣନ୍ତି ନାହିଁ ବୋଲି ସ୍ପଷ୍ଟ କରି ଦେଇଥିଲେ। ଏଯାବତ୍‌ ଏହି ଘଟଣାକୁ ନେଇ କୌଣସି  ଅଭିଯୋଗ ଥାନାରେ ହୋଇ ନାହିଁ।

 

ସମ୍ବନ୍ଧିତ ଖବର