ଟ୍ରେନ୍‌ରେ ବିଜେପି ନେତାଙ୍କୁ ହତ୍ୟା

ନୂଆଦିଲ୍ଲୀ: ଗୁଜରାଟର ଜଣେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ବିଧାୟକ ଜୟନ୍ତୀ ଭନୁଶାଳୀଙ୍କୁ ଆଜି ଏକ ଚଳନ୍ତା‌ ଟ୍ରେନ୍‌ରେ ଗୁଳି କରି ହତ୍ୟା କରାଯାଇଛି। ଭୁଜ-ଦାଦର ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଏହି ଗୁଳିକାଣ୍ଡ ହୋଇଛି। ୫୩ ବର୍ଷୀୟ ଭନୁଶାଳୀ ଗୁଜରାଟର କଚ୍ଛ ଜିଲ୍ଲା ସ୍ଥିତ ଭୁଜ୍‌ ସହରରୁ ଅହମ୍ମଦାବାଦ୍‌କୁ ଫେରୁଥିବା‌ବେଳେ ରାତି ପ୍ରାୟ ୨ଟା ସମୟରେ କିଛି ଦୁର୍ବୃତ୍ତ ଟ୍ରେନ୍‌ରେ ପଶି ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ପ୍ରାରମ୍ଭିକ ତଦନ୍ତରୁ ଜଣାଯାଇଛି ଯେ ବିଧାୟକଙ୍କ ଶରୀରରେ ଦୁଇଟି ଗୁଳି ବାଜିଛି। ଗତବର୍ଷ ଜୁଲାଇରେ ଉକ୍ତ ବିଜେପି ବିଧାୟକଙ୍କ ବିରୋଧରେ ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ ଆଣିବାପରେ ସେ ଗୁଜରାଟର ବିଜେପି ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ତେବେ ପରେ ମହିଳା ଜଣଙ୍କ ଭନୁଶାଳୀଙ୍କ ବିରୋଧରେ କରିଥିବା ଅଭିଯୋଗ ପ୍ରତ୍ୟାହାର କରିନେବା ପରେ ଗୁଜରାଟ ହାଇକୋର୍ଟ ତାଙ୍କ ବିରୋଧରେ ଥିବା ମାମଲା ରଦ୍ଦ କରିଥିଲେ। ଭନୁଶାଳୀ ୨୦୦୭ରୁ ୨୦୧୨ ମଧ୍ୟରେ କଚ୍ଛ ଜିଲ୍ଲାର ଅବଦସା ନିର୍ବାଚନ ମଣ୍ଡଳୀକୁ ପ୍ରତିନିଧିତ୍ବ କରିଥିଲେ।

ସମ୍ବନ୍ଧିତ ଖବର