ମଧ୍ୟପ୍ରଦେଶରେ ବିଜେପି ମହାକୁମ୍ଭ:କଂଗ୍ରେସକୁ ମୋଦୀଙ୍କ ଟାର୍ଗେଟ୍‌

ବିଦେଶୀ ରାଷ୍ଟ୍ର ସ୍ଥିର କରିପାରିବ ନାହିଁ କିଏ ହେବ ପ୍ରଧାନମନ୍ତ୍ରୀ

ଭୋପାଳ: ମଧ୍ୟ ପ୍ରଦେଶରେ ବିଧାନସଭା ନିର୍ବାଚନକୁ ଆଖିରେ ରଖି ବିଜେପି ପକ୍ଷରୁ ଆଜି ରାଜ୍ୟରେ ନିର୍ବାଚନ ବିଗୁଲ ବାଜିଛି। ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମହାକୁମ୍ଭରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ଅଧ୍ୟକ୍ଷ ଅମିତ୍‌ ଶାହ ଯୋଗଦେଇ କଂଗ୍ରେସକୁ ଜୋର୍‌ଦାର ଆକ୍ରମଣ କରିଛନ୍ତି।
ମୋଦୀ ବିଜେପି କର୍ମକର୍ତ୍ତାଙ୍କୁ ଉଦ୍‌ବୋଧନ ଦେଇ କଂଗ୍ରେସ ଏବଂ ଏହାର ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ୧୨୫ ବର୍ଷ ପୁରୁଣା ଦଳ କଂଗ୍ରେସ ଆଜି ତିଷ୍ଠିରହିବାକୁ ସଂଘର୍ଷ କରୁଛି। ଦେଶ ମଧ୍ୟରେ ବିଜେପିକୁ ହରାଇବା ପାଇଁ କଂଗ୍ରେସକୁ ଏବେ ବିଦେଶରେ ମେଣ୍ଟ କରିବାକୁ ପଡୁଛି। ସରକାର ଏବଂ ଦେଶ ବିରୋଧରେ ବାହାରେ ଷଡ଼ଯନ୍ତ୍ର କରିବାକୁ ପଡୁଛି। କିନ୍ତୁ ଭାରତରେ କିଏ ପ୍ରଧାନମନ୍ତ୍ରୀ ହେବ, ତାହା ବିଦେଶୀ ରାଷ୍ଟ୍ର ସ୍ଥିର କରିପାରିବ ନାହିଁ ବୋଲି ସେ କହିଛନ୍ତି। ମୋଦୀ ଆହୁରି ଦର୍ଶାଇଛନ୍ତି ଯେ ବିଜେପି ସରକାରଙ୍କ ଉପରେ କଂଗ୍ରେସ ବାରମ୍ବାର ମିଥ୍ୟା ଅଭିଯୋଗ ଆଣୁଛି। ତେବେ କଂଗ୍ରେସ ଆମ ଉପରେ ଯେତେ କାଦୁଅ ଫିଙ୍ଗିବ, ଦେଶରେ ସେତେ ପଦ୍ମ ଫୁଟିବ ବୋଲି ମୋଦୀ କହିଛନ୍ତି। ସେ କହିଛନ୍ତି, କେନ୍ଦ୍ରରେ କଂଗ୍ରେସ ସରକାର ଥିଲା ବେଳେ ମଧ୍ୟ ପ୍ରଦେଶରେ ବିଜେପି ସରକାରଙ୍କୁ ଅନେକ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଛି। ରାଜ୍ୟକୁ ବିଭିନ୍ନ ସୁବିଧାରୁ ବଂଚିତ କରାଯାଇଛି।
ପଣ୍ଡିତ ଦୀନଦୟାଲ୍‌ ଉପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ଭୋପାଳରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୋଦୀ କଂଗ୍ରେସକୁ ଟାର୍ଗେଟ୍‌ କରି ଆହୁରି କହିଛନ୍ତି ଯେ ବିଜେପିଠାରୁ ହାରିବା ଭୟରେ କଂଗ୍ରେସ ଏବେ ମହାମେଣ୍ଟ ଉପରେ ନିର୍ଭର କରୁଛି। କ୍ଷମତା ହାସଲ ପାଇଁ ଛୋଟ ଛୋଟ ଦଳକୁ ଅତୀତରେ ଦଳିମକଚି ଦେଇଥିବା କଂଗ୍ରେସ ପୁଣି ସେହି କ୍ଷୁଦ୍ର ଦଳଗୁଡ଼ିକର ଶରଣ ପଶିଛି। କଂଗ୍ରେସ ନିଜର ଅହଂକାର ପାଇଁ ଏଭଳି ଦଶା ଭୋଗୁଛି ବୋଲି ମୋଦୀ କହିଛନ୍ତି।
କର୍ମକର୍ତ୍ତାଙ୍କୁ ମୋଦୀ ଆହୁରି କହିଛନ୍ତି ଯେ କଂଗ୍ରେସ ସମାଜକୁ ଭାଗ ଭାଗ କରିବା ପାଇଁ ଚାହୁଛି। କିନ୍ତୁ ଆମକୁ ବିକାଶକୁ ପ୍ରସଙ୍ଗ କରି ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବାକୁ ପଡ଼ିବ। ନିର୍ବାଚନ ଜିତିବା ପାଇଁ ଆମର ମନ୍ତ୍ର ସଂପୂର୍ଣ୍ଣ ସ୍ୱଚ୍ଛ ହେବ। ଆମେ ଧନବଳ ନୁହେଁ, ବରଂ ଜନବଳକୁ ମାଧ୍ୟମ କରି ନିର୍ବାଚନ ଲଢ଼ିବା। ‘ମୋ ବୁଥ୍‌, ସବୁଠୁ ମଜବୁତ୍‌’ ସ୍ଲୋଗାନ୍‌ ରଖି ଆମକୁ ଏହି ଲଢ଼େଇ ଜିତିବାକୁ ପଡ଼ିବ ବୋଲି ମୋଦୀ ଆହ୍ଵାନ ଦେଇଛନ୍ତି। ସଭାରେ ଅମିତ୍‌ ଶାହ ଆସାମର ଏନ୍‌ଆର୍‌ସି (ଜାତୀୟ ନାଗରିକ ପଂଜିକା) ପ୍ରସଙ୍ଗ ଉଠାଇଥିଲେ। ସେ ଆହୁରି କହିଥିଲେ ଯେ ବିଜେପି କର୍ମକର୍ତ୍ତାମାନେ ବିଧାନସଭା ନିର୍ବାଚନରେ ଦଳ ସପକ୍ଷରେ ଏଭଳି ପବନ ସୃଷ୍ଟି କରିବେ, ଯାହା ଲୋକସଭା ନିର୍ବାଚନରେ ସୁନାମି ସାଜି ଦଳକୁ ବିଜୟୀ କରାଇବ।

ସମ୍ବନ୍ଧିତ ଖବର