ଆନ୍ଧ୍ରପ୍ରଦେଶ କ୍ୟାବିନେଟରୁ ଇସ୍ତଫା ଦେଲେ ୨ ବିଜେପି ମନ୍ତ୍ରୀ, ଏନ୍‌ଡିଏ ମେଣ୍ଟରୁ ଓହରିଲା ଟିଡିପି!

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ସ୍ପଷ୍ଟ ଭାବେ ମନା କରିଦେବା ପରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ମେଣ୍ଟରୁ ଚନ୍ଦ୍ରବାବୁ ନାଇଡୁଙ୍କ ତେଲଗୁ ଦେଶମ୍‌ ପାର୍ଟି (ଟିଡିପି) ଓହରି ଯିବା ସହ ମୋଦି ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଥିବା ଟିଡିପିର ଦୁଇ ମନ୍ତ୍ରୀ ଇସ୍ତଫା ଦେବେ ବୋଲି ବୁଧବାର ରାତିରେ ଚନ୍ଦ୍ରବାବୁ ନାଇଡୁ ଘୋଷଣା କରିଥିଲେ।

ତେବେ, ଚନ୍ଦ୍ରବାବୁ ନାଇଡୁଙ୍କ ଏପ୍ରକାରର ଘୋଷଣା ପରେ ଗୁରୁବାର ପୂର୍ବାହ୍ନରେ ଆନ୍ଧ୍ରପ୍ରଦେଶ କ୍ୟାବିନେଟରେ ମନ୍ତ୍ରୀ ଥିବା ବିଜେପିର ଦୁଇ ମନ୍ତ୍ରୀ ମନ୍ତ୍ରିମଣ୍ଡଳରୁ ଇସ୍ତଫା ପ୍ରଦାନ କରିଛନ୍ତି। ଏହି ଘଟଣାକୁ କେନ୍ଦ୍ରକରି ବିଜେପି ଓ ଟିଡିପି ମଧ୍ୟରେ ସଂପର୍କ ତିକ୍ତ ହୋଇଥିବା ବେଳେ ଏବେ ସମସ୍ତଙ୍କ ନଜର ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁଙ୍କ ଉପରେ ରହିଛି। କାରଣ, ଚନ୍ଦ୍ରବାବୁ ନାଇଡୁ ପୂର୍ବରୁ ମଧ୍ୟ ଏହିପରି ଏକ ଧମକ ଏନ୍‌ଡିଏ ମେଣ୍ଟକୁ ଦେଇଥିଲେ।

ଅନ୍ୟପକ୍ଷରେ କେନ୍ଦ୍ର ସରକାର ଆନ୍ଧ୍ରପ୍ରଦେଶକୁ ଅଣଦେଖା ଓ ଅବହେଳା କରୁଛନ୍ତି ବୋଲି ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ ଯେଉଁ ଅଭିଯୋଗ କରିଛନ୍ତି, ତାହାକୁ ବିଜେପି ପକ୍ଷରୁ ଦୃଢ଼ଭାବେ ଖଣ୍ଡନ କରାଯାଇଛି। ବିଜେପି ପକ୍ଷରୁ କୁହାଯାଇଛି ଯେ ଟିଡ଼ିପି ମୁଖ୍ୟ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ସମେତ କରୁଥିବା ଆଉ କେତେକ ଦାବିକୁ ପୂରଣ କରିବା କେନ୍ଦ୍ର ସରକାରଙ୍କ ପକ୍ଷରେ ସମ୍ଭବ ନୁହେଁ। ତେବେ, ଆନ୍ଧ୍ରପ୍ରଦେଶର ସର୍ବାଙ୍ଗୀନ ବିକାଶ ପାଇଁ କେନ୍ଦ୍ର ସରକାର ଆବଶ୍ୟକତା ଠାରୁ ଅଧିକ ଗୁରୁତ୍ୱ ଦେଉଥିବା ଓ ଯତ୍ନବାନ ଥିବା ବିଜେପି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର