ନୃତ୍ୟଶିଳ୍ପୀ ସପ୍‌ନା ଚୌଧୁରୀଙ୍କ ସହ ସୋନିଆ ଗାନ୍ଧୀଙ୍କୁ ତୁଳନା କରି ବିବାଦରେ ବିଜେପି ବିଧାୟକ, କହିଲେ; ଦୁହେଁ ଗୋଟେ ପେଶାରୁ ନିଜ କାମ ଆରମ୍ଭ କରିଥିଲେ

ନୂଆଦିଲ୍ଲୀ : ନିଜର ବୟାନବାଜି ପାଇଁ ସବୁ ବେଳେ ବିବାଦରେ ରହିଥାନ୍ତି ବାଲିଆରୁ ବିଜେପି ବିଧାୟକ ଥିବା ସୁରେନ୍ଦ୍ର ସିଂହ । ସବୁ ଥର ଭଳି ଏଥର ମଧ୍ୟ ସେ ନିଜ ବୟାନକୁ ନେଇ ବିବାଦରେ ଛନ୍ଦି ହୋଇଛନ୍ତି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ନେଇ ସେ ଯେଉଁ ଟିପ୍ପଣୀ ଦେଇଛନ୍ତି, ତାହା ତାଙ୍କୁ ବିବାଦ ମଧ୍ୟକୁ ଟାଣି ଆଣିଛି । ସେ ହରିୟାଣାର କଣ୍ଠଶିଳ୍ପୀ ତଥା ନୃତ୍ୟୁଶିଳ୍ପୀ ସପ୍‌ନା ଚୌଧୁରୀଙ୍କ ସହ ଲୋକସଭାର ସଦସ୍ୟ ସୋନିଆ ଗାନ୍ଧୀଙ୍କୁ ତୁଳନା କରିଥିବା ଦେଖା ଯାଇଛି । ଦୁହେଁ ସମାନ ପେଶାରୁ କାମ ଆରମ୍ଭ କରିଥିଲେ ବୋଲି କହିବା ସହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସପ୍‌ନାଙ୍କୁ ବିବାହ କରିନେବା ଦରକାର ବୋଲି କହିଥିଲେ । ତାଙ୍କର ଏଭଳି ବୟାନ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଚର୍ଚ୍ଚାର ବିଷୟ ପାଲଟିଛି । ସୁରେନ୍ଦ୍ର ସିଂହ ଏଭଳି ବୟାନ ଦେଉଥିବାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଯେଉଁଥିରେ, ଏହା ବହୁତ ଭଲ କଥା । ରାହୁଲ ଗାନ୍ଧୀଜୀ ନିଜ ପରିବାରର ପରମ୍ପରାକୁ ଆଗକୁ ନେଉଛନ୍ତି । ଇଟାଲୀରେ ତାଙ୍କ ମା’ ଯେଉଁ ପେଶାରେ ଥିଲେ, ଆଜି ସେ ସେହି ପେଶାରେ ଥିବା ନୃତ୍ୟୁଶିଳ୍ପୀ ସପ୍‌ନାଙ୍କୁ ଆପଣାଇଛନ୍ତି । ମୁଁ ତ ରାହୁଲଙ୍କ ଧନ୍ୟବାଦ ଜଣାଇବି । ଯେଉଁଭଳି ଭାବରେ ତୁମ ବାପା ରାଜୀବ ଗାନ୍ଧୀ ତୁମ ମା’ଙ୍କୁ ଆପଣାଇଥିଲେ, ଆପଣ ମଧ୍ୟ ସପ୍‌ନାଙ୍କୁ ଆପଣାଇ ଭାରତ ରାଜନୀତିରେ ନୂଆ ଆଲୋକ ଆଣିଛନ୍ତି ବୋଲି କହିଥିଲେ ସୁରେନ୍ଦ୍ର ସିଂହ । ତାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଅନ୍ୟ ପକ୍ଷରେ, ଶନିବାର କଂଗ୍ରେସରେ ଯୋଗ ଦେବା ନେଇ ଯେଉଁ ଫଟୋ ଏବଂ ଖବର ପ୍ରସାର ହୋଇଥିଲା, ତା’କୁ ମିଛ ବୋଲି କହିଛନ୍ତି ସପ୍‌ନା । ମୋର କଂଗ୍ରେସରେ ଯୋଗ ଦେବାର କୌଣସି ଇଚ୍ଛା ନାହିଁ । ଏହା ସହ ଯେଉଁ ସବୁ ଫଟୋ ଭାଇରାଲ ହେଉଛି, ସେ ସବୁ ପୁରୁଣା ଫଟୋ । ଶନିବାର ମୁଁ କଂଗ୍ରେସରେ ଯୋଗ ଦେବା ନେଇ ଯେଉଁ ଖବର ପ୍ରସାର ହୋଇଥିଲା, ତାହା ସଂପୁର୍ଣ୍ଣ ମିଛ ବୋଲି ରବିବାର ସ୍ପଷ୍ଟ କରିଛନ୍ତି ସପ୍‌ନା ।

ସମ୍ବନ୍ଧିତ ଖବର