ବିଜେପି ପାଇଁ ବିହାର ଅଡ଼ୁଆ

ପାଟନା: ବିଜେପି ନେତୃତ୍ୱାଧୀନ ଏନ୍‌ଡିଏରୁ ଗୋଟିଏ ପରେ ଗୋଟିଏ ଦଳ ଖସିବାରେ ଲାଗିଛନ୍ତି। ରାଜ୍ୟ ମାନଙ୍କରେ ମଧ୍ୟ ବିଜେପି ମେଣ୍ଟକୁ ଆଉ ଆଞ୍ଚଳିକ ଦଳ ପସନ୍ଦ କରୁନାହାନ୍ତି। ପ୍ରଥମେ ଆନ୍ଧ୍ରପ୍ରଦେଶ,କର୍ଣ୍ଣାଟକ ଓ ଏବେ ବିହାରରେ ବିଜେପି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ରାଷ୍ଟ୍ରୀୟ ଲୋକ ସମତା ପାର୍ଟି (ଆରଏଲଏସ୍‌ପି)ନେତା ତଥା କେନ୍ଦ୍ରମନ୍ତ୍ରୀ ଉପେନ୍ଦ୍ର ଖୁସଓ୍ଵାହ ବିହାରରେ ଆୟୋଜିତ ଏନ୍‌ଡିଏ ନୈଶ ଭୋଜିରେ ଯୋଗ ଦେଇନଥିଲେ। ଆଜି ପାଟନାରେ ଉପସ୍ଥିତ ଥାଇ ମଧ୍ୟ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କ ଦ୍ୱାରା ଆୟୋଜିତ ଇଫତାର ପାର୍ଟିରେ ସେ ଯୋଗ ନଦେବା ଘଟଣା ରାଜ୍ୟ ରାଜନୀତିକୁ ସରଗରମ କରିଛି। ଏନ୍‌ଡିଏ ସହ ସମ୍ପର୍କ ତୁଟାଇବା ପାଇଁ କେନ୍ଦ୍ରମନ୍ତ୍ରୀ ଖୁସଓ୍ଵାହ ବିଧିବଦ୍ଧ ଭାବେ ଘୋଷଣା କରିନଥିଲେ ମଧ୍ୟ ତାଙ୍କ ଅସନ୍ତୋଷରୁ ବିଜେପି ସହ ଫାଟ ବାରି ହୋଇପଡ଼ୁଥିବା ଚର୍ଚ୍ଚା ହେଉଛି। ଏହି ପାର୍ଟିରେ ଯୋଗଦେଇଥିବା ଆରଏଲଏସ୍‌ପିର ଜଣେ ନେତା କହିଥିଲେ ଯେ, ଖୁସଓ୍ଵାହଙ୍କୁ ବିହାର ମେଣ୍ଟ ଦଳ ନେତା ଭାବେ ଘୋଷଣା କରିଥିଲେ ବିଜେପି ଫାଇଦାରେ ରହିଥାନ୍ତା।

ଅପରପକ୍ଷେ, ବିହାରରେ ବିଜେପିକୁ କ୍ଷମତାରୁ ଦୂରେଇ ରଖିବାକୁ ସମସ୍ତ ଆଞ୍ଚଳିକ ଦଳ ମହାମେଣ୍ଟ କରିବାକୁ ଯାଉଥିବା ଚର୍ଚ୍ଚା ହେଉଛି। କେନ୍ଦ୍ରମନ୍ତ୍ରୀ ଖୁସଓ୍ଵାହ ଆରଜେଡି ନେତା ଲାଲୁ ଯାଦବଙ୍କୁ ଏମ୍ସରେ ଚିକିତ୍ସା ପାଇଁ ଦିଲ୍ଲୀ ଡାକିଥିଲା ବେଳେ ମେଣ୍ଟ ପାଇଁ ତେଜସ୍ୱୀ ଯାଦବ ତାଙ୍କୁ ଆମନ୍ତ୍ରଣ କରିସାରିଛନ୍ତି। ଆରଜେଡି ସହ ଥିବା ହମ୍‌ ଦଳ ମଧ୍ୟ ଖୁସଓ୍ଵାହଙ୍କୁ ଏହି ପ୍ରସ୍ତାବ ଦେଇ ସାରିଛି। ଏଲଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ରାମ ବିଲାସ ପାଶଓ୍ଵାନ ମଧ୍ୟ ବିହାରରେ ଗତ ଉପ ନିର୍ବାଚନ ଗୁଡ଼ିକରେ ହୋଇଥିବା ହିଂସା ପାଇଁ ବିଜେପି ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେପଟେ, ବେଶ୍‌ କିଛିଦିନ ହେବ କେନ୍ଦ୍ରର ବିଜେପି ସରକାର ପ୍ରତି ଅସନ୍ତୁଷ୍ଟ ଥିବା ଜେଡିୟୁ ନେତା ତଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ବିରୋଧୀଙ୍କ ଏହି ମହାମେଣ୍ଟକୁ ସମର୍ଥନ ଜଣାଇଥିବା ହମ୍‌ ନତା ଜିତନ ରାମ ମାଞ୍ଝି କହିଛନ୍ତି। ଯଦି ଖୁସଓ୍ଵାହ ମୁଖ୍ୟମନ୍ତ୍ରୀ ହେବା ଜିଦ୍‌ ଛାଡି ଦିଅନ୍ତି ତେବେ ସବୁ ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି। ଏହା ସହ ମହାମେଣ୍ଟରେ ଆସନ ଭାଗବଣ୍ଟାକୁ ନେଇ କୌଣସି ଅସୁବିଧା ନଥିବାରୁ ଅତିଶୀଘ୍ର ବିହାର ରାଜନୀତିରେ ଏକ ବିରାଟ ପରିବର୍ତ୍ତନ ହେବାକୁ ଯାଉଛି ବୋଲି ବିରୋଧର ଦଳ ନେତାମେନେ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର