ରାଜସ୍ଥାନରେ ବିଜେପିକୁ ଝଟ୍‌କା, ୨ ବରିଷ୍ଠ ନେତା କଂଗ୍ରେସରେ

ଜୟପୁର : ଆସନ୍ତା ଡିସେମ୍ବର ୭ ତାରିଖରେ ରାଜସ୍ଥାନ ବିଧାନସଭା ନିର୍ବା‌ଚନ ଥିବାବେଳେ ଏହା ପୂର୍ବରୁ ରାଜସ୍ଥାନ ବିଜେପିକୁ ଶକ୍ତ ଝଟ୍‌କା ଲାଗିଛି। ଦଳର ଦୁଇ ଜଣ ପ୍ରମୁଖ ନେତା ଏବେ ଦଳ ଛାଡ଼ି କଂଗ୍ରେସରେ ଯୋଗଦେଇଛନ୍ତି। ଦୌସା ସାଂସଦ ହରିଶ ଚନ୍ଦ୍ର ମୀନା ଏବଂ ନଗୌର ବିଧାୟକ ହବିବୁର ରହମାନ୍‌ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି। ବିଜେପିର ଏହି ଦୁଇ ବରିଷ୍ଠ ନେତା ଆଜି ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଏବଂ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ସଚିନ୍‌ ପାଇଲଟ୍‌ଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ବିଜେପି ବିଧାୟକ ସୁରେନ୍ଦ୍ର ଗୋଏଲ୍‌ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ସେହିପରି ଅନ୍ୟ ଜଣେ ବିଜେପି ନେତା ହନୁମାନ ବେନିୱାଲ୍‌ ମଧ୍ୟ ଗତ ମାସରେ ବିଜେପି ଛାଡ଼ି ନିଜର ଏକ ରାଜନୈତିକ ଦଳ ‘ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ଦଳ’ ଗଠନ କରିଛନ୍ତି। ଗତ ଅକ୍ଟୋବର ମାସରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶବନ୍ତ ସିଂହଙ୍କ ପୁଅ ମାନବେନ୍ଦ୍ର ସିଂହ କଂଗ୍ରେସରେ ଯୋଗଦେବା ପରେ ମଧ୍ୟ ବିଜେପିକୁ ଶକ୍ତ ଝଟ୍‌କା ଲାଗିଥିଲା।

ସମ୍ବନ୍ଧିତ ଖବର