ତୁମେ ଜଣେ ସଲ୍ଲାଉଦ୍ଦିନ ତିଆରି କଲେ ଆମେ କାଶ୍ମୀରକୁ ୧୦ ଜଣ ଭଗତ ସିଂ ପଠାଇବୁ, ମେହେବୁବାଙ୍କୁ ବିଜେପିର ଜବାବ

ଜାମ୍ମୁ : ପିଡିପିକୁ ଭାଙ୍ଗିଲେ କାଶ୍ମୀରରୁ ସଲ୍ଲାଉଦ୍ଦିନ ପରି ଆହୁରି ଆତଙ୍କବାଦୀ ସୃଷ୍ଟି ହେବେ ବୋଲି ମେହେବୁବା ମୁଫତିଙ୍କ ଧମକର ଜବାବ ଦେଇଛି ବିଜେପି । ଜାମ୍ମୁ ବିଜେପି ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ବୀଣା ଗୁପ୍ତା କହିଛନ୍ତି ଯେ ମେହେବୁବା ନିଜର ଧମକକୁ କାର୍ଯ୍ୟରେ ପରିଣତ କରି ଦେଖନ୍ତୁ । ଗୋଟିଏ ସଲ୍ଲାଉଦ୍ଦିନ ସୃଷ୍ଟି କଲେ ଆମେ ସେଠାକୁ ୧୦ ଜଣ ଭଗତ ସିଂ ପଠାଇବୁ । ସେ କହିଛନ୍ତି ଯେ ମେହେବୁବା ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ, ଏଣୁ ସେ ମୁଖ୍ୟମନ୍ତ୍ରୀ ପଦର ଗାରିମା ରକ୍ଷା କରନ୍ତୁ । ବିଜେପି ପକ୍ଷରୁ ପିଡିପି ଦଳକୁ ଭାଙ୍ଗିବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗକୁ ଖଣ୍ଡନ କରି ସେ କହିଛନ୍ତି ଯେ ମେହେବୁବା ଅନ୍ୟକୁ ଦୋଷ ଦେବା ପଦଳରେ ପ୍ରଥମେ ନିଜ ଘରକୁ ଠିକ କରିବାକୁ ଉଦ୍ୟମ କରନ୍ତୁ । ଦୁଇଦିନ ତଳେ ମେହେବୁବା କହିଥିଲେ ଯେ ତାଙ୍କ ଦଳ ପିଡିପିକୁ ଭାଙ୍ଗିବାକୁ ଚେଷ୍ଟା କଲେ ପରିଣତି ଭୟାବହ ହେବ । କାଶ୍ମୀର ପୁଣି ୧୯୮୭କୁ ଫେରିଯିବ । ବିଜେପି ପିଡିପିର କେତେ ଜଣ ବିଦ୍ରୋହୀ ବିଧାୟକଙ୍କ ସହାୟତାରେ ପୁଣି ସରକାର ଗଢିବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଥିବାରୁ ତାହାର ଜବାବରେ ସେ ଏକଥା କହିଥିଲେ । ୧୯୮୭ରେ ଦିଲ୍ଲୀ କାଶ୍ମୀର ଲୋକଙ୍କ ଜନମତକୁ ସମ୍ମାନ ନଦେଖାଇବାରୁ ୟାସିନ ମଲ୍ଲିକ ଓ ସୟଦ ସଲ୍ଲାଉଦ୍ଦିନ ପରି ବିଚ୍ଛିନ୍ନତାବାଦୀ ତିଆରି ହୋଇଥିଲେ । ଏବେ ପୁଣି ସେପରି ହେଲେ ସ୍ଥିତି ତାହାଠାରୁ ଆହୁରି ଭୟଙ୍କର ହେବ ।

ସମ୍ବନ୍ଧିତ ଖବର