ବିଜେପି-ଆରଏସଏସ କୌରବ, ଆମେ ପାଣ୍ଡବ : ରାହୁଲ

ନୂଆଦିଲ୍ଲୀ: ହଜାର ହଜାର ବର୍ଷ ତଳେ କୁରୁକ୍ଷେତ୍ର ଯୁଦ୍ଧ କ୍ଷମତା ପାଇଁ ହୋଇଥିଲା । କୌରବ ପକ୍ଷ କ୍ଷମତା ପାଇଁ ଲଢୁଥିଲେ । ଆଜିକାଲି ବିଜେପି ଓ ଆରଏସଏସ ହେଉଛନ୍ତି କୌରବଙ୍କ ପରି । ସେମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ହେଉଛି କ୍ଷମତା ଅକ୍ତିଆର କରିବା । କିନ୍ତୁ ପାଣ୍ଡବମାନେ ଧର୍ମ ଓ ସତ୍ୟ ପାଇଁ ଲଢୁଥିଲେ । କଂଗ୍ରେସ ହେଉଛି ପାଣ୍ଡବଙ୍କ ପରି ସତ୍ୟ ଓ ନ୍ୟାୟ ପାଇଁ ଲଢିଆସୁଛି ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ।


ଏଠାରେ ଅନୁଷ୍ଠିତ କଂଗ୍ରେସ ଜାତୀୟ ଅଧିବେଶନ ଅବସରରେ ଉଦବୋଧନ ଦେଇ ସେ କହିଛନ୍ତି ଯେ ବିଜେପି ଏବେ କ୍ଷମତା ନିଶାରେ ମସଗୁଲ ହୋଇଯାଇଛି । ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ନାଁ ନ ନେଇ ସେ ତାଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ବିଜେପି ଜଣେ ନରହତ୍ୟା ଅଭିଯୁକ୍ତଙ୍କୁ ନିଜର ଅଧ୍ୟକ୍ଷ ଗାଦିରେ ବସାଇଛି । କିନ୍ତୁ କଂଗ୍ରେସରେ ଏପରି ଜଣେ ଲୋକ ସଭାପତି ଆସନରେ ବସିବା ଲୋକମାନେ କେବେ ମଧ୍ୟ ସହ୍ୟ କରିପାରିବେ ନାହିଁ । ବିଜେପି ଗୋଟିଏ ସଂଗଠନର ସ୍ୱର, କିନ୍ତୁ କଂଗ୍ରେସ ସାରା ଦେଶର ସ୍ୱର ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ସମାଲୋଚନା କରିବାକୁ ଭୁଲିନାହାନ୍ତି । ସେ କହିଛନ୍ତି ଯେ ମୋଦି ଶବ୍ଦଟି କ୍ରୋନି କ୍ୟାପିଟାଲିଜିମ ବା ସରକାର-ପୁଞ୍ଜିପତି ଅସାଧୁ ମେଣ୍ଟର ଏକ ସଂକେତ । ଭାରତର ଲୋକମାନେ ମୋଦି ମାୟାରେ ରହିବାକୁ ବାଧ୍ୟ ହେଉଛନ୍ତି । ଏହି ମାୟା ହେଉଛି ଅଚ୍ଛେ ଦିନ, ଆକାଉଣ୍ଟରେ ୧୫ ଲକ୍ଷ, ସ୍ୱଚ୍ଛ ଭାରତ ଇତ୍ୟାଦି । ଆମ ଦେଶ ଦ୍ରୁତ ଆର୍ଥିକ ଅଭିବୃଦ୍ଧି ହାସଲ କରୁଥିଲେ ମଧ୍ୟ ଯୁବକମାନେ ବେକାର ଅଛନ୍ତି ।

ସମ୍ବନ୍ଧିତ ଖବର