୨୯ ରାଜ୍ୟରୁ ବିଜେପି ନିୟନ୍ତ୍ରଣରେ ୧୯

ନୂଆଦିଲ୍ଲୀ: ଲଗାତାର ଷଷ୍ଠଥର ପାଇଁ ଗୁଜରାଟରେ କ୍ଷମତା ବଜାୟ ରଖିଥିବା ବିଜେପି ଚଳିତ ନିର୍ବାଚନରେ କଂଗ୍ରେସ ହାତରୁ ହିମାଚଳ ପ୍ରଦେଶ ଛଡ଼ାଇ ଆଣିବାକୁ ସକ୍ଷମ ହୋଇଛି। । ଗୁଜରାଟ ଏବଂ ହିିମାଚଳକୁ ମିଶାଇ ୨୯ ରାଜ୍ୟରୁ ୧୯ଟିକୁ ନିଜ ନିୟନ୍ତ୍ରଣରେ ରଖିବାକୁ ସମର୍ଥନ ହୋଇଛି। ଏହା ପୂର୍ବରୁ ଅନ୍ୟ କୌଣସି ଦଳ ଏତେ ପରିମାଣରେ ରାଜ୍ୟ ଅକ୍ତିଆର କରିନଥିଲେ। ୨୪ ବର୍ଷ ପୂର୍ବେ କଂଗ୍ରେସ ନିୟନ୍ତ୍ରଣରେ ୧୮ ଟି ରାଜ୍ୟ ଥିଲା। ୧୯୯୩ ଡିସେମ୍ବରରେ ଯେତେବେଳେ କଂଗ୍ରେସ କେନ୍ଦ୍ରରେ କ୍ଷମତା ଅକ୍ତିଆର କରିଥିଲା ସେ ସମୟରେ ଏହା ୨୬ଟି ରାଜ୍ୟରୁ ୧୫ଟି ସିଧାସଳଖ ନିଜ ନିୟନ୍ତ୍ରଣରେ ରଖିଥିଲା ଏବଂ ଗୋଟିଏ ରାଜ୍ୟରେ ମେଣ୍ଟ ଶାସନରେ ରହିଥିଲା।

ସେହିପରି ସିପିଏମ ଅଧୀନରେ ଥିବା ଦୁଇଟି ରାଜ୍ୟ ମଧ୍ୟ କେନ୍ଦ୍ରରେ କଂଗ୍ରେସ ସରକାରକୁ ସମର୍ଥନ ଦେଇଥିଲା। ବର୍ତ୍ତମାନ ବିଜେପି ୧୯ଟି ରାଜ୍ୟକୁ ନିୟନ୍ତ୍ରଣ କରିଛି। ୨୦୧୪ ମେ’ରେ ମୋଦି କ୍ଷମତାକୁ ଆସିବାପରଠାରୁ ବିଜେପି ସବୁଠାରୁ ବଡ଼ ରାଜ୍ୟ ଉତ୍ତର ପ୍ରଦେଶ ସମେତ ଅନେକ ରାଜ୍ୟରେ ବିପୁଳ ବିଜୟ ଲାଭ କରିଛି ଏବଂ ଏହାର କାୟା ବିସ୍ତାର କରି ଚାଲିଛି। ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ପାଞ୍ଚଟି ରାଜ୍ୟ ତଥା ଗୁଜରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ନାଗାଲାଣ୍ଡ୍‌ରେ କ୍ଷମତାରେ ଥିଲା। ୨୦୧୬ ମସିହାରେ ବିଜେପି ଆସାମରେ ୧୫ ବର୍ଷର କଂଗ୍ରେସ ଶାସନରେ ପୂର୍ଣ୍ଣଛେଦ ପକାଇ କ୍ଷମତା ଅକ୍ତିଆର କରିଥିଲା। ସେହିପରି ୨୦୧୭ରେ ଦଳ ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶରେ ବିଜୟ ହାସଲ କରିଥିଲା। ଗୋଆ ଏବଂ ମଣିପୁରରେ ବିଜେପି କଂଗ୍ରେସଠାରୁ କମ୍‌ ଆସନ ଅକ୍ତିଆର କରିଥିଲେ ବି ଉଭୟ ରାଜ୍ୟରେ ଆଞ୍ଚଳିକ ଦଳର ସହାୟତାରେ ସରକାର ଗଢ଼ିଛି। ୨୦୧୮ରେ ମେଘାଳୟ, ନାଗାଲ୍ୟାଣ୍ଡ୍‌, ତ୍ରିପୁରା, କର୍ଣ୍ଣାଟକ, ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ମିଜୋରାମ୍‌ରେ ନିର୍ବାଚନ ହେବାକୁ ଥିବାରୁ ଏହାକୁ ନେଇ ବିଜେପିର ରଣନୀତି ଆରମ୍ଭ ହୋଇଗଲାଣି।

ସମ୍ବନ୍ଧିତ ଖବର