କୋଲକାତା ହିଂସାକାଣ୍ଡ : ବିଜେପି, ଟିଏମସି ଓ ବାମପନ୍ଥୀ ଦଳଗୁଡ଼ିକ ପକ୍ଷରୁ ପୃଥକ ପୃଥକ ବିକ୍ଷୋଭ ପ୍ରଦର୍ଶନ

ନୂଆଦିଲ୍ଲୀ:  ଗତକାଲିର କୋଲକାତାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ରାଲିରେ ଘଟିଥିବା  ହିଂସା ଘଟଣାକୁ ନେଇ ବିଜେପି, ଟିଏମସି ଓ ବାମପନ୍ଥୀ ଦଳଗୁଡ଼ିକ ପକ୍ଷରୁ ପୃଥକ ପୃଥକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।  ବୁଧବାର ଶହ ଶହ ଟିଏମସି ସମର୍ଥକ କୋଲକାତାରେ ରାଜରାସ୍ତାକୁ ଓହ୍ଲାଇ ବିଜେପି ବିରୋଧରେ ନାରା ଦେଉଥିବା ଦେଇଛନ୍ତି । ସେହିପରି ବିଜେପି ପକ୍ଷରୁ ଆଜି ଦିଲ୍ଲୀରେ ମୌନ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅମିତ ଶାହାଙ୍କ ରୋଡ ଶୋରେ ଘଟିଥିବା ହିଂସାକାଣ୍ଡ ଘଟଣାକୁ ନେଇ କୋଲକାତା ବିଜେପି ପକ୍ଷରୁ ଏହି ମୌନ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସମସ୍ତ କାର୍ଯ୍ୟକର୍ତ୍ତା ମୁଣ୍ଡରେ କଳାପଟି ବାନ୍ଧି ବିକ୍ଷୋଭରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ‘ବାଂଲା ବଞ୍ଚାଅ, ଗଣତନ୍ତ୍ର ବଞ୍ଚାଅ’ ପ୍ଲାକାର୍ଡ ଧରି ବିଜେପି କାର୍ଯ୍ୟକର୍ତ୍ତା ଧାରଣାରେ ବସିଥିବା ଦେଖିବାକୁ ମିଳିଛି ।

ସେପଟେ ବାମପନ୍ଥୀ ଦଳମାନେ ମଧ୍ୟ ହିଂସା ଘଟଣାକୁ ନେଇ କୋଲକାତାରେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଏସଡିଆଇ, ଏଆଇଏସଏଫ, ଏଆଇଏସଏ ଓ ଅନ୍ୟ ବାମପନ୍ଥୀ ଦଳଗୁଡିକ ପକ୍ଷରୁ ଆଜି କଳାଦିବସ ପାଳନ କରାଯାଉଛି । ସିପିଆଇଏମର ବରିଷ୍ଠ ନେତା ସୀତାରାମ ୟେଚୁରୀ ଓ ପ୍ରକାଶ କରାଟ ମଧ୍ୟ ଏହି ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଛନ୍ତି । କୋଲକାତା ବିଶ୍ୱବିଦ୍ୟାଳୟ ପରିସରରେ ଏହି ବିକ୍ଷୋଭ ସଭା ଆୟୋଜନ କରାଯାଇଥିଲା । ଗତକାଲି କୋଲକତା ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଇଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତିକୁ ଭଙ୍ଗାରୁଜା କରାଯିବା ଘଟଣାକୁ ନେଇ ବାମପନ୍ଥୀ ଦଳଗୁଡିକ ରାଜରାସ୍ତାକୁ ଓହ୍ଲାଇଛନ୍ତି ।

ANI

ଅନ୍ୟପଟେ ପଶ୍ଚିମବଙ୍ଗ ହିଂସା ଘଟଣାକୁ ନେଇ ଗୃହମନ୍ତ୍ରାଳୟ ପକ୍ଷରୁ ନିର୍ବାଚନ କମିଶନକୁ ଚିଠା ଲେଖାଯାଇଛି । ନିର୍ବାଚନ ସମୟରେ ପଶ୍ଚିମବଙ୍ଗରେ ୭୦୦ ସିଆରପିଏଫ କମ୍ପାନୀ ମୂତୟନ କରିବାକୁ ଗୃହମନ୍ତ୍ରାଳୟ ପକ୍ଷରୁ ଅପିଲ କରାଯାଇଛି । ଗତକାଲି କୋଲକାତାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ର‌୍ୟାଲି ସମୟରେ ଟେକାପଥର ମାଡ ହୋଇଥିଲା । କୋଲକାତା ବିଶ୍ୱବିଦ୍ୟାଳୟ ନିକଟରେ ଅମିତ ଶାହାଙ୍କ ର‌୍ୟାଲି ଯାଉଥିବା ସମୟରେ ବାମ ଦଳର ଛାତ୍ର ନେତା ଏବଂ ବିଜେପିର ଛାତ୍ରନେତା ମୁହାଁମୁହିଁ ହୋଇଥିଲେ । ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ମଧ୍ୟ ହୋଇଥିଲା । ଅମିତ ଶାହା ରୋଡ ସୋ’ରେ ଯାଉଥିବା ସମୟରେ ତାଙ୍କ ଗାଡି ଉପରକୁ ଲାଠି ମାଡ ହୋଇଥିଲା । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିବାରୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ଲାଠିଚାର୍ଜ କରିଥିଲା । ନିକଟରେ ଥିବା ଏକ ହଷ୍ଟେଲରୁ ଛାତ୍ରମାନେ ବାହାରିଆସି ଟେକା ମାଡ କରିଥିଲେ । ଏହି ସମୟରେ ଇଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତିକୁ ମଧ୍ୟ ଭଙ୍ଗାରୁଜା ହୋଇଥିବା ଖବର ମିଳିଛି ।

ସମ୍ବନ୍ଧିତ ଖବର